ନାବାଳିକାଙ୍କୁ ସ୍କୁଲରେ ରାଗିଂ ଅଭିଯୋଗ; ସହ୍ୟ କରିନପାରି ଆତ୍ମହତ୍ୟା କଲେ ଛାତ୍ରୀ

ନାବାଳିକା ଛାତ୍ରୀଙ୍କୁ ସ୍କୁଲରେ ରାଗିଂ ଅଭିଯୋଗ। ରାଗିଂକୁ ସହ୍ୟ କରିନପାରି ଆତ୍ମହତ୍ୟା କଲେ ଛାତ୍ରୀ। ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ପରେ ପୋଲିସର ଆରମ୍ଭ କଲା ତଦନ୍ତ।

ରାଗିଂକୁ ସହ୍ୟ କରିନପାରି ଆତ୍ମହତ୍ୟା କଲେ ଛାତ୍ରୀ

ରାଗିଂକୁ ସହ୍ୟ କରିନପାରି ଆତ୍ମହତ୍ୟା କଲେ ଛାତ୍ରୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଦି ମଦର ଇଣ୍ଟରନ୍ୟାସନାଲ ହାୟର ସେକେଣ୍ଡାରୀ ସ୍କୁଲର ଜଣେ ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ନାବାଳିକା ଛାତ୍ରୀ ଜଣକ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି।

ଗତକାଲି ଅପରାହ୍ନରେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସୋମବାର ପଞ୍ଚନାମା କରାଯିବା ପରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା।

ସେପଟେ ନାବାଳିକା ଝିଅର ଏଭଳି ଆତ୍ମହତ୍ୟା କରିଥିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାରେ ଲୋକେ। ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ସ୍କୁଲ କର୍ତ୍ତୃପକଙ୍କ ହାତ ରହିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି।

ବ୍ରହ୍ମପୁରରେ ଚାଞ୍ଚଲ୍ୟକର ଘଟଣା। ଜଣେ ନାବାଳିକା ଝିଅକୁ ରେଗିଂ ଅଭିଯୋଗ। ରେଗିଂକୁ ସହ୍ୟ ନ କରିପାରି ଶେଷରେ ନାବାଳିକା ଝିଅ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲା ପରିବାର। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଜାତୀୟ ରାଜପଥରେ ରହିଥିବା ଦି ମଦର ଇଣ୍ଟରନ୍ୟାସନାଲ ହାୟର ସେକେଣ୍ଡାରୀ ସ୍କୁଲରୁ।

ମୃତକ ଜଣକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଚାପଡ଼ା ଗାଁର ଦିତିଲତା ଦାସ। ସେ ଏହି ସ୍କୁଲରେ ଗତ ଦେଢ଼ ବର୍ଷ ହେଲା ହଷ୍ଟେଲରେ ରହି ପାଠପଢ଼ୁଥିଲେ। ଦିତିଲତା ଯୁକ୍ତଦୁଇ ବିଜ୍ଞାନର ଦ୍ବିତୀୟ ବର୍ଷ ଛାତ୍ରୀ ଥିଲେ।

ଗତକାଲି ଦିତିଲତା ସବୁ ଦିନ ଭଳି କ୍ଲାସ କରିବା ପରେ ଅପରାହ୍ନରେ ହଷ୍ଟେଲ ରୁମକୁ ଯାଇଥିଲେ। ପରେ ବେକରେ ନିଜର ଚୁନି ବାନ୍ଧି ଆତ୍ମହତ୍ୟା କରିଥିଲେ। କିଛି ସମୟରେ ତାଙ୍କ ସହପାଠୀ ଏନେଇ ଦେଖିବା ପରେ ତାଙ୍କୁ ଉଦ୍ଧାର କରିଥିଲେ। ଦିତିଲତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ଦିତିଲତାଙ୍କୁ ମେଡ଼ିକାଲରେ ମୃତ ଘୋଷଣା କରିଥିଲେ। ଗତକାଲି ମୃତ ନାବାଳିକା ଜଣକ ୧୨.୩୦ ବେଳେ ନିଜ ମା'ଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ କିଭଳି ଆତ୍ମହତ୍ୟା କଲେ ସେ ନେଇ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି।

‘‘ଝିଅ ଆତ୍ମହତ୍ୟା କରିବା ପରେ ମଧ୍ୟ ସ୍କୁଲ ପକ୍ଷରୁ ଆମକୁ ଏନେଇ ସୂଚନା ଦିଆଯାଇନଥିଲା। କେବଳ ଝିଅଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଜଣାଇଥିଲେ। କିନ୍ତୁ ମେଡ଼ିକାଲକୁ ଆସିବା ସମୟରେ ଆମେ ଜାଣିବାକୁ ପାଇଥିଲେ ଯେ ଆତ୍ମହତ୍ୟା ଯୋଗୁଁ ଆମ ଝିଅର ମୃତ୍ୟୁ ହୋଇଛି। ପରବର୍ତ୍ତୀ ସମୟରେ ମଧ୍ୟ ସମ୍ପୃକ୍ତ ସ୍କୁଲ ପକ୍ଷରୁ କିଭଳି ଆତ୍ମହତ୍ୟା କରିଥିଲା ଏବଂ କେଉଁ କାରଣକୁ ନେଇ ପରିବାର ଲୋକଙ୍କୁ ସେମାନେ ଜଣାଇନଥିଲେ ସେ ନେଇ କୌଣସି ସୂଚନା ଦେଇଥିଲେ। ଏହାଛଡ଼ା ପୂର୍ବରୁ ଝିଅଙ୍କୁ ୫ ଜଣ ଛାତ୍ର କମେଣ୍ଟ କରିବା ସହ ରାଗିଂ କରୁଥିବା ନେଇ ମତେ ଜଣାଇଥିଲେ। ଏନେଇ ମୋ ଝିଅ ସ୍କୁଲର ଅଧ୍ୟକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଯାହାଫଳରେ ଝିଅ ମାନସିକ ସ୍ତରରେ ଭାଙ୍ଗିପଡ଼ି ଏଭଳି ଆତ୍ମହତ୍ୟା କରିଛନ୍ତି,’’ କହିଛନ୍ତି ମୃତ ଦିତିଲତାଙ୍କ ମା' ଜୋତ୍ସ୍ନା ଦାଶ।

ଝିଅଙ୍କ ଆତ୍ମଗତ୍ୟାକୁ ନେଇ ଏମିତି ଅଭିଯୋଗ ଆଣିଲେ ପରିବାର ଲୋକ


ଦିତିଲତା ଅତ୍ୟନ୍ତ ସରଳ ଓ ଶାନ୍ତଶିଷ୍ଟ ଝିଅ ଥିବା ବେଳେ ସେ ଦେଢ଼ ବର୍ଷ ହେଲା ସ୍କୁଲର ହଷ୍ଟେଲରେ ରହି ପଢ଼ୁଥିଲେ। ସ୍କୁଲ କର୍ତ୍ତୃପକ୍ଷ ଦିତିଙ୍କ ଅଭିଯୋଗକୁ ଗୁରୁତର ସହିତ ନେଇନଥିବା ଯୋଗୁଁ ଦିତିଲତାଙ୍କ ଉପରେ ମାନସିକ ଚିନ୍ତା ବଢ଼ୁଥିଲା। ଯାହାଫଳରେ ଦିତିଲତା ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଯେହେତୁ ଦିତିଲତାଙ୍କ ଏହି ଆତ୍ମହତ୍ୟା ପଛରେ ସ୍କୁଲ କର୍ତ୍ତୃପକ୍ଷଙ୍କ ହିଁ ଦାୟୀ ତେଣୁ ଦିତିଲତାଙ୍କ ପରିବାର ପକ୍ଷରୁ ବୈଦ୍ୟନାଥପୁର ଥାନାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ହିଁ ଦିତିଲତାଙ୍କୁ ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ସଠିକ୍‌ ତଦନ୍ତ କରି ଦିତିଲତାଙ୍କୁ ନ୍ୟୟ ପ୍ରଦାନ କରୁ ବୋଲି ଦାବି କରିଛନ୍ତି ଦିତିଲତାଙ୍କ ବଡ଼ ମା' ନମିକା ଦାଶ।

ମୃତ ନାବାଳିକାଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।

ଦିତିଲତା ଆତ୍ମହତ୍ୟା କରିବା ପରେ ସେ ତାଙ୍କ ପରିବାରକୁ ଜଣାଇଥିଲେ। ଏହାସହିତ ଦିତିଲତାଙ୍କୁ କମେଣ୍ଟ କରୁଥିବା ନେଇ କୌଣସି ଅଭିଯୋଗ ଆସିନଥିଲା। ଯଦିଓ ପୂର୍ବରୁ ଅନ୍ୟ କିଛି ଅଭିଯୋଗ ଆସିଥିଲା ତାହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହା ସହ ଛାତ୍ରୀ ଜଣକ ଆତ୍ମହତ୍ୟା କରିବା ପରେ ପୋଲିସକୁ ଜଣାଇ ଦିଆଯିବା ସହିତ ସମ୍ପୃକ୍ତ କୋଠାରୀକୁ ବନ୍ଦ କରାଯାଇଥିଲା। ସ୍କୁଲ ପକ୍ଷରୁ ଯାହା ପଦକ୍ଷେପ ନିଆଯିବା କଥା ତାହା ନିଆଯାଇଛି ବୋଲି ସେଫଇ ଦେଇଛନ୍ତି ଦି ମଦର ଇଣ୍ଟରନ୍ୟାସନାଲ ହାୟର ସେକେଣ୍ଡାରୀ ସ୍କୁଲର ଚେୟାରମ୍ୟାନ ଲଲାଟେନ୍ଦୁ ସାବତ।

ଏଭଳି ଅଭିଯୋଗ ହେବା ପରେ ବୈଦ୍ୟନାଥପୁର ଥାନା ପୋଲିସ, ଟାଉନ ଏସଡ଼ିପିଓ ଓ ଅତିରିକ୍ତ ଏସପି ବଡ଼ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଆଜି ମୃତ ଶରୀରର ପଞ୍ଚନାମା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇଥିବା ବେଳେ ବ୍ୟବଚ୍ଛେଦ ମଧ୍ୟ କରାଯାଇଛି।

‘‘ମୃତ ନାବାଳିକାଙ୍କ ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ନେଇ ଲିଖିତ ଭାବେ ଅଭିଯୋଗ ଦିଆଯାଇଥିବା ବେଳେ ଏଥିରେ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଆରମ୍ଭ ହୋଇସାରିଛି। ବର୍ତ୍ତମାନ ମୃତଦେହର ବ୍ୟବଚ୍ଛେଦ କରାଯିବା ପରେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟକୁ ଆଧାର କରି ତଦନ୍ତ ଆଗକୁ ନିଆଯିବ। ଯେଉଁମାନଙ୍କର ଘଟଣାରେ ସମ୍ପୃକ୍ତି ରହିଥିବ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ବ୍ରହ୍ମପୁର ଏସପି ଡ଼.ସର୍ବଣା ବିବେକ ଏମ।

ଦିତିଲତାଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁଁ ହୋଇଥିବା ନେଇ ସ୍କୁଲ କର୍ତ୍ତୃପକ୍ଷ ଦମ୍ଭୋକ୍ତି ସହ କହୁଥିବା ବେଳେ ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତଦନ୍ତ ଶେଷ ପରେ ହିଁ ଘଟଣାର ସତାସତ୍ୟ ଜଣାପଡ଼ିବ।
Published by:Lipina Das
First published: