News18 Odia Digital
କଟକ: ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ଟାଟା ପାୱାର ପଶ୍ଚିମ ଓଡ଼ିଶା ବିଦ୍ୟୁତ ଯୋଗାଣ ବିଭାଗର ପରିଚାଳକ ସନ୍ତୋଷ କୁମାର ଦର୍ଜି। ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ବିଭାଗ ଗୁରୁବାର ଦିନ ସନ୍ତୋଷଙ୍କର ବିଭିନ୍ନ ଠିକଣା ଉପରେ ଅଚାନକ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ସନ୍ତୋଷ କୁମାର ଦର୍ଜିଙ୍କ ବିପୁଳ ପରିମାଣର ସମ୍ପତି ବାବଦରେ ଭିଜିଲାନ୍ସ ଜାଣିବା ପାଇଛି ଭିଜିଲାନ୍ସ।
ସନ୍ତୋଷଙ୍କ ସମ୍ପତତ୍ତି ମଧ୍ୟରେ ରହିଛି ସମ୍ବଲପୁର ଓ ରାୟପୁର ଠାରେ ଥିବା ଦୁଇଟି ବିଶାଳ ଦୁଇ ମହଲା ବିଶିଷ୍ଟ କୋଠା, ଅଇଁଠାପାଲି ଠାରେ ଥିବା ଦୁଇଟି ବହୁମୂଲ୍ୟ ପ୍ଲଟ୍, ଦୁଇଟି ଚାରି ଚକିଆ ଯାନ ଓ ଦୁଇଟି ଦୁଇ ଚକିଆ ଯାନ। ୧ କୋଟି ୨୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବିମା ଡିପୋଜିଟ୍ ଓ ଦୁଇଟି ବ୍ୟାଙ୍କରେ ଥିବା ଦୁଇଟି ଲକର ରହିଛି। ଏହା ବ୍ୟତୀତ ତାଙ୍କ ପାଖରୁ ୭ ଲକ୍ଷ ୨୦ ହଜାର ନଗଦ ଟଙ୍କା ମଧ୍ୟ ଜବତ ହୋଇଛି।
ଭିଜିଲାନ୍ସର ପ୍ରାଥମିକ ଆକଳନରୁ ସନ୍ତେଷ କୁମାର ଦର୍ଜିଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩ କୋଟି ୨୦ ଲକ୍ଷ ଟଙ୍କା ହେବ। ତେବେ ତଦନ୍ତ ଜାରି ରହିଥିବାରୁ ସନ୍ତେଷ କୁମାରଙ୍କ ସମ୍ପତ୍ତିର ପରିମାଣ ଆହୁରି ବଢ଼ି ପାରେ ବୋଲି ଭିଜିଲାନ୍ସ ବିଭାଗ ଆଶଙ୍କା କରିଛି। ଏହା ସହିତ ସନ୍ତୋଷଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ବିଭାଗ। ଏତେ ଟଙ୍କାର ସମ୍ପତ୍ତିର ମୂଳ ଉତ୍ସ ବାବଦରେ ସନ୍ତୋଷ ଭିଜିଲାନ୍ସ ବିଭାଗରୁ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବା ଜଣା ପଡ଼ିଛି।
ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର ଭୋରୁ ଏହି ଚଢ଼ାଉ ଆରମ୍ଭ ହୋଇଥିଲା। ସମ୍ବଲପୁର ପ୍ରଧାନପଡ଼ା ସ୍ଥିତ ସନ୍ତୋଷଙ୍କ ବାସଭବନ ସହିତ ବୁର୍ଲାରେ ଥିବା ତାଙ୍କର କାର୍ଯ୍ୟାଳୟ ଓ ବରଗଡ଼ ଅତାବିରା ଠାରେ ଥିବା ପୈତୃକ ଭାସଭବନରେ ଏକ କାଳିନ ଚଢ଼ାଉ ହୋଇଥିଲା। ଭିଜିଲାନ୍ସ ବିଭାଗର ଜଣେ ଡିଏସପିଙ୍କ ନେତୃତ୍ବର ହୋଇଥିବା ଏହି ଚଢ଼ାଉରେ ୬ ଜଣ ଇନିସପେକ୍ଟର ଓ ଦୁଇ ଜଣ ଏଏସଆଇ ସାମିଲ ଥିଲେ।
ସେପଟେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲା ଦୁଇ ଦିନ ତଳେ ଭିଜିଲାନ୍ସ ଚଢ଼ାଉର ସମ୍ମୁଖିନ ହୋଇଥିବା ବ୍ରହ୍ମପୁରର ରୁରାଲ୍ ୱାର୍କ୍ସର ଇଲେକ୍ଟ୍ରିକାଲ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କୁ ଗୁରୁବାର ଦିନ ଗିରଫ କରିଛ ବିଭାଗ। ଜଗନ୍ନାଥଙ୍କ ମାଲିକାନାରୁ ମୋଟ ୭ କୋଟି ଟଙ୍କାର ସମ୍ପତ୍ତି ମିଳିବା ସହ ଏହା ତାଙ୍କର ମୂଳ ରୋଜଗାରର ୩୬୦%ରୁ ଅଧିକ ବୋଲି ଦର୍ଶାଇଛି ଭିଜିଲାନ୍ସ ବିଭାଗ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।