ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି: ଶୀତ ବସ୍ତ୍ର ପିନ୍ଧିଛନ୍ତି କାଳିଆ; ଦର୍ଶନ କରିବାକୁ ବ୍ୟାକୁଳ ଭକ୍ତମାନେ

ଗୁରୁବାର ଆରମ୍ଭ ହୋଇଯାଇଛି ତିନି ଠାକୁରଙ୍କ ଓଢ଼ଣ ଷଷ୍ଠୀ ପର୍ବ ପର୍ବ ବା ଘୋଡ ଲାଗି ବେଶ । ଶୀତ ବସ୍ତ୍ର ପିନ୍ଧିଛନ୍ତି କାଳିଆ ।

ଶୀତ ବସ୍ତ୍ର ପିନ୍ଧିଛନ୍ତି କାଳିଆ

ଶୀତ ବସ୍ତ୍ର ପିନ୍ଧିଛନ୍ତି କାଳିଆ

  • Share this:
News18 Odia Digital

ପୁରୀ: ମାର୍ଗଶିର ମାସ ଶୁକ୍ଲ ପକ୍ଷ ଓଢ଼ଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ ଠାରୁ ଶ୍ରୀମନ୍ଦିରରେ ସମସ୍ତ ଦେବାଦେବୀଙ୍କୁ ଓଢ଼ଣ ଲାଗି କରାଯିବାର ବିଧି ରହିଛି। ମାନବୀୟ ଲୀଳାର ଠାକୁର କାଳିଆ ସାଆନ୍ତଙ୍କ ପାଇଁ ଶୀତରୁ ରକ୍ଷା ପାଇବା ପାଇଁ ଦର୍ଜୀ ସେବାୟତ ଶୀତ ବସ୍ତ୍ରର ପ୍ରସ୍ତୁତି କରି ବୁଧବାର ଦେଇଥିବା ବେଳେ ତାହା ଅଧିବାସରେ ରହିଥିବ ବେଳେ ଗୁରୁବାର ସକାଳ ଧୁପ ପରେ ମହାପ୍ରଭୁ ଲାଗି ହୋଇଛନ୍ତି। ମହାପ୍ରଭୁ ଏକ ମାସ ଧରି ଘୋଡଲାଗି ବେଶରେ ଦର୍ଶନ ଦେବେ ଭକ୍ତଙ୍କୁ। ମାର୍ଗଶୀର ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥିରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଘୋଡ଼ ଲାଗି ବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶକୁ ଦର୍ଶନ କରିବା ପାଇଁ ଭକ୍ତଙ୍କର ଅହେତୁକ ଆଗ୍ରହ ରହିଥାଏ ।

ଶ୍ରୀମନ୍ଦିରର ଦର୍ଜି ସେବାୟତ ସର୍ଦ୍ଧାର ପ୍ରକାଶ ମହାପାତ୍ର କହିଥିଲେ, "ଆରମ୍ଭ ହୋଇଗଲାଣୀ ଶୀତ ଋତୁ। ପୁଣି କୋହଲା ପାଗ ସାଙ୍ଗକୁ ଥଣ୍ଡା ଅନୁଭବ ହେଉଛି। ସାରା ରାଜ୍ୟ ଶୀତରେ ଥରୁଥିବା ବେଳେ କେବଳ ମନୁଷ୍ୟ ନୁହଁନ୍ତି ଦେବାଦେବୀମାନେ ବି ଶୀତ ଦାଉରେ ପଡ଼ିଥାନ୍ତି। ମଣିଷମାନେ ଶୀତ ଋତୁରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଏକ ମାସ ଧରି ଶୀତ ବସ୍ତ୍ର ପରିଧାନ କରି ଘୋଡଲାଗି ବେଶ ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଡଲାଗି ବେଶ ପାଇଁ ପାରମ୍ପରୀକ ଦର୍ଜୀ ସେବାୟତଙ୍କୁ ୮୦ ମିଟର କପଡା ଯୋଗାଇ ଦିଆଯାଇଛି। ସେମାନେ ସେଥିରେ ଗଡା, ଖଣ୍ଡୁଆ ପାଟ, ଭେଲଭେଟ୍ ବସ୍ତ୍ର, ଫୁଟା, ମଫଲର, ଟୋପିର ଆଦି ଗରମ ପୋଷାକ ପ୍ରସ୍ତୁତ କରୁଥାନ୍ତି। ସେମାନଙ୍କ ମାପ ଅନୁସାରେ ଜଗନ୍ନାଥ ଓ ବଳଭଦ୍ରଙ୍କର ୫୦ ମିଟର କପଡା, ସୁଭଦ୍ରାଙ୍କର ୨୦ ମିଟର ଓ ସୁଦର୍ଶନଙ୍କର ୫ ମିଟର କପଡାରେ ଘୋଡ ବସ୍ତ୍ର ପ୍ରସ୍ତୁତ ହୋଇଛି। ଏହା ସହ ଅନ୍ୟା ଦେବାଦେବୀମାନଙ୍କ ପାଇଁ ମଧ୍ୟ ଘୋଡ ବସ୍ତ୍ର ପ୍ରସ୍ତୁତ କରାଯାଇଛି। ବୁଧବାର ଠାରୁ ଦର୍ଜୀ ସେବକଙ୍କ ଦ୍ୱାରା ଦିଆଯାଇଥିବା ଘୋଡ଼କୁ ଶ୍ରୀମନ୍ଦିରରେ ଅଧିବାସ କରି ରଖାଯାଇବେଳେ ଗୁରୁବାର ମାର୍ଗଶୀର ମାସ ଶୁକ୍ଲପକ୍ଷ ଷଷ୍ଠୀ । ଏହି ଦିନକୁ ଓଢ଼ଣ ପ୍ରାବରଣ ଷଷ୍ଠୀ ବୋଲି କୁହାଯାଏ । ଆଉ ଆଜି ମହାପ୍ରଭୁ ସକାଳ ଧୁପ ପରେ ଘୋଡଲାଗି ବେଶ ହୋଇଛନ୍ତି ।’’

ମଣିଷଙ୍କୁ ଶୀତ ହେବା ପରି ମାନବୀୟ ଲୀଳା କରୁଥିବା ମହାପ୍ରଭୁଙ୍କୁ ଶୀତ ବି ହୁଏ। ତେଣୁ ଶୀତରୁ ରକ୍ଷା ପାଇବାକୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶୀତ ବସ୍ତ୍ର ଲାଗି ହେବାକୁ ଘୋଡ଼ଲାଗି ନୀତି କୁହାଯାଏ। ଏହି ଶୀତ ବସ୍ତ୍ର ଲାଗି ହୋଇ ଘୋଡଲାଗି ବେଶ ହୋଇଥାନ୍ତି ମହାପ୍ରଭୁ। ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଶୁକ୍ଳ ଷଷ୍ଠୀରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତି ଘୋଡ ପରିଧାନ କରିଥାନ୍ତି । ଚଳିତ ବର୍ଷ ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର ୨୨ ହାତିଆ ସୁତାପୁଟା, ପତନୀ, ଗୀତଗୋବିନ୍ଦ ପାଟରେ ଠାକୁରଙ୍କ ନୂଆ ଘୋଡବସ୍ତ୍ର ପ୍ରସ୍ତୁତ କରିଥିଲେ। ଆଉ ଆଜି ଷଷ୍ଠୀ ଦିବସ ସକାଳେ ଧୂପ ପରେ ପଶୁପାଳକ ସେବାୟତମାନେ ମହାପ୍ରଭୂଙ୍କର ମଇଲମ ବିଧି ଶେଷ କରିବା ପରେ ପୂର୍ବରୁ ଅଧିବାଶ ଘରେ ରଖାଯାଇଥିବା ଘୋଡବସ୍ତ୍ରକୁ ରତ୍ନ ସିହାଂସନ ଉପରକୁ ନେଇ ବେଶ କରିଥାନ୍ତି। ଶ୍ରୀଜିଉଙ୍କର ଶୀତବସ୍ତ୍ର ପରିଧାନର ସ୍ୱତନ୍ତ୍ର ସାଜସଜା , ଘୋଡଲାଗି ବେଶ ଭାବରେ ପାରମ୍ପରୀକ ଦରଜୀ ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ଗଡା, ଖଣ୍ଡୁଆ ପାଟ, ଭେଲଭେଟ ବସ୍ତ୍ର, ଫୁଟା, ମଫଲର, ଟୋପିର ଆଦି ଗରମ ପୋଷାକ ସହିତ ବେଶରେ ୩୦ ପ୍ରକାରର ସୁନା ଅଳଙ୍କାର ପରିଧାନ କରି ମୁରତୀ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି, ବୋଲି କହିଛନ୍ତି ମହାପ୍ରଭୂଙ୍କ ଶ୍ରୀଅଙ୍ଗର ବେଶ ସେବାୟତ ପୁଷ୍ପାଳକ ସେବାୟତ ହରିବୋଲ ସିଂହାରୀ।

ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି


"ବିଗ୍ରହମାନେ ସପ୍ତାହରେ ବିଭିନ୍ନ ବାରରେ ଭିନ୍ନ ରଙ୍ଗର ମୋଟ ସାତ ରଙ୍ଗର ଘୋଡ ପରିଧାନ କରନ୍ତି। ସୋମବାର ଦିନ ଧଳା ଛିଟ, ମଙ୍ଗଳବାର ଦିନ ବାରପାଟିଆ ପଟା ବସ୍ତ୍ର, ବୁଧବାର ଦିନ ନୀଳବସ୍ତ୍ର, ଗୁରୁବାର ଦିନ ହଳଦିଆ ବସ୍ତ୍ର, ଶୁକ୍ରବାର ଧଳା, ଶନିବାର କଳା ଓ ରବିବାର ଦିନ ନାଲି ବସ୍ତ୍ରର ଘୋଡଲାଗି ହୋଇଥାନ୍ତି ମହାପ୍ରଭୁ। ପ୍ରତିବର୍ଷ ନୂଆ ଘୋଡ ବସ୍ତ୍ର ତିଆରି ହୁଏ । ଏହି ବସ୍ତ୍ରସବୁ ଗୀତଗୋବିନ୍ଦ ପାଟ, ପତନୀ ଓ ଗଡାରେ ତିଆରି ହୁଏ । ଘୋଡଲାଗି ବସ୍ତ୍ର ବ୍ୟତୀତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲାଗି ୩ଟି ଖଟ ପାଛୁଡି, ୨ଟି ତୁଳି ପଟା, ୩ଟି ଥୋଡ ପାହାଡିଆ, ଗୋଟିଏ ମୁଦିରଥ ଓ ୨ଟି ଫୁଲଛେଦା ମଧ୍ୟ ତିଆରି ହୁଏ । ଏହାଛଡା ପାର୍ଶ୍ଵ ଦେବାଦେବୀଙ୍କ ପାଇଁ ମଧ୍ୟ ଘୋଡବସ୍ତ୍ର ତିଆରି ହୁଏ । ଏହି ତିଥିରେ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ, ମନ୍ଦିର ,ପୀଠ ମାନଙ୍କରେ ଦେବୀଦେବତାମାନେ ଘୋଡ଼ ଲାଗି ହୋଇଥାନ୍ତି । ମହାପ୍ରଭୁଙ୍କ ଘୋଡଲାଗି ବେଶକୁ ଦର୍ଶନ କରିବା ପାଇଁ ଭକ୍ତଙ୍କର ଅହେତୁକ ଆଗ୍ରହ ରହିଥାଏ,’’ କହିଥିଲେ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା।

ଖାଲି ଶ୍ରୀମନ୍ଦିରରେ ନୁହେଁ ଉତ୍କଳର ସମସ୍ତ ମନ୍ଦିରମାନଙ୍କରେ ମଧ୍ୟ ଦେବାଦେବୀଙ୍କୁ ଓଢ଼ଣ ଲାଗି କରାଯିବାର ବିଧି ରହିଛି। ପ୍ରାବରଣ ଷଷ୍ଠୀ ବା ଓଢ଼ଣ ଷଷ୍ଠୀରୁ ଶ୍ରୀମନ୍ଦିରରେ ଏକମାସ ଧରି ମହାପ୍ରଭୁ ଘୋଡଲାଗି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଓଢ଼ଣ ଷଷ୍ଠୀ ପରେ ଧନୁ ସଂକ୍ରାନ୍ତି ଠାରୁ ପହିଲି ଭୋଗ ନୀତି ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।
Published by:Lipina Das
First published: