ପ୍ରେମର ଅଭିନୟ କରି ରାଉଲକେଲାର ଯୁବତୀକୁ ଦିଲ୍ଲୀରେ ବିକିଲା ପୁରୁଷ ବନ୍ଧୁ; ପୋଲିସର ଭୂମିକା ଉପରେ ପ୍ରଶ୍ନ

ଯୁବତୀ ଦିଲ୍ଲୀରୁ ନିଜ ପରିବାର ଲୋକଙ୍କୁ ଫୋନ କରି ସବୁ ଘଟଣା କହିବା ପରେ ପରିବାର ଲୋକେ ଚାନ୍ଦିପୋଷ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରିଥିଲା, କିନ୍ତୁ ଯୁବତୀଙ୍କୁ ଖୋଜିବାରେ ତତ୍ପରତା ଦେଖାଇ ନ ଥିଲା ବୋଲି ସେମାନେ ଓ ସ୍ଥାନୀୟ ସମାଜସେବୀ କହିଛନ୍ତି ।

ପ୍ରେମର ଅଭିନୟ କରି ରାଉଲକେଲାର ଯୁବତୀକୁ ଦିଲ୍ଲୀରେ ବିକିଲା ପୁରୁଷ ବନ୍ଧୁ; ପୋଲିସର ଭୂମିକା ଉପରେ ପ୍ରଶ୍ନ
ସମାଜସେବୀ ଚାନ୍ଦମଣି ସାଣ୍ଡି (ବାମ) ଙ୍କ ସହ ଯୁବତୀ
  • News18 Odia
  • Last Updated: March 11, 2020, 7:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାଉରକେଲା: ପ୍ରେମ କରିବାର ଅଭିନୟ କରି ରାଉଲକେଲାର ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଦିଲ୍ଲୀ ନେଇ ବିକ୍ରି କରିଦେବାର ସପ୍ତାହକ ପରେ ରାଉରକେଲା ଓ ଦିଲ୍ଲୀର କିଛି ସମାଜସେବୀ ଓ ଦିଲ୍ଲୀ ପୋଲିସର ସହାୟତାରେ ତାଙ୍କୁ ଉଦ୍ଧାର କରି ଫେରାଇ ଅଣାଯାଇଛି । ଯୁବତୀ ଜଣକ ନିଜ ଘରକୁ ଫେରିବା ପରେ ରାଉରକେଲା ପୋଲିସ ତଦନ୍ତ ଆରମ୍ଭ କରିଛି ଓ ତାଙ୍କ ଡାକ୍ତରୀ ମାଇନା କରିବା ସହ ତାଙ୍କ ବୟାନ ରେକର୍ଡ଼ କରିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚ଼ନା ଅନୁଯାୟୀ ଏହି ୨୫ ବର୍ଷ ବୟସ୍କା ଯୁବତୀଙ୍କର ଶଙ୍କର ବଇତେ ନାମକ ପୁରୁଷ ବନ୍ଧୁ କିଛି ମାସ ହେବ ତାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଏପରିକି ଦୁହେଁ ବିବାହ କରିବାକୁ ଯୋଜନା ମଧ୍ୟ କରିଥିଲେ । ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ୩ ତାରିଖରେ ଶଙ୍କର ଯୁବତୀଙ୍କୁ ବିବାହ କରିବାକୁ କହି ଘରୁ ନେଇଯାଇ ଥିଲେ । ହେଲେ ତାଙ୍କୁ ଦିଲ୍ଲୀ ନେଇ ଜଣେ ଦଲାଲକୁ ବିକ୍ରି କରିଦେଇଥିଲେ ଓ ଉକ୍ତ ଦଲାଲ ଯୁବତୀଙ୍କୁ ନେଇ ଦିଲ୍ଲୀର ଏକ ଅଫିସରେ ଛାଡ଼ି ଦେଇଥିଲେ ।

ତେବେ କୌଣସି ପ୍ରକାରରେ ଯୁବତୀ ଗତ ୪ ତାରିଖ ଦିନ ତାଙ୍କ ପରିବାର ଲୋକଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରି ସମସ୍ତ ଘଟଣା ସମ୍ପର୍କରେ କହିଥିଲେ । ଗତ ୫ ତାରିଖରେ ଯୁବତୀଙ୍କ ପରିବାର ଲୋକେ ସ୍ଥାନୀୟ ଚାନ୍ଦିପୋଷ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଥିଲା, କିନ୍ତୁ ଯୁବତୀଙ୍କୁ ଖୋଜିବା ନେଇ କୌଣସି ତତ୍ପରତା ଦେଖାଇ ନ ଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।

ହତାଶ ହୋଇ ପରିବାର ଲୋକେ ସ୍ଥାନୀୟ ସମାଜସେବୀ ଚାନ୍ଦମଣି ସାଣ୍ଡିଙ୍କୁ ଯୋଗାଯୋଗ କରିଥିଲେ । ଚାନ୍ଦମଣି ଦିଲ୍ଲୀର ଏକ ସାମାଜିକ ଅନୁଷ୍ଠାନ ସହ ଯୋଗାଯୋଗ କରି ସହୟତା ଲୋଡ଼ିବା ପରେ ଦିଲ୍ଲୀ ପୋଲିସ ସହାୟତାରେ ଉକ୍ତ ସାମାଜିକ ଅନୁଷ୍ଠାନ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରି ଓଡ଼ିଶା ଆଣିଥିଲା ।

‘‘ଏହି ମାମଲାରେ ଚ଼ାନ୍ଦିପସ ପୋଲିସର ଭୂମିକା ଆଦୌ ଠିକ୍‌ ନ ଥିଲା । ଘଟଣାର ଅଭିଯୋଗ ପାଇବା ପରେ ତୁରନ୍ତ ଅନୁସନ୍ଧାନ ଆରମ୍ଭ ନ କରି ପୋଲିସ ବସି ରହିଥିଲା । ଯଦି ସେହି ଯୁବତୀର ପରିବାର ଠିକ୍‌ ସମୟରେ ମୋ’ ପାଖରେ ପହଞ୍ଚି ନ ଥାଆନ୍ତା ତାହେଲେ ହୁଏତ ତାକୁ ଫେରିପାଇବା କଷ୍ଟସାଧ୍ୟ ହୋଇଥାଆନ୍ତା ବା ସେ ହୁଏତ ଆଉ ମିଳି ନ ଥାଆନ୍ତା,’’ କହିଛନ୍ତି ସମାଜସେବୀ ଚାନ୍ଦମଣି ସାଣ୍ଡି ।

ଯୁବତୀଙ୍କ ପରୁଷ ବନ୍ଧୁ, ଦଲାଲ ଓ ଉକ୍ତ ଅଫିସର ମାଲିକ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଚାନ୍ଦିପୋଷ ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ଯୁବତୀଙ୍କ ଚାଲାଣ ପଛରେ ଜଣେ ମହିଳାଙ୍କ ହାତ ଥିଲା ବୋଲି ଚ଼ାନ୍ଦମଣି ସାଣ୍ଡି ସୂଚନା ଦେବା ପରେ ପୋଲିସ ତାହା ଉପରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ବୋଲି କହିଛନ୍ତି ରାଉରକେଲାର ଅତିରିକ୍ତ ଏସ୍‌.ପି. ସୁରେଶ ଚନ୍ଦ୍ର ପାଠୀ ।

‘‘ସହରୀ ଜୀବନ ପ୍ରତି ଆକୃଷ୍ଟ ହୋଇ ଅନେକ ଝିଅ ଏମିତି ଭୁଲ୍‌ କରି ନିଜ ପ୍ରେମିକ ସହିତ ଘର ଛାଡ଼ି ଚ଼ାଲିଯାଉଥିବାରୁ ଏହି ସମସ୍ୟାଗୁଡ଼ିକ ଆସୁଛି । ପୋଲିସକୁ ଏମିତି ଘଟଣା ଘଟିବା ପରେ ହିଁ ଜଣା ପଡ଼ୁଛି ଓ ପୋଲିସ ତା’ କାମ କରୁଛି, ହେଲେ ସାଧାରଣ ଲୋକଙ୍କୁ, ବିଶେଷତଃ ଝିଅମାନଙ୍କୁ ସଜାଗ ରହିବାର ବେଶୀ ଆବଶ୍ୟକତା ରହିଛି,’’ କହିଛନ୍ତି ବାଳ ମଙ୍ଗଳ ସମିତି (ସି.ଡବ୍ଲ୍ୟୁ.ସି.) ସଦସ୍ୟ ରଣଧୀର ଲେଙ୍କା ।

ଗତ ବର୍ଷ ଫେବୃଆରୀ ମାସରେ ରାଉଲକେଲାର ଗୋପବନ୍ଧୁପୁରରୁ ଜଣେ ଯୁବତୀଙ୍କ ସମାନ ଉପାୟରେ ଅପହରଣ କରାଯାଇଥିଲା । ତାଙ୍କୁ ନେଇ ଦିଲ୍ଲୀରୁ ବିକ୍ରି କରାଯାଇଥିଲା । ଏପରିକି  ଯୁବତୀଙ୍କୁ ସେଠାରେ ଜଣେ ବ୍ୟକ୍ତିଙ୍କ ସହ ବଳପୂର୍ବକ ବିବାହ ମଧ୍ୟ କରାଇ ଦିଆଯାଇଥିଲା । ଏ ନେଇ ଯୁବତୀଙ୍କ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରି କେବଳ ବସିରହିଥିଲା । ପରେ ଦିଲ୍ଲୀର ଶିଶୁ ସୁରକ୍ଷା କମିଟି ଯୁବତୀଙ୍କୁ ସେଠାରୁ ଉଦ୍ଧାର କରି ଓଡ଼ିଶା ଆଣିଥିଲା ।

‘‘ଏହି ସବୁ ଘଟଣାରେ ପୋଲିସର ଭୂମିକା ଅନେକାଂଶରେ ନିରାଶାଜନକ ରହିଛି । ପୋଲିସ ଏଭଳି ମାମଲାକୁ ଗୁରୁତ୍ବର ସହ ନେଉ ନ ଥିବା ହେଉଛି ଓଡ଼ିଶାରେ ଯୁବତୀ ଚାଲାଣ ବଢ଼ିବାର ଅନ୍ୟତମ କାରଣ,’’ କହିଛନ୍ତି ହାଇକୋର୍ଟର ଆଇନଜୀବୀ ବିସ୍ମୟ ଷ୍ଟାଲିନ ।
First published: March 11, 2020, 7:59 PM IST