News 18 Odia Digital
ବ୍ରହ୍ମପୁର: ଛେଳି ଚୋରିକୁ (goat theft) ନେଇ ଥାନାରେ ଏତଲା । ଚୋରି ହୋଇଥିବା ଛେଳିର ଦୁଇଟି ଛୁଆ ଅଛନ୍ତି । ତେବେ ଛୁଆ ପାଖରୁ ମାଆକୁ କେହି ଚୋରି କରି ନେଇଯାଇଥିବା ଅଭିଯୋଗ ଆସିଛି ଗୋପାଳପୁର ଥାନା ଅଞ୍ଚଳରୁ । ମାଆ ଛେଳିକୁ କେହି ଚୋରି କରି ନେବା ପରେ ଦୁଇ ଛୁଆ ଛେଳି ଏବେ ନିସହାୟ ହୋଇପଡ଼ିଛନ୍ତି । ଛେଳି ମାଲିକ ମାଆ ଛେଳିକୁ ଖୋଜି ଖୋଜି ଶେଷରେ ଗୋପାଳପୁର ଥାନାରେ (gopalpur police station) ପହଞ୍ଚି ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ (investigation) ଆରମ୍ଭ କରିଛି ପୋଲିସ ।
ନିକଟରେ ଛତ୍ରପୁରରେ ବିଲେଇକୁ ନେଇ ଥାନାରେ ମାମଲା ପରେ ଏବେ ଛେଳିକୁ ନେଇ ଗୋପାଳପୁର ଥାନାରେ ମାମଲା ହୋଇଥିବାରୁ ଚର୍ଚ୍ଚା ଜୋର ଧରିଛି । ଗୋପାଳପୁରର ଜି କାଲାମା ଛେଳି ପାଳନ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । କାଲାମାଙ୍କ ଗୋଟିଏ ମାଆ ଛେଳି ଓ ଦୁଇଟି ଛୁଆ ଛେଳି ରହିଥିଲା । ଗତ ୧୯ ତାରିଖ ରାତିରେ କାଲାମା ନିଜ ବାରଣ୍ଡାରେ ଛେଳି ଗୁଡ଼ିକୁ ବାନ୍ଧି ଘର ଭିତରେ ଶୋଇଥିଲେ । କିନ୍ତୁ ସକାଳୁ ଉଠି ଦେଖିଲା ବେଳକୁ ଦୁଇଟି ଛୁଆ ଛେଳି ରହିଥିବା ବେଳେ ମାଆ ଛେଳିକୁ କେହି ଚୋରି କରି ନେଇଥିଲା । ‘‘ଛେଳିକୁ ଖୋଜିବା ନିମନ୍ତେ ସେ ଗାଁସାରା ବୁଲିଥିବା ବେଳେ ଛେଳିକୁ ପାଇପାରିନଥିଲେ । ଯାହାଫଳରେ ବାଧ୍ୟ ହୋଇ କାଲାମା ଛେଳି ଚୋରି ହୋଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ଛେଳି ଚୋରି ହୋଇଥିବା ଯୋଗୁଁ ପିଲା ଛୁଆ ଦୁଇଟି କୌଣସି ଖାଦ୍ୟ ଓ ପାନୀୟ ଗ୍ରହଣ କରୁନାହାଁନ୍ତି । ଛୁଆ ଛେଳି ଦୁଇଟି ନିଜ ମାଆକୁ ଝୁରି କାନ୍ଦୁଥିବା ବେଳେ ଏହାକୁ ଦେଖି ଭାରି ଦୁଃଖ ଲାଗୁଥିବା କହିଛନ୍ତି,‘‘ କାଲାମାଙ୍କ ଝିଅ ଆଙ୍କାମା ।
‘‘ଗତ କିଛି ବର୍ଷ ହେବ କାଲାମା ଛେଳି ରଖି ପାଳୁଥିବାବେଳେ ଗତ ଦେଢ଼ ମାସ ହେବ ମାଆ ଛେଳିଟି ଦୁଇଟି ପିଲାଙ୍କୁ ଜନ୍ମ ଦେଇଥିଲା । ଦୁଇ ପିଲା ଛେଳି ନିଜ ମାଆ ସହିତ ଚରି ବୁଲି ଖାଦ୍ୟ ଖାଇବା ଶିଖୁଥିଲେ । ସନ୍ଧ୍ୟା ସମୟରେ ପୁଣି ଘରକୁ ଫେରୁଥିଲେ । ଗତ ୫ ଦିନ ହେଲା ମାଆ ଛେଳି ଚୋରି ହୋଇଥିବା ଯୋଗୁଁ ପିଲା ଛେଳି ଗୁଡ଼ିକ ମାଆକୁ ମନେପକାଉଛନ୍ତି । ଆଉ ଏଭଳି ପିଲା ଛେଳିକୁ ଦେଖି ନିଜକୁ କାନ୍ଦ ଲାଗୁଥିବା କହିଛନ୍ତି,‘‘ କାଲାମାଙ୍କ ପୋଡ଼ଶୀ ଲକ୍ଷ୍ମୀ ।
ଗୋପାଳପୁର ଅଞ୍ଚଳରେ ଅନେକ ମତ୍ସ୍ୟଜୀବୀ ପରିବାର ରହୁଥିବା ବେଳେ ଅଧିକାଂଶ ଲୋକେ ଛେଳି ପାଳନ କରିଥାନ୍ତି । ଛେଳି ପାଳନ କରି ନିଜର ପରିବାର ପ୍ରତିପୋଷଣ ମଧ୍ୟ କରୁଛନ୍ତି । ଛେଳିକୁ ରଖିବା ନିମନ୍ତେ ସ୍ୱତନ୍ତ୍ର ଗୁହାଳ ନଥିବା ଯୋଗୁଁ ଛେଳି ଗୁଡ଼ିକୁ ସେଭଳି ବାହାରେ ରଖିଥାନ୍ତି । ଯାହାଫଳରେ ଏଭଳି ଛେଳି ଚୋରି ହେଉଛି । ତେବେ ଗତ କିଛି ମାସ ହେଲା ଗୋପାଳପୁର ଅଞ୍ଚଳରେ ଛେଳି ଚୋରି ହେଉଥିବା ନଜର ରହିଥିଲା । କିନ୍ତୁ ଏହା ପୂର୍ବରୁ କେହି ମଧ୍ୟ ଛେଳି ଚୋରିକୁ ନେଇ ଥାନାରେ ଅଭିଯୋଗ ଆଣିନଥିଲେ ।
ଏହି ଖବର ପଢ଼ନ୍ତୁ -
http://ITR ତଥ୍ୟ ଲିକ୍ ମାମଲାରେ ସାଙ୍ଘାତିକ ସତ: ପାକିସ୍ତାନ ଯୁବତୀଙ୍କୁ ଦେଉଥିଲେ ତଥ୍ୟ !‘‘କାଲାମାଙ୍କ ଛେଳି ଚୋରି ହୋଇଥିବା ନେଇ ପୋଲିସ ଅଭିଯୋଗ ପାଇବା ପରେ ଏନେଇ ମାମଲା ରୁଜୁ କରାଯାଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । କାଲାମାଙ୍କ ଘର ନିକଟରେ ଓ ନିକଟସ୍ଥ ସାହିରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଥିଲା । ସିସିଟିଭିରେ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ଛେଳି ଚୋରି କରି ନେଇଥିବାର ଚିତ୍ର ସ୍ପଷ୍ଟ ହୋଇଛି । ଦୁଇ ଜଣଙ୍କୁ ଚିହ୍ନଟ ମଧ୍ୟ କରାଯାଇଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି,‘‘ ଗୋପାଳପୁର ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାସ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।