ଫ୍ୟାସନ ଡିଜାଇନର ସେ ଛାତ୍ରୀ, କିନ୍ତୁ ବନ୍ଧୁକ ଆଉ ବିଳାସୀ ଜୀବନ ପ୍ରତି ତାଙ୍କର ପ୍ରବଳ ଦୁର୍ବଳତା

ଏହି ବିସ୍ମୟକର ‘‘ଗୁଳି କାଣ୍ଡ’’ରେ ଆହତ ହୋଇ ଚ଼ିକିତ୍ସାଧୀନ ଥିବା ଛାତ୍ରୀଙ୍କ ଜୀବନ ଶୈଳୀ ଓ ତାଙ୍କ ବନ୍ଧୁମାନଙ୍କ ତାଲିକା ଦେଖି କମିଶନରେଟ୍ ପୋଲିସର ତଦନ୍ତ ଟିମ୍ ଚ଼କିତ ହୋଇଛି । ତାଙ୍କର ଅପରାଧୀ ପୁରୁଷ ବନ୍ଧୁ ଆଶିଷ ନାୟକର ସେହି ରିଭଲଭରଟିକୁ ଖୋଜା ଚ଼ାଲିଛି ।

ଫ୍ୟାସନ ଡିଜାଇନର ସେ ଛାତ୍ରୀ, କିନ୍ତୁ ବନ୍ଧୁକ ଆଉ ବିଳାସୀ ଜୀବନ ପ୍ରତି ତାଙ୍କର ପ୍ରବଳ ଦୁର୍ବଳତା
ଅପରାଧୀ ଆଶିଷ ଓ ଫ୍ୟାସନ୍‌ ଡିଜାଇନ୍‌ର ସେ ଛାତ୍ରୀ
  • News18 Odia
  • Last Updated: February 11, 2020, 11:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନିଜ ଅପରାଧୀ ପୁରୁଷ ବନ୍ଧୁଙ୍କ ରିଭଲଭରଟିକୁ କୌତୁହଳରେ ହାତରେ ଧରି ଦେଖୁ ଦେଖୁ ସେଥିରୁ ଅଚ଼ାନକ ଗୁଳି ଫୁଟି ଆହତ ହୋଇଥିବା ଫ୍ୟାସନ୍‌ ଡିଜାଇନର ଛାତ୍ରୀଙ୍କର ବନ୍ଧୁକ ପ୍ରତି ଥିଲା ଅହେତୁକ ଆଗ୍ରହ । ତା’ ସହିତ ଥିଲା ହାଇ ସୋସାଇଟି ଓ ଲଗଜରିଅସ୍‌ ଲାଇଫ୍ ଷ୍ଟାଇଲ୍‌ ମେଣ୍ଟେନ୍‌ କରିବାର ଶଉକ୍‌ ଓ ବିଳାସର ଭୋକ।

ଏହି ବିସ୍ମୟକର ‘‘ଗୁଳି କାଣ୍ଡ’’ରେ ସୋମବାର ଆହତ ହୋଇ ଏବେ ଚ଼ିକିତ୍ସାଧୀନ ଥିବା ଛାତ୍ରୀ ଜଣଙ୍କ ଜୀବନ ଶୈଳୀ ଓ ତାଙ୍କ ବନ୍ଧୁମାନଙ୍କ ତାଲିକା ଦେଖି କମିଶନରେଟ୍‌ ପୋଲିସର ତଦନ୍ତ ଟିମ୍‌ ଚ଼କିତ ହୋଇଛି । ତାଙ୍କର ଅପରାଧୀ ପୁରୁଷ ବନ୍ଧୁ ଆଶିଷ ନାୟକଙ୍କ ରିଭଲଭରରୁ ଗୁଳି ଫୁଟିଥିଲା । ଆଶିଷ ଗିରଫ ହୋଇଛିନ୍ତି । ତାଙ୍କ ସହ ମାତ୍ର ତିନି ମାସ ତଳେ ସମ୍ପର୍କ ହେବା ପର ଠାରୁ ଏହି ଛାତ୍ରୀ ତାଙ୍କ ସହ ଭୁବନେଶ୍ୱରର ବିଭିନ୍ନ କ୍ଲବକୁ ଓ ତାରକା ହୋଟେଲକୁ ଯାଇ ଲଞ୍ଚ ଓ ଡିନର କରୁଥିଲେ ଓ ସେଠି ମଦ୍ୟ ପାନ କରିବା ସହ ନୃତ୍ୟ ବି କରୁଥିଲେ ବୋଲି ଜାଣିପାରିଛି ତଦନ୍ତକାରୀ ଦଳ ।

ପଚ଼ରାଉଚ଼ରା ବେଳେ ଗୁଳି ମାଡ଼ରେ ଆହତ ଏହି ଛାତ୍ରୀଙ୍କ ଠାରୁ ପୋଲିସକୁ ମିଳିଛି ଗିରଫ ୨୩ ବର୍ଷୀୟ ଆଶିଷ ନାୟକ ବିଷୟରେ ଅନେକ ତଥ୍ୟ । ଆଶିଷ ସହିତ ଚ଼ନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ କ୍ଲବରେ ପ୍ରଥମ ଦେଖା ହୋଇଥିଲା ତାଙ୍କର । ଆଶିଷର ଘର ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ପଞ୍ଚପଲ୍ଲୀ ଗାଁରେ । ଗତ ପାଞ୍ଚ ବର୍ଷ ହେଲା ସେ ଭୁବନେଶ୍ବରରେ ରହୁଛି ।

‘‘ତା’ ନାଁରେ ନୟାପଲ୍ଲୀ ଅଞ୍ଚଳରେ ହୋଇଥିବା ଏକ ବୋମାମାଡ଼ କେସ୍ ସମେତ ଅନ୍ୟ କେତେକ ଆପରାଧିକ ମାମଲା ରହିଛି । ଏବେ ଆମେ ବିଭିନ୍ନ ଲୁଟ୍‌ ଓ ଛିନତାଇ ଘଟଣାରେ ତା’ର ସମ୍ପୃକ୍ତି ବିଷୟରେ ବି ଖୋଳତାଡ଼ କରୁଛୁ,’’ କହିଛନ୍ତି ତଦନ୍ତର ପ୍ରଗତି ବିଷୟରେ ଜାଣିଥିବା ଜଣେ ପୋଲିସ ଅଧିକାରୀ ।

ବାଲେଶ୍ୱର ସହରର ସୁନହଟର ବାସିନ୍ଦା ଏହି ଛାତ୍ରୀ ଏନ୍‌.ଆଇ.ଏଫ୍‌.ଡି. (NIFD)ରେ ପଢ଼ୁଛନ୍ତି । ତାଙ୍କ ପିତା ଜଣେ ବଡ଼ ଚ଼ିଙ୍ଗୁଡ଼ି ବ୍ୟବସାୟୀ । ଛାତ୍ରୀ ଜଣକ ସୋମବାର ଦିନ ଆଶିଷର ଘରକୁ ଆସିଥିଲେ ଓ ସେଠି ଦ୍ୱିପହରେ ତା’ ସହ ସମୟ ବିତାଉଥିବା ବେଳେ ଏହି ଗୁଳି କାଣ୍ଡ ଘଟିଥିଲା । ଆଶିଷର ସେ ଘରେ ଅନେକ ମଦ ବୋତଲ ଥିବା ପୋଲିସ ଓ ସାମ୍ବାଦିକମାନେ ଦେଖିବାକୁ ପାଇଥିଲେ ।

ମଙ୍ଗଳବାର ସନ୍ଧ୍ୟାରେ ଆଶିଷ ନାୟକକୁ କୋର୍ଟ ଚ଼ାଲାଣ କରିଛି ପୋଲିସ । ତା’ ବିରୋଧରେ  ପୋଲିସ ଲଗାଇଛି ଭାରତୀୟ ପିଙ୍ଗଳ କୋଡ଼ର ଦଫା ୩୦୭ (ହତ୍ୟା ଉଦ୍ୟମ) ଓ ଚ଼ୋରା ବନ୍ଧୁକ ରଖିଥିବାରୁ ଆର୍ମସ ଆକ୍ଟର ଦଫା ୨୫ ଓ ୨୭ରେ ଏକ ମାମଲା  ।

ଆଶିଷ ପାଖରେ ଥିବା ସେହି ରିଭଲଭରଟି ମେଡ୍‌ ଇନ୍‌ ଜାପାନ୍‌ ବୋଲି ଜଣାପଡିଛି । ସେଥିରେ ଛଅ ରାଉଣ୍ଡ ଗୁଳି ଥିବା ବେଳେ ଗୋଟେ ରାଉଣ୍ଡ ଗୁଳି ଏହି କଥିତ ଦୁର୍ଘଟଣା ବେଳେ ଫୁଟିଯାଇଥିଲା ।  କିନ୍ତୁ ଏ ପର୍ଯ୍ୟନ୍ତ ଗୁଳି ଫୁଟିଥିବା ସେହି ରିଭଲଭରର ସନ୍ଧାନ ମିଳିନି । ମଙ୍ଗଳବାର ସକାଳେ ଆଶିଷର ବନ୍ଧୁ ରାକେଶ ତରାଇ (୨୨)କୁ ନେଇ ପୋଲିସ ରଘୁନାଥପୁର ପୋଲ ତଳକୁ ଯାଇଥିଲା । ସେଠାରେ ଘଣ୍ଟେ ଧରି ପୋଲିସ ବନ୍ଧୁକ ଖୋଜାଖୋଜି କରିଥିଲା । ହେଲେ ବନ୍ଧୁକ ମିଳିନଥିଲା ।

ସନ୍ଦେହ କରାଯାଉଛି ଯେ ଗୁଳିକାଣ୍ଡ ପରେ ପ୍ରମାଣ ନଷ୍ଟ କରିବାକୁ ବନ୍ଧୁକଟିକୁ ଆଶିଷର କେଉଁ ସହଯୋଗୀ ପାଖରେ ଲୁଚାଇ ରଖିଛି ରାକେଶ, ଆଉ ପୋଲିସକୁ ଭୁଆଁ ବୁଲାଇବାକୁ ପୋଲ ତଳେ ଫିଙ୍ଗିଦେଇଥିବାର ନାଟକ ରଚ଼ିଥିଲା ସେ । ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ରାକେଶକୁ ବି ଇନଫୋସିଟି ଥାନା ପୋଲିସ ଗିରଫ କରିଛି ।

ଗୁଳିକାଣ୍ଡର ୨୪ ଘଣ୍ଟା ପରେ ଫ୍ୟାସନ ଡିଜାଇନର ଛାତ୍ରୀ ସୁସ୍ଥ ହୋଇଛନ୍ତି । ମଙ୍ଗଳବାର ଅପରାହ୍ଣରେ ଇନଫୋସିଟି ଥାନା ପୋଲିସ କଳିଙ୍ଗ ହସ୍ପିଟାଲ ଯାଇ ତାଙ୍କ ବୟାନ ରେକର୍ଡ କରିଛି । କେମିତି ଜଙ୍ଘରେ ଫୁଟିଲା ଗୁଳି? କାହା ହାତରେ ଥିଲା ବନ୍ଧୁକ? ବନ୍ଧୁକରେ ଗୁଳି ଥିବା କଥା ସେ ଓ ଆଶିଷ ଜାଣିଥିଲେ କି ନାହିଁ? ବୟାନ ରେକର୍ଡ ବେଳେ ଏ ସବୁ ପ୍ରଶ୍ନର ଉତ୍ତର ଖୋଜିଛି ପୋଲିସ ।
First published: February 11, 2020, 11:25 PM IST