ଗଞ୍ଜାମରେ ଗାଁ ଠାକୁରାଣୀଙ୍କ ବୋଦାକୁ ମାରି ତା’ ମାଂସ ବିକିଲେ, ଗାଁ ଦାଣ୍ଡରେ ବନ୍ଧାହେଲେ

ଅଭିଯୁକ୍ତ ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ବୋଦାଟିକୁ ଆର ଜଣକ ସହ ମିଶି ଗୁହାଳରୁ ଚୋରି କରିଥିଲା ବୋଲି ମାନିଥିବା ବେଳେ ତା’ ପାଖରେ ଖୁଣ୍ଟରେ ବନ୍ଧାହୋଇଥିବା ତା’ ସାଥୀ କହିଛି ଯେ ସେ ମଲା ବୋଦାଟିକୁ ଜଣେ ଅଜଣା ଲୋକ ଠାରୁ କିଣିଥିଲା ।

ଗଞ୍ଜାମରେ ଗାଁ ଠାକୁରାଣୀଙ୍କ ବୋଦାକୁ ମାରି ତା’ ମାଂସ ବିକିଲେ, ଗାଁ ଦାଣ୍ଡରେ ବନ୍ଧାହେଲେ
ଗାଁ ଦାଣ୍ଡରେ ବନ୍ଧା ହୋଇଥିବା ଦୁଇ ଅଭିଯୁକ୍ତ ଯୁବକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଆଗକୁ ଗହ୍ମା ପୂର୍ଣ୍ଣମୀ ଆସୁଥିବାରୁ ପରମ୍ପରା ଅନୁଯାୟୀ ଗାଁ ଠାକୁରାଣୀଙ୍କ ପାଖରେ ବଳି ଦେବା ପାଇଁ ଗାଁ ଲୋକେ ୫,୫୦୦ ଟଙ୍କା ଦେଇ ଗୋଟେ ବୋଦା କିଣି ଆଣିଲେ । ହେଲେ ନିକଟସ୍ଥ ଗାଁର ଦୁଇ ଜଣ ଯୁବକ ସେ ବୋଦାକୁ ରାତିରେ ଗୁହାଳରୁ ଚୋରି କରି ତାକୁ ମାରିଦେଲେ ଓ ତା’ ମାଂସକୁ ବିକ୍ରି କରିଦେଲେ । ଏହି ଘଟଣା ଜଣା ପଡ଼ିବା ପରେ ଗାଁ ଲୋକେ ସେହି ଦୁଇ ଯୁବକଙ୍କୁ ଧରି ଗାଁ ଦାଣ୍ଡରେ ଏକ ଖୁଣ୍ଟରେ ବେଶ୍‌ କିଛି ଘଣ୍ଟା ବାନ୍ଧି ରଖିଲେ ।

ଏହି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଗୁଣ୍ଡରିବାଡ଼ି ଗ୍ରାମରେ । ଗାଁ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ କିଣାଯାଇଥିବା ବୋଦାଟିକୁ ଗତ ବିଳମ୍ୱିତ ରାତିରେ ନିକଟସ୍ଥ ଗୁଣ୍ଡରିବାଡ଼ି୨ ଗାଁର ନୂଆଁସାହିର ଦୁଇ ଜଣ ଯୁବକ ଜଣେ ଗ୍ରାମବାସୀଙ୍କ ଗୁହାଳରୁ ଚୋରିକରି ତା’ ମାଂସକୁ ବିକ୍ରି କରିଦେଇଥିବା ଜଣା ପଡ଼ିଥିଲା । ଏହା ପରେ ଗ୍ରାମବାସୀଙ୍କ ମନରେ ଦୁଃଖ ସହ କ୍ରୋଧ ବି ଆସିଥିଲା ।

ଗ୍ରାମବାସୀଙ୍କ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଦୁଇ ଯୁବକ ଶମ୍ଭୁତାରିଣୀ ଓ ସୀମା ବିଷୋୟୀ ବୋଦାଟିକୁ ଗତ କାଲି ବିଳମ୍ବିତ ରାତିରେ ଚୋରାଇ ନେଇଥିଲେ । ସେହି ଦୁଇ ଯୁବକଙ୍କୁ ଗ୍ରାମବାସୀମାନେ ଆଜି କୌଶଳ କରି ଧରିଆଣିଥିଲେ ଓ ଗାଁ ଦାଣ୍ଡରେ ଏକ ଟାୱାର ଖୁଣ୍ଟରେ ଦୁଇ ଜଣକୁ ବାନ୍ଧି ରଖିଥିଲେ ।

ବନ୍ଧା ହୋଇଥିବା ଯୁବକଙ୍କ ଚାରି ପାଖରେ ବଡ଼ ଭିଡ଼ ଜମିଥିଲା ।


‘‘ଏଇଟା ତ ନିହାତି ଗୋଟେ ଖରାପ କାମ । ବୋଦାଟିକୁ ଗାଁ ଠାକୁରାଣୀଙ୍କ ପାଇଁ ଅଣାଯାଇଥିଲା । ତାକୁ ଚୋରି କରି ମାରିଦେବା ଓ ତା’ ମାଂସକୁ ବିକ୍ରି କରିଦେବା ଭଲ କଥା ହୋଇନି । ଦୋଷୀ ଦୁଇ ଜଣଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଉଚିତ,’’ କହିଛନ୍ତି ଗୁଣ୍ଡୁରିବାଡ଼ି ଗାଁର ରାମଚନ୍ଦ୍ର ଜେନା ।

ଅଭିଯୁକ୍ତ ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ସୀମା ବିଷୋୟୀ ବୋଦାକୁ ଶମ୍ଭୁ ସହ ମିଶି ଗାଁର ଜଗନ୍ନାଥ ଜେନାଙ୍କ ଗୁହାଳରୁ ଚୋରି କରିଥିବା କଥା ମାନିଥିବା ବେଳେ ତା’ ପାଖରେ ଖୁଣ୍ଟରେ ବନ୍ଧାହୋଇଥିବା ଶମ୍ଭୁ ଏହା କରିଥିବା ମାନି ନାହିଁ । ଶମ୍ଭୁ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ କହିଛି ଯେ ସେ ମଲା ବୋଦାଟିକୁ କେହି ଜଣେ ଅଜଣା ଲୋକ ଠାରୁ କିଣିଥିଲା ।

ଗ୍ରାମବାସୀମାନେ ସନ୍ଧ୍ୟାରେ ଗ୍ରାମ ସଭା ଡାକି ଏହି ଦୁଇ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନସ୍ଥ କରିଥିବା ବେଳେ ସେମାନଙ୍କୁ ଖୁଣ୍ଟରେ ବାନ୍ଧିଥିବା ଘଟଣା ପୋଲିସ ପାଖରେ ପହଞ୍ଚି ଥିଲା ଓ ପୋଲିସ ଦୁଇ ଯୁବକଙ୍କୁ ଖୁଣ୍ଟରୁ ମୁକୁଳାଇଥିଲା । ଏହି ଘଟଣାରେ ଏ ପର୍ଯ୍ୟନ୍ତ କୌଣସି ପୋଲିସ୍‌ କେସ୍‌ ରୁଜୁ ହୋଇ ନ ଥିବା ଜଣାଯାଇଛି ।

ଏହା ବି ପଢ଼ନ୍ତୁ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନାକୁ ହରେଇଲେ, ହସପିଟାଲରୁ ଡିସଚାର୍ଜ ହେଲେ

ଏହା ବି ପଢ଼ନ୍ତୁ: ଗବେଷଣାରୁ ଜଣାପଡ଼ିଲା କାହିଁକି ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାର ଅଧିକ ଶିକାର ହେଉଛନ୍ତି

ବୋଦା ଚୋରି ହେବା ପରେ ପୋଲିସକୁ ସୂଚନା ନ ଦେଇ ଗ୍ରାମବାସୀମାନେ ଦୁଇ ଯୁବକଙ୍କୁ ଧରିବା ଓ ସେମାନଙ୍କୁ ଗାଁ ଦାଣ୍ଡରେ ଖୁଣ୍ଟରେ ବାନ୍ଧିବା ଘଟଣାକୁ କଙ୍ଗାରୁ କୋର୍ଟ୍‌ ଭାବେ ଅଭିହିତ କରାଯାଉଛି ଓ ସାଧାରଣରେ ନାପସନ୍ଦ କରାଯାଇଛି ।
Published by: Anand Shankar Thankur Das
First published: July 28, 2020, 3:00 PM IST
corona virus btn
corona virus btn
Loading