News18 Odia Digital
Gold Mines In Odisha: ରାଜ୍ୟର ତିନି ଜିଲ୍ଲାରେ ମାଟି ତଳେ ସୁନା ଥିବାର ସନ୍ଧାନ ମିଳିଛି। ସୁନା ସନ୍ଧାନରେ ଖନନ ପାଇଁ ମଧ୍ଯ କାର୍ଯ୍ଯ ଆରମ୍ଭ ହେବ। ତେବେ କେତେ ସୁନା ରହିଛି ଆଉ କେଉଁଠି କେଉଁଠି ଖନନ କରାଯାଇପାରିବ, ସେ ନେଇ ଅଧିକ ସର୍ଭେ ଚାଲିବ। ତେବେ ମାଟି ତଳେ ସୁନାର ସନ୍ଧାନ ମିଳିବା ପରେ ତିନି ଜିଲ୍ଲାରେ ଜନସାଧାରଣ ଓ ଜନପ୍ରତିନିଧିମାନଙ୍କ ମଧ୍ଯରେ ଉତ୍ସାହ ଖେଳିଯାଇଛି ।
ଦେବଗଡ଼ ଜିଲ୍ଲାରେ ରହିଛି ସୁନାଖଣି। ରିଆମାଳ ବ୍ଲକ ଆଡ଼ସ ପଞ୍ଚାୟତର ମାଟି ତଳେ ୧୬୮୫ କିଲୋ ସୁନା ରହିଥିବା ଜିଓ ଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ-GSI ଓ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ମିଳିତ ଅନୁସନ୍ଧାନରୁ ଜଣାପଡ଼ିଛି । ବର୍ଷ ବର୍ଷ ଧରି ଆଡ଼ସ ପଞ୍ଚାୟତ ଆଡ଼ସ ଗାଁ ସହ ରାମପାଲି, କୁଡ଼ାପଡ଼ା, ହିଲାଙ୍ଗ ଗାଁରେ ସର୍ଭେ କାମ ଜାରି ରହିଛି । ୧୯୮୫ ମସିହାରୁ ଏହି ଅଞ୍ଚଳରେ ସୁନାଖଣି ସର୍ଭେ ଆରମ୍ଭ ହୋଇଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ମଝିରେ ଅନେକ ବର୍ଷ ବନ୍ଦ ରହିବା ପରେ ପୁଣି ୨୦୧୮ରୁ ଲଗାତର ଚାଲିଛି ସର୍ଭେ । ଆଡ଼ସ ଓ ଏହାର ନିକଟସ୍ଥ ସଂରକ୍ଷିତ ଜଙ୍ଗଲର ପ୍ରାୟ ୩୦ରୁ ଅଧିକ ସ୍ଥାନରେ ଡ୍ରିଲ୍ କରାଯାଇ ମାଟି ପରୀକ୍ଷା କରାଯାଉଛି ।
ସେହିଭଳି କେନ୍ଦୁଝର ଜିଲ୍ଲାର ବାଂଶପାଳ ଓ ତେଲକୋଇ ବ୍ଲକରେ ସୁନାଖଣିର ସନ୍ଧାନ ମିଳିିଛି। ବାଂଶପାଳ ବ୍ଲକର ଗୋପୁର, ଗାଜିପୁର ଓ ତେଲକୋଇ ବ୍ଲକର ସଲେଇକେନା, ଡିମିରିମୁଣ୍ଡା ଓ କରଦାଙ୍ଗୀ ଗାଁର ମାଟିତଳେ ସୁନା ଥିବା ଅନୁମାନ କରାଯାଉଛି । ଗୋପୁର ଓ ଗାଜିପୁରଠାରେ ୭୦ ଦଶକରୁ ସୁନାଖଣି ସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ଷକ ତଳେ ଏହି ଦୁଇ ସ୍ଥାନରୁ ସୁନାବାହୀ ପଥରର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସେହିପରି ତେଲକୋଇ ବ୍ଲକର ସଲେଇକେନା, ଡିମିରିମୁଣ୍ଡା ଓ କରଦାଙ୍ଗୀ ଅଞ୍ଚଳରେ ସୁନା ଖଣି ସନ୍ଧାନରରେ ଖନନ କାର୍ଯ୍ୟ ପ୍ରାଥମିକ ପର୍ଯ୍ୟାୟରେ ଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।
ତିନି ଜିଲ୍ଲାରେ ସୁନାର ସନ୍ଧାନ । ଖନନ ହେବା ପରେ ଜଣାପଡ଼ିବ ମାଟି ତଳେ କେତେ ପରିମାଣର ରହିଛି ସୁନା । ସୁନାର ସନ୍ଧାନ ପରେ ଏହି କିପରି ଖୋଳାଯିବ କେଉଁଠି ଖୋଳାଯିବ, ଏହା ଫଳରେ ପାରିପାର୍ଶ୍ୱିକ ସ୍ଥିତି ଉପରେ କଣ ପ୍ରଭାବ ରହିବେ ସେ ନେଇ ଲୋକମାନଙ୍କ ଭିତରେ ଉତ୍କଣ୍ଠା ଖେଳିଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।