News 18 Odia Digital
ଭୁବନେଶ୍ୱର; ଓଏଲ୍ଏକ୍ସରୁ ଶସ୍ତାରେ ମୋବାଇଲ ଫୋନ ଜିଣିବା ମହଙ୍ଗା ପଡ଼ିଲା । ଫୋନ୍ ଦେବାକୁ କହି ଦୁଇଭାଇଙ୍କ ଠାରୁ ୧ ଲକ୍ଷ ୨୦ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସମ୍ପୃକ୍ତି ରହିଥିବା ବିଟେକ ଛାତ୍ରଙ୍କୁ ସାଇବର ଥାନା ପୁଲିସ ସୋମବାର ଗିରଫ କରିଛି । ଗିରଫ ଠକ ନୟାଗଡ ଟାଉନ ଥାନା ଅଧୀନ ରଥଗଡ଼ସାହିର ସିଦ୍ଧାର୍ଥ ପାଣିଗ୍ରାହୀ ଓରଫ ସାଗର ( ୨୪ ) । ସିଦ୍ଧାର୍ଥ ଠାରୁ ନଗଦ ୭୦ ହଜାର ଟଙ୍କା ଓ ଗୋଟିଏ ଫୋନ୍ ଜବତ କରାଯାଇଛି । ଏପରିଭାବେ ସେ ଆଉ କେଉଁଠି ଠକେଇ କରିଛନ୍ତି , ସେ ଦିଗରେ ତଦନ୍ତ କରୁଛି ପୋଲିସ ।

ଏକ ଘରୋଇ ଶିକ୍ଷାନୁଷ୍ଠାନରେ କମ୍ପ୍ୟୁଟର ସାଇନ୍ସର ଛାତ୍ର ସିଦ୍ଧାର୍ଥ । ପୁଲିସର କହିବା ମୁତାବକ ସିଦ୍ଧାର୍ଥ ଓଏଲଏକ୍ସରେ ମୋବାଇଲ ଫୋନ ବିକ୍ରି କରିବା ଲାଗି ବିଜ୍ଞାପନ ଦେଇଥିଲେ । ଏହାକୁ ଦେଖି ଏୟାରପୋର୍ଟ ଥାନା ପୋଖରୀପୁଟର ଅଞ୍ଚଳର ଦୁଇ ଭାଇ ତାଙ୍କୁ ଯୋଗାଯୋଗ କରିଥିଲେ । ବିଜ୍ଞାପନ ଦେଇଥିବା ବିଭିନ୍ନ ବ୍ରାଣ୍ଡର ୪ଟି ଫୋନର ଦାମ୍ ୧ ଲକ୍ଷ ୨୦ହଜାର ଟଙ୍କା ଥିଲା । ଏପରିକି ଗୋଟିଏ ଫୋନର ଅସଲି ଦାମ ୫୨ହଜାର ୫୦୦ ଥିବା ବେଳେ ସିଦ୍ଧାର୍ଥ ଉକ୍ତ ଫୋନ୍ ୩୨ହଜାର ୫୦୦ ଟଙ୍କାରେ ବିକ୍ରି କରିବା ଲାଗି ବିଜ୍ଞାପନ ଦେଇଥିଲେ । ଏଣୁ ଶସ୍ତାରେ ଫୋନ ମିଳୁଥିବାରୁ ବିଶ୍ୱଜିତ ୪ଟି ଫୋନ୍ ଅର୍ଡର କରିଥିଲେ । ସେଥିପାଇଁ ଫୋନର ଦର ଥିଲା ୩୦ହଜାର ଟଙ୍କା । ୪ ଟି ଫୋନ ବାବଦକୁ ଅଭିଯୋଗକାରୀ ୧ଲକ୍ଷ ୨୦ହଜାର ଟଙ୍କା ପେମେଣ୍ଟ୍ କରିଥିଲେ । ଟଙ୍କା ପେମେଣ୍ଟ୍ ସରିବା ପରେ ସିରିପୁର ଅଞ୍ଚଳର ଏକ ଦୋକାନକୁ ଯାଇ ମୋବାଇଲ ଆଣିବାକୁ ଦୁଇ ଭାଇଙ୍କୁ କହିଥିଲେ ସିଦ୍ଧାର୍ଥ ।
ଅଭିଯୋଗକାରୀ ବିଶ୍ୱଜିତ ମୋବାଇଲ ଦୋକାନକୁ ଫୋନ ଆଣିବା ଲାଗି ଯିବାରୁ ସେଠାରେ ଥିବା କର୍ମଚାରୀ ଫୋନ ଦେଇନଥିଲେ । କାରଣ ସିଦ୍ଧାର୍ଥ ଫୋନ ବାବଦରେ ଟଙ୍କା ସେଠାରେ ପୈଠ କରିନଥିଲେ । ସେପଟେ ଟଙ୍କା ନେବା ପରେ ସିଦ୍ଧାର୍ଥ ଫୋନ , ଆକାଉଣ୍ଟ ଏବଂ ବିଜ୍ଞାପନକୁ ଡିଲେଟ କରି ଦେଇଥିଲେ । ବିଶ୍ଵବିତଙ୍କ ଠାରୁ ଫୋନ୍ ଦେବା ବାବଦରେ ଟଙ୍କା ନେଇ ଧରାଛୁଆଁ ଦେଉନଥିଲେ ସିଦ୍ଧାର୍ଥ । ଏପରିକି ଟଙ୍କା ଫେରସ୍ତ ନ କରିବା ସହ ଫୋନ ମଧ୍ୟ ଉଠାଇ ନଥିଲେ । ଏନେଇ ଗତ ୨୨ ତାରିଖରେ ବିଶ୍ୱଜିତ ସାଇବର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ସିଦ୍ଧାର୍ଥକୁ ନୟାଗଡ଼ରୁ ଗିରଫ କରିବା ସହ ତା ନିକଟରୁ ଟଙ୍କା ଜବତ କରିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।