ମହାରାଷ୍ଟ୍ରରୁ ସୁନା ଆଣି ବ୍ରହ୍ମପୁରରେ ହେଉଛି ବିକ୍ରି; ଧରା ପଡ଼ିଲା ସୁନା ତସ୍କରୀ

ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗ ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ଜବତ କଲା ୨୦ଟି ସୁନା ବିସ୍କୁଟ।

ମହାରାଷ୍ଟ୍ରରୁ ସୁନା ଆଣି ବ୍ରହ୍ମପୁରରେ ହେଉଛି ବିକ୍ରି

ମହାରାଷ୍ଟ୍ରରୁ ସୁନା ଆଣି ବ୍ରହ୍ମପୁରରେ ହେଉଛି ବିକ୍ରି

  • News18 Odia
  • Last Updated :
  • Anand Nagar, India
  • Share this:
News 18 Odia Digital

ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ନେଇ ଯାଞ୍ଚ ବେଳେ ଧରାପଡ଼ିଲା ପୁଳା ପୁଳା ଟଙ୍କା । ଟଙ୍କାକୁ ଦେଖି ଅବକାରୀ ବିଭାଗର ଆଖି ଟେରା । ଏନେଇ ଅବକାରୀ ବିଭାଗ ପୋଲିସକୁ ଜଣାଇବା ପରେ ଯାହା ସତ ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଚାଲାଣ  ଯାଞ୍ଚ ବେଳେ ଜଣେ ଯୁବକଙ୍କ ଠାରୁ ଧରିଲା ୧ କୋଟି ୨୨ ଲକ୍ଷ ୯୭ ହଜାର ଟଙ୍କା। ଏନେଇ ବୈଦ୍ୟନାଥପୁର ଥାନା ପୋଲିସ ଅଧିକ ତଦନ୍ତ କରିବା ପରେ ଉକ୍ତ ଯୁବକ ମହାରାଷ୍ଟ୍ରରୁ ବ୍ରହ୍ମପୁରକୁ ଆସି ସୁନା ବିକ୍ରି କରିଥିବା ଜଣାପଡ଼ିବା ପରେ ସେ ବିକ୍ରି କରିଥିବା ସୁନା ବ୍ୟବସାୟୀଙ୍କ ଠାରୁ ୨ କେଜି ୨୦୦ ଗ୍ରାମ ସୁନାକୁ ଜବତ କରିଛି ପୋଲିସ।

କାର କିମ୍ବା ବାଇକ ନୁହେଁ ବରଂ ସରକାରୀ ଯାତ୍ରୀବାହୀ ଗାଡ଼ିରେ ଏହି ଟଙ୍କା ଚାଲାଣ ହେଉଥିଲା। ପ୍ରତିଦିନ ଭଳି ଗତକାଲି ମଧ୍ୟ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଲାଞ୍ଜିପଲ୍ଲୀ ଜାତୀୟ ନିକଟରେ ଯାଞ୍ଚ ଚାଲୁ ରହିଥିଲା । ଗଞ୍ଜେଇ ଚୋରା ଚାଲାଣକୁ ନେଇ ଯାଞ୍ଚ ଚାଲୁ ରହିଥିବା ବେଳେ ଏକ ସରକାରୀ ଯାତ୍ରୀବାହୀ ବସକୁ ଅଟକାଇଥିଲା ଅବକାରୀ ବିଭାଗ। ଗାଡ଼ିର ଶେଷ ସିଟ୍‌ରେ ବସିଥିବା ଜଣେ ଯୁବକ ଏକ ବ୍ୟାଗ ଧରିଥିବା ବେଳେ ତାହାକୁ ଦେଖି ସନ୍ଦେହରେ ପଡ଼ିଥିଲା ଅବକାରୀ ବିଭାଗ।  ଏହାକୁ ଦେଖି ଅବକାରୀ ବିଭାଗ ବୈଦ୍ୟନାଥପୁର ଥାନା ପୋଲିସକୁ ଜଣାଇଥିଲା । ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିବା ସହିତ ବ୍ୟାଗକୁ ଜବତ କରିଥିଲା।

ବ୍ରହ୍ମପୁର ଏସପି ବିବେକ କହିଛନ୍ତି ଯେ, ଉକ୍ତ ବ୍ୟକ୍ତି ଜଣକ ହେଲେ ମହାରାଷ୍ଟ୍ର ସଙ୍ଗଲି ଜିଲ୍ଲାର ଦାଶରଥ ସାହୁକାର। ଦାଶରଥଙ୍କୁ ଅଧିକ ପଚରାଉଚୁରା କରିବା ପରେ ଏହି ଟଙ୍କା ସେ ବ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀଙ୍କୁ ମହାରାଷ୍ଟ୍ରରୁ ଆଣିଥିବା ସୁନା ବିକ୍ର କରି ଟଙ୍କା ଆଣିଥିବା ନେଇ ପୋଲିସ ନିକଟରେ କହିଥିଲା । ଏହାପରେ ପୋଲିସ ବଡ଼ବଜାର ଅଞ୍ଚଳରେ ରହିଥିବା ଆନନ୍ଦ ଜୁଏଲରୀ ନାମକ ସୁନା ଦୋକାନ ଉପରେ ଚଢ଼ାଉ କରି ଦାଶରଥଙ୍କ ଠାରୁ କିଣିଥିବା ୨ କେଜି ୨୦୦ ଗ୍ରାମର ସୁନାକୁ ଜବତ କରିଥିଲା । ଉଭୟଙ୍କୁ ଅଟକ ରଖି ପଚାରାଉଚୁରା କରାଯାଉଥିବା ବେଳେ ଏହି ଘଟଣାରେ ଆଉ କେହି କେହି ସମ୍ପୃକ୍ତ ରହିଛନ୍ତି ଓ ଦାଶରଥ କାହା କାହାକୁ ଏଭଳି ସୁନା ବିକ୍ରି କରୁଥିଲେ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ।

ସୁନା ଦୋକାନରେ ରହିଥିବା ସମସ୍ତ ସୁନାର ସଠିକ୍‌ ବିଲ ରହିଛି। ଲଗାତାର ଭାବେ ଜିଏସଟି ବନ୍ଧା ଯାଉଛି ଓ ତାହାର ସମସ୍ତ ପ୍ରକାରର କାଗଜପତ୍ର ରହିଛି । ପୋଲିସ ଯାହାକୁ ଅଟକ ରଖି ପଚରାଉଚୁରା କରୁଛି ତାହାକୁ ସେ ଜାଣିନଥିବା  ତାହାଠାରୁ ସୁନା କିଣିନାହାଁନ୍ତି ବୋଲି କହିଛନ୍ତି ଆନନ୍ଦ ଜୁଏଲରୀ ଦୋକାନର ମାଲିକ ଆନନ୍ଦ ସୁବୁଦ୍ଧି।

ବାହାର ରାଜ୍ୟରୁ ସୁନାକୁ ଆଣି ବ୍ରହ୍ମପୁର ସହରରେ ଜିଏସଟି ଫାଙ୍କି ସୁନା ବିକ୍ରି କରିବା ନୂଆ କଥା ନୁହେଁ। ତେବେ ବର୍ତ୍ତମାନ ବ୍ରହ୍ମପୁର ପୋଲିସ ପକ୍ଷରୁ ଅଟକ ରହିଥିବା ଦାଶରଥ ସାହୁକାର କେତେ ବର୍ଷ ହେଲା ଏଭଳି ବ୍ରହ୍ମପୁରରେ ସୁନା ବିକ୍ରି କରୁଥିଲେ ଏବଂ କେଉଁ କେଉଁ ସୁନା ବ୍ୟବସାୟୀ ତାଙ୍କ ଠାରୁ ସୁନା କିଣୁଥିଲେ ସେ ନେଇ ଏବେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ।
Published by:Soumyashree Mishra
First published: