ଦିବ୍ୟାଙ୍ଗ ପାଇଁ ଘର ଆଗରେ ଅଟକିବ ଅଳିଆ ଗାଡ଼ି (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ଵର : ରାଜ୍ଯରେ ପ୍ରଥମ ଥର ପାଇଁ ଏକ ନୂଆ ପ୍ରୟାସ ଆପଣେଇଛି ଭୁବନେଶ୍ବର ମହାନଗର ନିଗମ। ଏଥର ଅଳିଆ ଗାଡ଼ି ପାଖକୁ ଆସିବେ ନାହିଁ ଭିନ୍ନକ୍ଷମ ଲୋକେ। ସେମାନଙ୍କ ପାଖକୁ କର୍ମୀ ଯାଇ ଅଳିଆ ସଂଗ୍ରହ କରିବେ। ନଚେତ ସେହି ଲୋକମାନଙ୍କ ଘର ପାଖରେ କିଛି ସମୟ ଅପେକ୍ଷା କରିବ ବିଏମସି ଗାଡ଼ି। ଏହାକୁ ଉତ୍କଳ ଦୃଷ୍ଟିହୀନ ସଂଘ ସ୍ୱାଗତ୍ କରିଛି।
"ସିଫାର ( CFAR ) ଓ ବିଏମସିର ମିଳିତ ଉଦ୍ୟମରେ ଭିନ୍ନକ୍ଷମମାନଙ୍କ ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଛି। ଦିବ୍ୟାଙ୍ଗମାନଙ୍କ ଘର ସାମନାରେ ଷ୍ଟିକର ମଧ୍ୟ ଲଗାଯାଇଛି। ୱାର୍ଡ଼ ନମ୍ବର ୬୩, ୨୧, ଓ ୫୭ ନମ୍ବରରେ ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଗାମୀ ଦିନରେ ପ୍ରତି ୱାର୍ଡ଼ରେ ଏଭଳି ବ୍ୟବସ୍ଥା କରାଯିବ,"କହିଛନ୍ତି ସିଫାର ସଂଗଠନର ମୁଖ୍ୟ।
BMC ଅଫିସରୁ ବାହାରୁଥିବା ଏ ସଫେଇ ଗାଡି କିଛି ସମୟ ପାଇଁ ଅଟକି ଯିବ। ସାଧାରଣ ସକ୍ଷମ ଲୋକଙ୍କ ଘର ଅପେକ୍ଷା ଅଧିକ ସମୟ ଦିବ୍ୟାଙ୍ଗ ମାନଙ୍କ ଘର ପାଖରେ ଅଟକି ରହିବ ଏହି ସଫେଇ ଗାଡି। ଯଦି କେହି ଦିବ୍ୟାଙ୍ଗ ଘରେ ଅଛନ୍ତି ଆସି ପାରୁ ନାହାନ୍ତି ତେବେ ଗାଡ଼ିର ସହାୟକ କର୍ମୀ ଅଳିଆ ଆଣିବେ। ଏ ନେଇ ୩ଟି ୱାର୍ଡ଼ରେ ସେମାନଙ୍କ ଘରକୁ ଚିହ୍ନଟ କରାଯାଇ ଷ୍ଟିକରିଙ୍ଗ ହୋଇଛି।
ପୂର୍ବରୁ ଦିବ୍ୟାଙ୍ଗମାନେ ଆବର୍ଜନା ଆଣି ଗାଡ଼ି ପାଖକୁ ଆସିବା ବେଳକୁ ଗାଡ଼ି ପଳାଇ ଯାଉଥିଲା । ସେପଟେ ବିଏମସିର ଅତିରିକ୍ତ କମିଶନର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାକୁ ସବୁ ୱାର୍ଡ଼କୁ କିଭଳି ଧୀରେ ଧୀରେ ସୁଦୂର ପ୍ରସାରୀ ହେବ ସେ ନେଇ ରୋଡ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ରାଜଧାନୀକୁ ପରିମଳ ରଖିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଥିବା ବିଏମ୍ସି ପାଇଁ ଏହା ଏକ ବଡ଼ ଆହ୍ଵାନ।
Published by:Soumya Das
First published: