News18 Odia Digital
କଟକ: ନକଲି ଔଷଧ କାରବାର ଘଟଣାରେ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ସାମ୍ନାକୁ ଆସିଲା ସାଙ୍ଘାତିତ ସତ। କଟକର ଦୁଇ ଷ୍ଟକିଷ୍ଟଙ୍କ ଜରିଆରେ କାରବାର ହୋଇଥିବା ଔଷଧ ଗୁଡ଼ିକ ତା'ର ନୁହେଁ ବୋଲି ସ୍ପଷ୍ଟ କଲା ପ୍ରତିଷ୍ଠିତ ଔଷଧ ଉତ୍ପାଦନ କମ୍ପାନୀ "ଗ୍ଲେନମାର୍କ ଫାର୍ମା"।
"ଗ୍ଲେନମାର୍କ ଫାର୍ମା" କମ୍ପାନୀ ପାଖରୁ ଉତ୍ତର ପାଇବା ପରେ ଜବତ ହୋଇଥିବା ଔଷଧଗୁଡ଼ିକର ଯେ ନକଲି ସ୍ପଷ୍ଟ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ। ତେବେ ଏହି ନକଲି ଔଷଧ କେଉଁ କେଉଁ ଉପାଦାନରେ ପ୍ରସ୍ତୁତ ହୋଇଛି ଓ ଏଥିରେ କିଛି କ୍ଷତିକାରକ ରାସାୟନିକ ରହିଛି ବା ନାହିଁ ତାହା ଜାଣିବା ଲ୍ୟାବର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଏହି ରିପୋର୍ଟ ସୋମବାର ସୁଦ୍ଧା ହସ୍ତଗତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସେପଟେ "ଗ୍ଲେନମାର୍କ ଫାର୍ମା" ବ୍ରାଣ୍ଡରେ ବିକ୍ରି ହେଉଥିବା ଔଷଧ ଗୁଡ଼ିକ ନକଲି ଜଣା ପଡ଼ିବା ପରେ ଏହି ଔଷଧକୁ କାରବାର କରିଥିବା କଟକ ମାଣିକଘୋଷ ବଜାର ଠାରେ ଥିବା ଦୁଇଟି ଷ୍ଟକିଷ୍ଟ ଭି.ଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇସକୁ କଳା ତାଲିକା ଭୁକ୍ତ କରିବା ସହ ଏହି ଦୁଇ ଷ୍ଟକିଷ୍ଟଙ୍କ ବିରୁଦ୍ଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛି ଡ୍ରଗ କଣ୍ଟ୍ରୋଲ ବିଭାଗ। ଥାନାରେ ଦାୟର ହୋଇଥିବା ଏତଲାରେ ସମ୍ପୃକ୍ତ ଦୁଇଟି ଯାକ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ନିବେଦନ କରିଛି ବିଭାଗ।
ଡ୍ରଗ କଣ୍ଟ୍ରୋଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନ୍ୟୁଜ୧୮ ଓଡ଼ିଆ ଡିଜିଟାଲକୁ ସୂଚନା ଦେବାକୁ ଯାଇ କହିଛନ୍ତି, "ଏହି ଦୁଇ ଷ୍ଟକିଷ୍ଟଙ୍କ ଜରିଆରେ ବିକ୍ରି ହୋଇଥିବା ଔଷଧରେ ଏକ ପ୍ରତିଷ୍ଠିତ କମ୍ପାନୀର ନାଁକୁ ଜାଲ କରାଯାଇଛି। ଏହା ସହ ନକଲି ବ୍ୟାଚ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି। ସେଥିପାଇଁ ଡ୍ରଗ ଆଣ୍ଡ କସମେଟିକ ଆଇନ ଆଧାରରେ ଏହି ଦୁଇ ଷ୍ଟକିଷ୍ଟ ବିରୁଦ୍ଧରେ କୋର୍ଟରେ ଏକ ମାମଲା ଦାୟର କରିବା ସହ ଏହି ଦୁଇ ବ୍ୟବସାୟୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ମଧ୍ୟ ଆମେ ପୋଲିସକୁ ଅବଗତ କରାଇଛୁ।’’
ଜଣାଶୁଣା ତଥା ପ୍ରତିଷ୍ଠିତ ଔଷଧ ପ୍ରସ୍ତୁତକାରୀ କମ୍ପାନୀ "ଗ୍ଲେନମାର୍କ ଫାର୍ମ"ର ରକ୍ତ ଚାପ ରୋଗ ପାଇଁ ଉଦିଷ୍ଟ ଟେଲମା ୪୦, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନୋଟି ଔଷଧକୁ ନକଲି କରି ବିକ୍ରି କରାଯାଉଥିଲା। ଏହା ଜଣା ପଡ଼ିବା ପରେ ଡ୍ରଗ କଣ୍ଟ୍ରେଲ ବିଭାଗ ତଦନ୍ତ କରିଥିଲା। ତଦନ୍ତରୁ କଟକ ମାଣିକଘୋଷ ବଜାର ଠାରେ ଥିବା ଦୁଇଟି ଷ୍ଟକିଷ୍ଟ ଭି.ଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇସ୍ ଜରିଆରେ ମୋଟ ୫୦ ଲକ୍ଷ ଟଙ୍କା ଔଷଧକୁ ବିକ୍ରି ପାଇଁ ପଠାଯାଇଥିବା ଜଣା ପଡ଼ିଥିଲା।
ସେଥିମଧ୍ୟରୁ ଓଡ଼ିଶା ବଜାରକୁ ପ୍ରାୟ ୩୦ ଲକ୍ଷ ଟଙ୍କାର ଔଷଧ ବିକ୍ରି ପାଇଁ ଛଡ଼ାଯାଇଥିବା ବେଳେ ୨୦ ଲକ୍ଷ ଟଙ୍କାର ଔଷଧକୁ ଗୁଜୁରାଟ ଓ ପଶ୍ଚିମବଙ୍ଗର ବିଭିନ୍ନ ବ୍ୟବସାୟୀ ମାନଙ୍କ ପାଖକୁ ପଠାଯାଇଥିଲା। ତେବେ ନକଲି ବୋଲି ସନ୍ଦେହ ହେବା ପରେ ଓଡ଼ିଶା ଡ୍ରଗ କଣ୍ଟ୍ରେଲ ବିଭାଗ ରାଜ୍ୟ ଭିତରେ କାରବାର ହୋଇଥିବା ୩୦ ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରକୁ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଗୁଜୁରାଟ ଓ ପଶ୍ଚିମବଙ୍ଗର ଡ୍ରଗ କଣ୍ଟ୍ରୋଲ ବିଭାଗକୁ ଏନେଇ ଅବଗତ ମଧ୍ୟ କରିଛି ଓଡ଼ିଶା ଡ୍ରଗ କଣ୍ଟ୍ରୋଲ ବିଭାଗ।
୪ ଦିନ ତଳେ ସଂଗୃହିତ ହୋଇଥିବା ଏହି ଔଷଧର ସତ୍ୟାସତ୍ୟ ଜାଣିବା ପାଇଁ ଓଡ଼ିଶା ଡ୍ରଗ କଣ୍ଟ୍ରୋଲ ବିଭାଗ "ଗ୍ଲେନମାର୍କ ଫାର୍ମା"କୁ ଏହାର ନମୁନା ପଠାଇଥିବା ବେଳେ ଔଷଧକୁ ପରୀକ୍ଷା ପାଇଁ ଏହାର ନମୁନାକୁ ଲ୍ୟାବକୁ ମଧ୍ୟ ପଠାଇଥିଲା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।