ବ୍ରହ୍ମପୁର: ବ୍ରହ୍ମପୁର ଶହର ଉପକଣ୍ଠ ହଳଦିଆପଦର ବସଷ୍ଟାଣ୍ଡ୍ ନିକଟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ । ଏହା ଫଳରେ ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଆଉ ଛତ୍ରପୁର ଯାଇ ସେଠାରେ ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼ିବ ନାହିଁ ।
ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସାଧାରଣରେ ସ୍ବାଗତ କରାଯାଇଥିବା ବେଳେ ହଳଦିଆପଦରରେ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନ କରି ବରଂ ବ୍ରହ୍ମପୁର ଶହରରେ ହିଁ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ଶହରବାସୀ ଦାବି କରିଛନ୍ତି । ସେପଟେ ଏହି କାର୍ଯ୍ୟାଳୟ ଖୋଲିବା ପାଇଁ ରହିଥିବା ପ୍ରସ୍ତାବ କେବେ କାର୍ଯ୍ୟକାରୀ ହେଉଛି ଏବେ ତାହାକୁ ହିଁ ଅପେକ୍ଷା କରିଛନ୍ତି ଶହରବାସୀ ।
ଚଳିତ ବର୍ଷ ସେପ୍ଟେମ୍ବର 1 ତାରିଖରୁ ଲାଗୁ ହୋଇଛି ନୂତନ ମୋଟରଯାନ ଆଇନ । ଏହି ଆଇନ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀ ମାନଙ୍କ ଠାରୁ ଆଦାୟ କରାଯାଉଛି ମୋଟା ଅଙ୍କର ଜୋରିମାନା । ଏହାକୁ ନେଇ ବର୍ତ୍ତମାନ ଲୋକେ ନିଜର ଡ଼୍ରାଇଭିଂ ଲାଇସେନ୍ସ୍ ସହିତ ଗାଡ଼ିର ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ନିମନ୍ତେ ଛତ୍ରପୁର ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଯାଇ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ନିଜର କାଗଜପତ୍ର ତିଆରି କରାଉଛନ୍ତି ।
ଏହି ସମସ୍ୟାର ଖୁବ୍ଶୀଘ୍ର ସମାଧାନ ହେବ । ବ୍ରହ୍ମପୁର ଶହର ଉପକଣ୍ଠ ହଳଦିଆପଦର ବସଷ୍ଟାଣ୍ଡ୍ ନିକଟରେ ଖୋଲାଯିବ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ । ବ୍ରହ୍ମପୁର ସମେତ ଏହାର ଆଖପାଖ ଅଞ୍ଚଳର ଲୋକେ ନିଜର ଡ଼୍ରାଇଭିଂ ଲାଇସେନ୍ସ ସମେତ ଗାଡ଼ିର ଅନ୍ୟାନ୍ୟା କାଗଜପତ୍ର ସୁବିଧାରେ କରାଇପାରିବେ ।
ଏପର୍ଯ୍ୟନ୍ତ ବ୍ରହ୍ମପୁର ସହର ସମେତ ଖଲ୍ଲିକୋଟରୁ ଆରମ୍ଭ କରି ଦିଗପହଣ୍ଡି ପର୍ଯ୍ୟନ୍ତ ସମସ୍ତେ କେବଳ ଛତ୍ରପୁର ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିଲେ । ଫଳରେ ଲୋକେ ପ୍ରତିଦିନ ସେଠାକୁ ଯାଇ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେଲେ ମଧ୍ୟ ଅଳ୍ପ ସମୟରେ ସେମାନଙ୍କର କାମ ହେଉନଥିଲା । ଏହି ସମସ୍ୟାର ବର୍ତ୍ତମାନ ସମାଧାନ ହେବ ବୋଲି ଆଶା ରଖିଛନ୍ତି ସହରବାସୀ । ତେଣୁ ଯଥାଶୀଘ୍ର ଏହି କାର୍ଯ୍ୟାଳୟକୁ ଖୋଲାଗଲେ ସମସ୍ତେ ଉପକୃତ ହେବେ ବୋଲି ସହାରବାସିନ୍ଦା କହିଛନ୍ତି ।
ସେପଟେ ହଳଦିଆପଦର ବସଷ୍ଟାଣ୍ଡ ନିକଟରେ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିବାର ପ୍ରସ୍ତାବକୁ କିଛି ସହରବାସୀ ବିରୋଧ ମଧ୍ୟ କରିଛନ୍ତି । କାରଣ ବ୍ରହ୍ମପୁରରୁ ଛତ୍ରପୁର ମାତ୍ର 18 କିଲୋମିଟର । ସେପଟେ ବ୍ରହ୍ମପୁରରୁ ହଳଦିଆପଦର ବସଷ୍ଟାଣ୍ଡ 10 କିଲୋମିଟର । ତେଣୁ ହଳଦିଆପଦର ବସଷ୍ଟାଣ୍ଡରେ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ହେଲେ ସହରବାସିନ୍ଦାଙ୍କୁ କେବଳ କିଛି ମାତ୍ର ଦୂରତା କମିବ ।
ତେବେ ବ୍ରହ୍ମପୁର ସହରରେ ଅନେକ ସରକାରୀ ଜମି ଖାଲି ରହିଥିଲେ ମଧ୍ୟ ବ୍ରହ୍ମପୁର ସହରରେ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିବାରେ କଣ ଅସୁବିଧା ରହିଛି ବୋଲି ପ୍ରଶ୍ନ କରିଛନ୍ତି ସହରବାସିନ୍ଦା । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ପରିବହନ ମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଥିଲେ ।
ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଖୁବ୍ଶୀଘ୍ର ବ୍ରହ୍ମପୁର ସହରରେ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଚିଠି ଲେଖିବା ପରେ ମନ୍ତ୍ରୀ ମାମଲା ବିଷୟରେ ଅବଗତ ହୋଇଛନ୍ତି । ଏହାସହିତ ମନ୍ତ୍ରୀ ମଧ୍ୟ ବ୍ରହ୍ମପୁରରେ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ପ୍ରତିଶୃତି କେବେ କାର୍ଯ୍ୟାକାରୀ ହେଉଛି ଏବେ ସହରବାସୀଙ୍କର ତାହାକୁ ହିଁ ଅପେକ୍ଷା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।