ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁଶୁଡ଼ିବା ଅବସ୍ଥାରେ ଗିରି ମାର୍କେଟ୍ କମ୍ପ୍ଲେକ୍ସ; ଦୃଷ୍ଟି ଦେଉନଥିବାରୁ BMCକୁ ନେଇ ଅସନ୍ତୋଷ ସମସ୍ତେ

ଭୁଶୁଡ଼ିବା ଅବସ୍ଥାରେ ଗିରି ମାର୍କେଟ୍ କମ୍ପ୍ଲେକ୍ସ; ଦୃଷ୍ଟି ଦେଉନଥିବାରୁ BMCକୁ ନେଇ ଅସନ୍ତୋଷ ସମସ୍ତେ

ପ୍ରତି ବର୍ଷ ବି.ଏମ.ସି. ପକ୍ଷରୁ ୧୦ ପ୍ରତିଶତ ଭଡ଼ା ବୃଦ୍ଧି ହେଉଥିବା ବେଳେ କିଭଳି ଭାବେ କମ୍ପ୍ଲେକ୍ସର ମରାମତି ହେବ ତାହା ନେଇ ପଦକ୍ଷେପ ନେଉ ନାହିଁ ବି.ଏମ.ସି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀମାନେ ।

ଭୁଶୁଡ଼ିବା ଅବସ୍ଥାରେ ଗିରି ମାର୍କେଟ୍ କମ୍ପ୍ଲେକ୍ସ; ଦୃଷ୍ଟି ଦେଉନଥିବାରୁ BMCକୁ ନେଇ ଅସନ୍ତୋଷ ସମସ୍ତେ
ଭୁଶୁଡ଼ିବା ଅବସ୍ଥାରେ ବ୍ରହ୍ମପୁରର ଗିରି ମାର୍କେଟ୍ କମ୍ପ୍ଲେକ୍ସ
  • News18 Odia
  • Last Updated: October 1, 2021, 5:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଜରାଜୀର୍ଣ୍ଣ ଅବସ୍ଥାରେ ବ୍ରହ୍ମପୁରର ସର୍ବ ପୁରାତନ ଗିରି ମାର୍କେଟ କମ୍ପ୍ଲେକ୍ସ । କମ୍ପ୍ଲେକ୍ସ କୋଠାର ଛାତରୁ ସ୍ଲାବ ଗୁଡ଼ିକ ଝଡ଼ି ପଡ଼ି ଛଡ଼ ଦେଖାଯାଉଛି । କମ୍ପ୍ଲେକ୍ସର ପ୍ରତ୍ୟେକ ଦୋକାନ ସମ୍ମୁଖରେ ଲୁହା ଛଡ଼ ଦେଖିବାକୁ ମିଳିଛି । ସବୁ ସମୟରେ ଏହି କମ୍ପ୍ଲେକ୍ସରେ ବ୍ୟବସାୟୀ ଓ ଗ୍ରାହକ ମାନଙ୍କର ଭିଡ଼ ଲାଗି ରହୁଥିବା ବେଳେ ଅନେକ ସମୟରେ ସ୍ଲାବ ଗୁଡ଼ିକ ଝଡ଼ି ପଡ଼ି କେତେବେଳେ ଗ୍ରାହକ ଆହତ ହେଉଛନ୍ତି ତ ଆଉ କେତେବେଳେ ବ୍ୟବସାୟୀ ।

ପ୍ରତି ବର୍ଷ ବି.ଏମ.ସି. ପକ୍ଷରୁ ୧୦ ପ୍ରତିଶତ ଭଡ଼ା ବୃଦ୍ଧି ହେଉଥିବା ବେଳେ କିଭଳି ଭାବେ କମ୍ପ୍ଲେକ୍ସର ମରାମତି ହେବ ତାହା ନେଇ ପଦକ୍ଷେପ ନେଉ ନାହିଁ ବି.ଏମ.ସି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀମାନେ । ସେପଟେ ବ୍ୟବସାୟୀମାନଙ୍କ ସହ ଆଲୋଚନା ଶେଷ ହୋଇଛି ନୂଆ ମାର୍କେଟ କମ୍ପ୍ଲେକ୍ସ କରିବାର ଯୋଜନା ରହିଛି ଖୁବ୍ ଶୀଘ୍ର ଏ ନେଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ବି.ଏମ.ସି. କମିଶନର ।

ଜରାଜୀର୍ଣ୍ଣ ଅବସ୍ଥାରେ ବ୍ରହ୍ମପୁରର ସର୍ବ ପୁରାତନ ଗିରି ମାର୍କେଟ କମ୍ପ୍ଲେକ୍ସ


ଗିରି ମାର୍କେଟ କମ୍ପ୍ଲେକ୍ସର ବ୍ୟବସାୟୀ ଉମେଶ କୁମାର ସୁବୁଦ୍ଧି କହିଛନ୍ତି, ‘‘ଭୁଶୁଡ଼ି ପଡ଼ିବା ଅବସ୍ଥାରେ ବ୍ରହ୍ମପୁରର ଗିରି ମାର୍କେଟ କମ୍ପ୍ଲେକ୍ସ । ବ୍ରହ୍ମପୁର ସହର ମୁଖ୍ୟ ବଜାର ତଥା ସର୍ବ ପୁରାତନ ଏହି କମ୍ପ୍ଲେକ୍ସ ଉପରେ ବିଏମସିର ଧ୍ୟାନ ଦେଉନାହିଁ । ସମ୍ପୂର୍ଣ୍ଣ ରୂପେ ଜରାଜିର୍ଣ୍ଣ ହୋଇ ରହିଛି କମ୍ପ୍ଲେକ୍ସ। କମ୍ପ୍ଲେକ୍ସର ପ୍ରତ୍ୟେକ ଦୋକାନ ଆଗରେ ଯେଭଳି ମୃତ୍ୟୁ ଅପେକ୍ଷା କରି ରହିଛି । କେତେବେଳେ ସ୍ଲାବ ସହ ଲୁହା ଛଡ଼ ଉପରେ ପଡ଼ି ମୃତାହତ ହେବ ତାହା କହିବା ମୁସ୍କିଲ । ଗିରି ମାର୍କେଟ କମ୍ପ୍ଲେକ୍ସର ଏଭଳି ସ୍ଥିତି ଆଜିର ନୁହେଁ ଦୀର୍ଘ ବର୍ଷ ହେଲା ରହିଛି । ବ୍ୟବସାୟୀ ମାନେ କମ୍ପ୍ଲେକ୍ସର ମରାମତି ନେଇ ବହୁବାର ବି.ଏମ.ସି.କୁ ଜଣାଇଛନ୍ତି କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ । ସେପଟେ ପ୍ରତି ବର୍ଷ 10 ପ୍ରତିଶତ ଭଡ଼ା ମଧ୍ୟ ବୃଦ୍ଧି କରୁଛି ବି.ଏମ.ସି. । ଭଡ଼ା ବୃଦ୍ଧି ହେଲେ ସୁଦ୍ଧା ବ୍ୟବସାୟୀମାନେ ଦେଉଛନ୍ତି କିନ୍ତୁ ମରାମତି କେଉଁ କାରଣ ଯୋଗୁଁ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି।’’

ଗିରି ମାର୍କେଟ କମ୍ପ୍ଲେକ୍ସର ବ୍ୟବସାୟୀ ଲିଙ୍ଗରାଜ ପାତ୍ର କହିଛନ୍ତି, ‘‘ଦୀର୍ଘ ୨୩ ବର୍ଷ ପୂର୍ବରୁ କେବଳ ତଳେ ଦୋକାନ ଗୃହ କରାଯାଇ ଲୋକଙ୍କୁ ଦିଆଯାଇଥିଲା । ଏହା ପରେ ଉପର ମହଲାରେ ଦୋକାନ ଗୃହ କରାଯାଇ ଲୋକଙ୍କୁ ଦିଆଯାଇଥିଲା । ଉପର ମହଲାରେ ଦୋକାନ ଗୃହ ଆରମ୍ଭ ହେବା ସମୟରେ ବି.ଏମ.ସି.ର ଅଧିକାରୀ ମାନଙ୍କୁ ତଳେ ରହିଥିବା ଦୋକାନ ଗୃହର ଅବସ୍ଥାକୁ ଦେଖାଇଥିଲେ । ସେହି ସମୟରେ ମରାମତି ନେଇ ପ୍ରତିଶୃତି ମଧ୍ୟ ବି.ଏମ.ସି. ଦେଇଥିଲା । ହେଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହୋଇନାହିଁ । ବ୍ୟବସାୟ କରୁଥିବା ବେଳେ ଅନେକ ସମୟରେ ତାଙ୍କ ଉପରେ ମଧ୍ୟ ଛାତରୁ ସ୍ଲାବ ଖସି ପଡ଼ି ମାଡ଼ ହେଉଛି ।’’

ବ୍ରହ୍ମପୁରର ଗିରି ମାର୍କେଟ କମ୍ପ୍ଲେକ୍ସରୁ ଖସୁଛି ଲୁହା ଛଡ଼


ବି.ଏମ.ସି.କୁ ବାରମ୍ବାର ଅଭିଯୋଗ ଜଣାଇବା ପରେ କୌଣସି ପଦକ୍ଷେପ ନିଆଯାଉନଥିବା ଯୋଗୁଁ ବ୍ୟବସାୟୀ ମାନେ ନିଜସ୍ବ ଉଦ୍ୟମରେ କମ୍ପ୍ଲେକ୍ସର କିଛି ସ୍ଥାନ ମରାମତି କରିଛନ୍ତି । ମାର୍କେଟର ଉପର ମହଲାକୁ ଯିବା ନିମନ୍ତେ ରହିଥିବା ସିଡ଼ିଟି ଖରାପ ଅବସ୍ଥାରେ ପଡ଼ି ରହିଥିବା ବେଳେ ବ୍ୟବସାୟୀ ମାନେ ନିଜସ୍ବ ଅର୍ଥରେ ତାହାକୁ ମରାମତି କରିଛନ୍ତି । ୧୯୭୪ ମସିହା ମେ ୨୪ ତାରିଖରେ ଏହି ମାର୍କେଟ୍‌ ପ୍ରତିଷ୍ଠା ହୋଇଥିଲା । ବ୍ରହ୍ମପୁରର ଅତ୍ୟତମ ବରପୁତ୍ର ତଥା ତତ୍କାଳୀନ ରାଷ୍ଟ୍ରପତି ଭି.ଭି.ଗିରି ଏହାର ଉଦ୍‌ଘାଟନ କରିଥିଲେ । ତାଙ୍କ ନାମରେ ଏହି ବଜାରର ନାମକରଣ ମଧ୍ୟ ହୋଇଥିଲା । ମାର୍କେଟରେ ଉପର ତଳ ହୋଇ ମୋଟ ୧୫୦ରୁ ଅଧିକ ଦୋକାନ ଗୃହ ରହିଛି ।

ମାର୍କେଟ୍‌ କମ୍ପ୍ଲେକ୍ସର ଏଭଳି ସ୍ଥିତି ସମ୍ପର୍କରେ ଜାଣିବା ପରେ ବ୍ୟବସାୟୀମାନଙ୍କ ସହ ଆଲୋଚନା କରାଯାଇଛି । ସମ୍ପୂର୍ଣ୍ଣ ମାର୍କେଟକୁ ନୂଆ ଭାବେ କରିବା ନିମନ୍ତେ ଯୋଜନା ରହିଛି । ଯୋଜନା ବର୍ତ୍ତମାନ ଜାରୀ ରହିଥିବା ବେଳେ ଖୁବ୍ ଶୀଘ୍ର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ପ୍ରତ୍ୟେକ ଦୋକାନୀ ମାନେ କିଭଳି ଭାବେ ସୁବିଧାରେ ବ୍ୟବସାୟ କରିପାରିବେ ସେ ନେଇ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଯେଉଁମାନେ ବର୍ତ୍ତମାନ ଦୋକାନ ଗୃହରେ ଅଛନ୍ତି ସେମାନଙ୍କ ସହିତ ବାହାରେ ରହିଛି କିଛି ଦୋକାନୀ ମାନଙ୍କୁ ମଧ୍ୟ ଗୃହ ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବି.ଏମ.ସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର ।

ଗିରି ମାର୍କେଟ କମ୍ପ୍ଲେକ୍ସ ମରାମତି ନେଇ ଖୁବ୍ ଶୀଘ୍ର ପଦକ୍ଷେପ ନିଆ ନଗଲେ କେତେବେଳେ ଯେ ବଡ଼ ଅଘଟଣ ହେବ ତାହା କହିବା ମୁସ୍କିଲ୍‌ ।
Published by: Lipina Das
First published: October 1, 2021, 5:37 PM IST