ଭୁବନେଶ୍ବରରେ ଛାତ୍ରୀଙ୍କ ଉପରେ ‘ଗୁଳି ମାଡ଼’: ସାଙ୍ଗର ବନ୍ଧୁକ, ଗୁଳି ନିଜ ହାତରୁ ଫୁଟିଥିଲା ଭୁଲ୍‌ରେ

ଫ୍ୟାସନ୍‌ ଡିଜାଇନିଂର ଏହି ଛାତ୍ରୀଙ୍କ ଘରକୁ ଆସିଥିବା ତାଙ୍କ ବନ୍ଧୁ ଆଶିଷଙ୍କ ବନ୍ଧୁକଟିକୁ ସେ କୌତୁହଳ ବସତଃ ଧରି ଦେଖୁଥିବା ବେଳେ ସେଥିରୁ ଗୁଳି ଫୁଟିଥିଲା । ଆଶିଷ ଜଣେ ଅପରାଧୀ । ତାଙ୍କୁ ଗିରଫ କରାଯାଇଛି । ଆହତ ଛାତ୍ରୀଙ୍କ ଘର ବାଲେଶ୍ବର । ତାଙ୍କ ଚ଼ିକିତ୍ସା ପାଇଁ ପୋଲିସ ପକ୍ଷରୁ ୨୫ ହଜାର ଟଙ୍କା ଦିଆଯାଇଛି ।

ଭୁବନେଶ୍ବରରେ ଛାତ୍ରୀଙ୍କ ଉପରେ ‘ଗୁଳି ମାଡ଼’: ସାଙ୍ଗର ବନ୍ଧୁକ, ଗୁଳି ନିଜ ହାତରୁ ଫୁଟିଥିଲା ଭୁଲ୍‌ରେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: February 10, 2020, 8:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀର ଇନଫୋସିଟି ଥାନା ଅଞ୍ଚଳରେ ଦିନ ଦ୍ୱିପହରେ ଜଣେ ‘‘ଛାତ୍ରୀଙ୍କ ଉପରେ ଗୁଳି ମାଡ଼’’ ବୋଲି ପ୍ରଥମେ କୁହାଯାଉଥିବା ଘଟଣାରେ ପୋଲିସ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ସହ ନିଜ ଘରେ ତାଙ୍କ ବନ୍ଧୁକଟିକୁ ଧରି ଦେଖୁଥିବା ସମୟରେ ସେଥିରୁ ଗୁଳି ଫୁଟିଯାଇଥିଲା ଓ ସେ ଆହତ ହେଇଥିଲେ ।

ତଦନ୍ତରୁ ଜଣା ପଡ଼ିଛି ଯେ ଫ୍ୟାସନ୍‌ ଡିଜାଇନିଂର ଏହି ଛାତ୍ରୀଙ୍କ ବଜରଙ୍ଗ ବିହାର ଅଞ୍ଚଳରେ ଥିବା ଆବାସକୁ ଦ୍ୱିପହର ପାଖାପାଖି ୨ଟା ବେଳେ ତାଙ୍କ ବନ୍ଧୁ ଆଶିଷ କୁମାର ନାୟକ ଆସିଥିଲେ । ଆଶିଷ ନିଜ ସହ ବନ୍ଧୁକଟି ଆଣିଥିଲେ । ଛାତ୍ରୀ ଜଣକ ସେ ବନ୍ଧୁକଟିକୁ କୌତୁହଳ ବସତଃ ଧରି ଦେଖୁଥିବା ବେଳେ ଲୋଡ୍‌ ଥିବା ବନ୍ଧକଟିରୁ ଗୁଳି ଫୁଟିଯାଇଥିଲା । ଛାତ୍ରୀଙ୍କ ଜଙ୍ଘରେ ଗୁଳି ବାଜିଥିଲା । ଆଶିଷ ନିଜର କିଛି ସାଙ୍ଗଙ୍କ ସହ ମିଶି ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଆହତ ଛାତ୍ରୀଙ୍କ ଘର ବାଲେଶ୍ବର । ତାଙ୍କ ଚ଼ିକିତ୍ସା ପାଇଁ ପୋଲିସ ପକ୍ଷରୁ ୨୫ ହଜାର ଟଙ୍କା ଦିଆଯାଇଛି ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି । ତାଙ୍କ ସ୍ୱାସ୍ଥାବସ୍ଥା ଏବେ ସ୍ଥିର ଅଛି ବୋଲି ଜଣାଯାଇଛି ।

ଆଶିଷ କୁମାର ନାୟକଙ୍କ ନାଆଁରେ ପୂର୍ବରୁ କିଛି ଆପରାଧିକ ମାମଲା ବିଭିନ୍ନ ଥାନାରେ ରହିଛି । ସେ ଜଣେ ‘‘ଜଣାଶୁଣା ଅପରାଧୀ’’ ବୋଲି କମିଶନରେଟ୍‌ ପୋଲିସ ଏକ ଟ୍ୱିଟରେ କହିଛି । ନାୟକଙ୍କୁ ଗିରଫ କରାଯାଇଛି ।

ତେବେ ନାୟକଙ୍କ ପାଖକୁ ଏ ବନ୍ଧୁକ କେମିତି ଆସିଲା ଓ ଛାତ୍ରୀ ଜଣକଙ୍କ ସହ ତାଙ୍କ ବନ୍ଧୁତା ପଛରେ ଆପରାଧିକ ଉଦ୍ଦେଶ୍ୟ ଥିଲା କି ନାହିଁ ସେ ବିଷୟରେ ପୋଲିସ ଅନୁସନ୍ଧାନରୁ ଆଗକୁ ଜଣା ପଡ଼ିବ ।

‘‘ଗୁଳି ମାଡ଼’’ ଘଟଣାର ଖବର ପ୍ରଥମେ ଆସିବା ପରେ ଏହା ବିଷୟରେ ଅନେକ ଭ୍ରମାତ୍ମକ ବିବରଣୀ ଗଣ ମାଧ୍ୟମରେ ଆସିଥିଲା । ଛାତ୍ରୀଙ୍କ ଉପରେ ଗୁଳି ଚ଼ଳାଇ ଦୁଇ ଜଣ ଯୁବକ ବାଇକରେ ସେଠୁ ଖସି ପଳାଇଥିଲେ ବୋଲି କହିଥିଲେ କିଛି ଲୋକ । ଘଟଣା ସ୍ଥଳରେ ଛାତ୍ରୀଙ୍କ ବୟଫ୍ରେଣ୍ଡଙ୍କ ଉପସ୍ଥିତିରେ ଜଣେ ଯୁବକ ଓ ତାର ସାଙ୍ଗ ମିଶି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ ବୋଲି କପହାଯାଇଥିଲା । ଭାଲେଣ୍ଟାଇନ୍‌ ସପ୍ତାହ ଚ଼ାଲିଥିବାରୁ ଏହି ଗୁଳିମାଡ଼ ପଛରେ ପ୍ରେମ ବ୍ୟାପାର ଅଛି ବୋଲି ସନ୍ଦେହ କରାଯାଉଥିଲା ।

ଘଟଣା ସ୍ଥଳରେ ଇନଫୋସିଟି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କମିଶନରେଟ୍‌ ପୋଲିସ ଏକ ଟ୍ୱିଟ୍‌ କରି କହିଥିଲା ଯେ ଛାତ୍ରୀ ଜଣକ ଗୁଳି ମାଡ଼ର ଟାର୍ଗେଟ୍‌ (ନିଶାନା) ନ ଥିଲେ, ଅର୍ଥାତ୍‌ ତାଙ୍କ ଉପରେ ଭୁଲରେ ଗୁଳି ବାଜିଥିଲା ।

‘‘ପ୍ରାଥମିକ ରିପୋର୍ଟରୁ ଜଣା ପଡ଼ିଛି ଯେ ସେ (ଛାତ୍ରୀ) ଟାର୍ଗେଟରେ ନ ଥିଲେ ଓ ତାଙ୍କର ଏହି ଘଟଣା ସହ କିଛି ସମ୍ପର୍କ ନାହିଁ । ଚ଼ିକି୍ତ୍ସାରେ ଲାଗିଥିବା ଡାକ୍ତରମାନେ କହିଛନ୍ତି ଯେ ସେ ଏବେ ବିପଦରୁ ବାହାରେ । ଅଭିଯୁକ୍ତ ଚ଼ିହ୍ନଟ ହୋଇସାରିଛି ଓ ତା’ର ମୋଟିଭ୍‌ ଜଣାପଡ଼ିଯାଇଛି,’’ ଅପରାହ୍ଣ ୪:୧୩ରେ ଟ୍ୱିଟ୍‌ କରି କହିଥିଲା କମିଶନରେଟ୍‌ ପୋଲିସ । ଏହି ଟ୍ୱିଟରେ ପୋଲିସ ଏହା ବି କହିଥିଲା ଯେ ତଦନ୍ତ ଏବେ ପ୍ରାଥମିକ ସ୍ତରରେ ଅଛି ଓ ଘଟଣାର ତଥ୍ୟ ବଦଳି ପାରେ ।
First published: February 10, 2020, 8:08 PM IST
corona virus btn
corona virus btn
Loading