କୈଳାସ ବେହେରା | News18 Odia Digital
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜଣେ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଇଟାଲୀର ଏକ ଦମ୍ପତି । ଶନିବାର ଦିନ ଆଇନ ଅନୁଯାୟୀ ସମସ୍ତ ପକ୍ରିୟା ଶେଷ ହେବା ପରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ସ୍ନେହା ନାମକ ଶିଶୁ କନ୍ୟାକୁ ଏହି ଇଟାଲୀୟ ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଲାରୁ ଦେଶ ବାହାରକୁ ପୋଷ୍ୟ ସନ୍ତାନ ଭାବେ ଯାଇଥିବା ସେ ହେଉଛି ତୃତୀୟ ଶିଶୁ ।
ଇଟାଲି ଅଭିମୁଖେ ଯାତ୍ରା କରିବାକୁ ଯାଉଥିବା ଶିଶୁ କନ୍ୟା ସ୍ନେହା ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେବା ପରେ ବ୍ରହ୍ମପୁର ଉତ୍କଳ ବାଳାଶ୍ରମରେ ଲାଳିତ ପାଳିତ ହେଉଥିଲା । ଏବେ ସେ ସୁଦୂର ଇଟାଲୀରେ ରହି ବଡ଼ ହେବ । ତାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଦମ୍ପତି ହେଉଛନ୍ତି ଇଟାଲୀର ଜେନୋଭା ସହରର ନିକୋଲା ଗାମ୍ବାରୋ ଓ ଏଲିସା ୟୁବେଜିଓ । ସ୍ନେହାର ମାତାପିତା ହେବାର ସୁଯୋଗ ପାଇ ସେ ଦୁହେଁ ବେଶ୍ ଖୁସି ଅନୁଭବ କରିଥିଲେ ।
ଏହା ବି ପଢ଼ନ୍ତୁ | ‘ଦଙ୍ଗଲ୍ ଗର୍ଲ’ ଫାତିମା ସନା ଶେଖଙ୍କ ଖୁଲାସା: ‘ମୋତେ କୁହାଗଲା ସେକ୍ସ ହିଁ କାମ ପାଇବାର ଉପାୟ’‘‘ଶିଶୁ କନ୍ୟା ସ୍ନେହା ୪ ଡ଼ିସେମ୍ବର ୨୦୧୭ରେ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିଲା । ତା’ ପରେ ଏକ ସ୍ପେଶାଲ୍ ଆଡପସନ ଏଜେନ୍ସି ମାଧ୍ୟମରେ ତା’ର ପୋଷ୍ୟତା ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ତା’ ବିଷୟରେ ତଥ୍ୟ ଅପଲୋଡ୍ କରାଯାଇଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ଶିଶୁଟିକୁ ଗଞ୍ଜାମ ଶିଶୁ ମଙ୍ଗଳ ସମିତି ଆଇନତଃ ମୁକ୍ତ ଘୋଷଣା କରିଥିଲେ, ଯାହା ଦ୍ୱାରା ସେ ପୋଷ୍ୟ ଭାବେ ଯେକୌଣସି ଦମ୍ପତିଙ୍କ ପାଖକୁ ଯାଇପାରିବେ । ଏହି କ୍ରମରେ ଦୀର୍ଘ ତିନି ବର୍ଷ ପରେ ଏହି ଇଟାଲୀ ଦମ୍ପତିଙ୍କୁ ସ୍ନେହାକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅନୁମତି ଦିଆଯାଇଥିଲା,’’ କହିଛନ୍ତି ସ୍ପେଶାଲ୍ ଆଡପସନ ଏଜେନ୍ସିର ମ୍ୟାନେଜର ଶିବିୟାନ ପ୍ରଧାନ ।

ଇଟାଲୀୟ ଦମ୍ପତି ଓ ସ୍ନେହା ସହ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ (ଡାହାଣ, ସ୍ନେହାକୁ ଧରିଛନ୍ତି)
ଶିଶୁ ମଙ୍ଗଳ କମିଟିର ସଦସ୍ୟ ସି.ଏଚ୍. ଜ୍ୟୋତି କୁମାରୀ କହିଛନ୍ତି, ‘‘ମାସ ମାସ ଧରି ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତିମାନଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଦମ୍ପତି ଶାରୀରିକ ଭାବେ ଶିଶୁକୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ । ତା’ପରେ ଆବଶ୍ୟକ ହେଉଥିବା କାଗଜପତ୍ର ଉତ୍କଳ ବାଳାଶ୍ରମ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଇଟାଲୀୟ ଦମ୍ପତିଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା । ପିଲାଟିର ଉପଯୁକ୍ତ ଯନ୍ନ, ସୁରକ୍ଷା, ଶିକ୍ଷା ଓ ପରିପୁଷ୍ଟ ଖାଦ୍ୟ ପ୍ରତି ବିଶେଷ ଯନ୍ନବାନ ହେବାକୁ ଦମ୍ପତିଙ୍କୁ କୁହାଯାଇଛି ।’’
ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ଓ ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁଏହି ଇଟାଲୀୟ ଦମ୍ପତି ଦୁଇ ସପ୍ତାହ ହେଲା ଗଞ୍ଜାମ ଜିଲ୍ଲାକୁ ଆସି ଗୋପାଳପୁରର ଏକ ହୋଟେଲରେ ରହୁଥିଲେ । ଶିଶୁଟିକୁ ପୋଷ୍ୟ ରୂପେ ପାଇ ସେମାନେ ଖୁବ୍ ଖୁସି । ଏବେ ସେମାନେ ଇଟାଲୀ ଅଭିମୁଖେ ସପ୍ତାହକ ପରେ ଯାତ୍ରା କରିବେ ବୋଲି କହିଛନ୍ତି । ଭାରତର ସଂସ୍କୃତି ଓ ପରମ୍ପରା ସେମାନଙ୍କୁ ବେଶ ଆକୃଷ୍ଟ କରିଥିବା ହେତୁ ଭାରତରୁ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ସେମାନେ ଇଚ୍ଛା ପ୍ରକାଶ କରିଥିଲେ ।
‘‘ଆମକୁ ପୋଷ୍ୟ ଗ୍ରହଣ ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା । ବିଳମ୍ବରେ ହେଲେ ମଧ୍ୟ ଶିଶୁ କନ୍ୟାକୁ ପାଇଥିବା ଯୋଗୁଁ ଆମେ ବେଶ୍ ଖୁସୀ,’’ କହିଛନ୍ତି ନିକୋଲା ଗାମ୍ବାରୋ ।
ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବଜିଲ୍ଲାପାଳ ମଧ୍ୟ ଏକ ଅନାଥ ଶିଶୁ ବିଦେଶକୁ ପୋଷ୍ୟ ଭାବେ ଯାଉଥିବାରୁ ତା’ର ଭବିଷ୍ୟତ ନେଇ ବେଶ ଖୁସୀ ବ୍ୟକ୍ତ କରିଥିଲେ । ‘‘ଶିଶୁଟି ଇଟାଲୀକୁ ଯାଇ କିଭଳି ନୂଆ ପରିବାର ସହିତ ହସଖୁସିରେନିଜର ଜୀବନ ବିତାଇବ ସେ ନେଇ ମଧ୍ୟ ତା’ ପୋଷ୍ୟ ମା ଓ ବାପାଙ୍କ ସହ ଆମେ କଥା ହୋଇଛୁ । ଆଗାମୀ ଦିନରେ ଏଭଳି ପୋଷ୍ୟ ଗ୍ରହଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ,’’ କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ଦେଖନ୍ତୁ ଫଟୋ | ‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମର ସେହି ବଚ୍ଚା ସର୍ଦ୍ଦାର୍ ବଡ଼ ହେଲେ; ଗର୍ଲଫ୍ରେଣ୍ଡକୁ ବାହା ହେଲେ - PHOTOSଜିଲ୍ଲାର ବିଭିନ୍ନ ଜାଗାରୁ ଉଦ୍ଧାର ହେଉଥିବା ପରିତ୍ୟକ୍ତ ଶିଶୁମାନଙ୍କୁ ଜିଲ୍ଲାରେ ଥିବା ଏକ ମାତ୍ର କେନ୍ଦ୍ର ବ୍ରହ୍ମପୁର ସ୍ଥିତ ଉତ୍କଳ ବାଳାଶ୍ରମରେ ରଖାଯାଇ ସେମାନଙ୍କର ଯତ୍ନ ନିଆଯାଏ ।
ପୂର୍ବରୁ୍ ଗଞ୍ଜାମ ଜିଲ୍ଲାରୁ ୨୧ ଜଣ ଶିଶୁ ଦେଶ ଭିତରେ ପୋଷ୍ୟ ଭାବେ ଗୃହୀତ ହୋଇଥିବା ବେଳେ ବିଦେଶକୁ ତିନି ଜଣ ଶିଶୁ ପୋଷ୍ୟ ଭାବେ ଯାଇଛନ୍ତି । ପୋଷ୍ୟ ଗ୍ରହଣ ପକ୍ରିୟାର ସରଳୀକରଣ କରାଗଲେ ଅନେକ ଶିଶୁ ପୋଷ୍ୟ ଭାବେ ଗୃହୀତ ହୋଇପାରିବେ ବୋଲି କହିଛନ୍ତି ବିଶେଷଜ୍ଞମାନେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।