ରାଜ୍ୟରେ ରତ୍ନ ପଥର ଚୋରା ଚାଲାଣ ସାମନାକୁ ଆସିଲା; କୋଟି କୋଟି ଟଙ୍କାର ପଥର ଜବତ; ୧ ଗିରଫ

ରାଜ୍ୟ ସରକାର ରତ୍ନ ପଥର ଖଣିର ସୁରକ୍ଷା ଯୋଗାଇ ଦେଉଥିବା ବେଳେ ଓ ସୁରକ୍ଷାକର୍ମୀଙ୍କ ୨୪ ଘଣ୍ଟିଆ ନଜରରେ ଖଣିଗୁଡ଼ିକ ସିଲ୍ ହୋଇ ରହିଥିବା ବେଳେ କେମିତି ରତ୍ନ ପଥରର ଚୋରା ଚାଲାଣ ହେଉଛି ସେହି ପ୍ରଶ୍ନ ଅନେକଙ୍କ ମନରେ ସୃଷ୍ଟି ହୋଇଛି l

ରାଜ୍ୟରେ ରତ୍ନ ପଥର ଚୋରା ଚାଲାଣ ସାମନାକୁ ଆସିଲା; କୋଟି କୋଟି ଟଙ୍କାର ପଥର ଜବତ; ୧ ଗିରଫ
ଜବତ ହୋଇଥିବା ରତ୍ନ ପଥରରୁ କିଛି ଓ (ଡାହାଣ) ଗିରଫ ହୋଇଥିବା ସୁଜିତ ମେହେର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରୁ ଦେଶ ଓ ବିଦେଶକୁ ହେଉଥିବା ମୂଲ୍ୟବାନ ରତ୍ନ ପଥର ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି କ୍ରାଇମ ବ୍ରାଞ୍ଚ ଏସଟିଏଫ l ତଦନ୍ତ ବେଳେ ଏସଟିଏଫ ହାତରେ ଧରାପଡ଼ିଛି ରତ୍ନ ପଥର ସ୍ମଗଲର ସୁଜିତ କୁମାର ମେହେର l ସୁଜିତ ନିଜ ଘରେ ଲୁଚାଇ ରଖିଥିବା ୩ କୁଇଣ୍ଟାଲ ୨ କେଜି ୧୮ ଗ୍ରାମର ରତ୍ନ ପଥରକୁ ଜବତ କରାଯାଇଛି l

ଜବତ ହୋଇଥିବା ରତ୍ନ ପଥର ମଧ୍ୟରେ ରହିଛି ରୁବି ଓ ପାନ୍ନା ଭଳି ମୂଲ୍ୟବାନ ପଥର l ସେଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି l ରତ୍ନ ପଥର ଚୋରା କାରବାର ନେଟୱର୍କର ଶାଖା ପ୍ରଶାଖା ଉଦ୍ଭେଦନ କରିବା ପାଇଁ ସୁଜିତ ମେହେରକୁ ରିମାଣ୍ଡରେ ଆଣି ପଚରା ଉଚରା କରିବାକୁ ଯୋଜନା ରଖିଛି STF l

ସ୍ମଗଲର୍‌ ସୁଜିତ ମେହେରର ଘର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଲାସାରେ l ସେ ଓଡ଼ିଶାରେ ହେଉଥିବା ରତ୍ନ ପଥର ଚୋରା କାରବାରର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ବୋଲି ପୋଲିସ କହିଛି ।

ଜୁନାଗଡ଼ ଅଞ୍ଚଳର ଜିଲିଙ୍ଗଦର ଓ ରାବଣ ଡଙ୍ଗର ଅଞ୍ଚଳରେ ରହିଛି ଚାରିଟି ଖଣି l  ସେଗୁଡିକ ହେଲା ମାଣିକ, ନିଲମ, କାକାନେଳି ଏବଂ ବେରୁଜ ଖଣି l ରତ୍ନ ପଥରର ଚୋରା କାରବାର ହେଉଥିବାରୁ ଏହି ସବୁ ଖଣିଗୁଡିକୁ ସିଲ କରାଯାଇଛି l ତାର ବାଡ଼ ଦିଆଯାଇଛି l ୨୪ ଘଣ୍ଟା ସୁରକ୍ଷାକର୍ମୀ ସେଠାରେ ଜଗିଛନ୍ତି l କିନ୍ତୁ ତାହାରି ଭିତରେ ବି ସ୍ମଗଲରମାନେ ରତ୍ନ ପଥରର ଚୋରା କାରବାର କରୁଛନ୍ତି l

ସୁଜିତ ମେହେର ନିଜ ଘରେ ୩ କୁଇଣ୍ଟାଲ ୨ କେଜି ୧୮ ଗ୍ରାମର ରତ୍ନ ପଥର ଲୁଚାଇ ରଖିଥିଲା l


ସୂଚନା ଅନୁସାରେ ରତ୍ନ ପଥର ଚୋରା କାରବାରର ଚେର ଲମ୍ବିଛି ଜୁନାଗଡ଼ରୁ ଛତିଶଗଡ଼ ଓ ରାଜସ୍ଥାନକୁ l ପ୍ରତି ଦିନ ଜୁନାଗଡ଼କୁ ରାଜସ୍ଥାନର ବିଭିନ୍ନ ସ୍ଥାନରୁ ଓ ଛତିଶଗଡ଼ର ରାଇପୁରରୁ ତସ୍କର ଆସୁଛନ୍ତି l ରାତାରାତି ରତ୍ନ ପଥରର ଡିଲ ହୋଇ ଦେଶ ବିଦେଶକୁ ଚାଲାଣ କରାଯାଉଛି l ଏକ କିଲୋ ରୁବିର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି l ତସ୍କରମାନେ ରତ୍ନ ପଥରକୁ ଲଟ୍‌ ହିସାବରେ ବିକ୍ରି କରନ୍ତି l ତିନିରୁ ଚାରିଟି ମାଣିକ ପଥରରେ ଗୋଟିଏ ଲଟ୍‌ ହୁଏ l ପୋଲିସକୁ ଅନୁସନ୍ଧାନରୁ ଜଣାପଡିଛି ଯେ ସୁଜିତର ଗାଁ ପଲାସାରେ ଅଛନ୍ତି ସବୁ ଠାରୁ ଅଧିକ ରତ୍ନପଥର ତସ୍କର l

ସୁଜିତ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୭୯ ଓ ୪୧୧ ଏବଂ ଓଡ଼ିଶା ମିନେରାଲ୍ସ (ପ୍ରିଭେନସନ ଅଫ ଥେପଟ ଆଣ୍ଡ୍‌ ସ୍ମଗଲିଂ) ଆଇନର ଦଫା ୧୨ ଅନୁସାରେ ଜୁନାଗଡ଼ ଥାନାରେ ରୁଜୁ ହୋଇଛି ମାମଲା l ସୁଜିତ ନାଁରେ ପୂର୍ବରୁ କେଉଁ ଥାନାରେ କେତେ ମାମଲା ରହିଛି ତାହା ଖୋଜା ଚାଲିଛି l ରତ୍ନ ପଥର କାରବାରର ଅନ୍ୟ ତସ୍କରଙ୍କୁ ଧରିବାକୁ ଚାଲିଛି ରେଡ୍‌ l ଏସଟିଏଫର ଚାରିଜଣିଆ ଟିମ ଜୁନାଗଡରେ କ୍ୟାମ୍ପ ପକାଇଛି l

‘‘ସୁଜିତକୁ ରିମାଣ୍ଡରେ ଆଣିଲେ ରତ୍ନ ପଥର ଚୋରା ଚାଲାଣର ଆହୁରି ଅନେକ ଭିତିରି କଥା ସାମନାକୁ ଆସିବ,’’ କହିଛନ୍ତି ଏସଟିଏଫ ଏସ.ପି. ପ୍ରଶାନ୍ତ ଭୋଇ ।

ଏହା ବି ପଢ଼ନ୍ତୁ: ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ମହାରାଷ୍ଟ୍ରରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଲା ଉତ୍ତର ପ୍ରଦେଶ ପୋଲିସ

ଏହା ବି ପଢ଼ନ୍ତୁ: ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ

ତେବେ ରାଜ୍ୟ ସରକାର ରତ୍ନ ପଥର ଖଣିର ସୁରକ୍ଷା ଯୋଗାଇ ଦେଉଥିବା ବେଳେ ଓ ସୁରକ୍ଷାକର୍ମୀଙ୍କ ୨୪ ଘଣ୍ଟିଆ ନଜରରେ ଖଣିଗୁଡ଼ିକ ସିଲ୍‌ ହୋଇ ରହିଥିବା ବେଳେ କେମିତି ରତ୍ନ ପଥରର ଚୋରା ଚାଲାଣ ହେଉଛି ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି l ଏସଟିଏଫ ରେଡ କରି ସ୍ମଗଲରଙ୍କୁ ଗିରଫ କରୁଥିବା ବେଳେ ସ୍ଥାନୀୟ ପୋଲିସ କ’ଣ କରୁଛି ତାହା ବି ପ୍ରଶ୍ନ ଘେରକୁ ଆସିଛି ।
Published by: Anand Shankar Thankur Das
First published: July 14, 2020, 1:40 AM IST
corona virus btn
corona virus btn
Loading