News18 Odia Digital
ଗଞ୍ଜାମ: ଭିକ୍ଷାବୃତ୍ତି କରି ଜୀବନ ବିତାଉଛନ୍ତି ସରପଞ୍ଚ। ଗାଁ ଗାଁ ବୁଲି ଲୋକଙ୍କ ନିକଟରେ ହାତ ପତାଉଛନ୍ତି। ଯିଏ ଯାହା ଦେଲା ତାହା ଆଣି ଚଳୁଛନ୍ତି। ଏଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକର ବାଦପଲ୍ଲୀରୁ। ବାଦପଲ୍ଲୀର ସରପଞ୍ଚ ହେମ ନାୟକ ହରିଜନ ସଂରକ୍ଷଣ କୋଟାରେ ସରପଞ୍ଚ ହୋଇଥିବା ବେଳେ ତାଙ୍କୁ ହାତବାରିସି କରି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଛି।
ପଞ୍ଚାୟତରେ ହେଉଥିବା କାର୍ଯ୍ୟ ସମ୍ପର୍କରେ ସେ ଜ୍ଞାତ ନଥିବା ବେଳେ ତାଙ୍କର ଦସ୍ତଖତ ନେଇ ସବୁ କାମ ହେଉଛି। ପଞ୍ଚାୟତର ସରପଞ୍ଚ ହୋଇଥିଲା ସୁଦ୍ଧା ଏକ ଝାଟିମାଟି ଘରେ ରହୁଥିବା ବେଳେ ଏବେ ଭିକ୍ଷାବୃତ୍ତି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଭିକ୍ଷାବୃତ୍ତି କରିବାର ଭିଡ଼ିଓ ଭାଇରଲ ହୋଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସରପଞ୍ଚ ହେମ ନାୟକ। କିଭଳି ରହିଛନ୍ତି ସରପଞ୍ଚ ଓ ତାଙ୍କ କାମକୁ ନେଇ କେତେ ସନ୍ତୋଷ ପଞ୍ଚାୟତ ବାସିନ୍ଦା।
ନାମକୁ ମାତ୍ର ସରପଞ୍ଚ। ପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ପୁରୋଧା କୁହାଯାଉଥିବା ସରପଞ୍ଚ ଏବେ ଦାରିଦ୍ର୍ୟର ସୀମାରେଖା ତଳେ। କେବଳ ଏତିକି ନୁହେଁ ବରଂ ଗାଁ ଗାଁ ବୁଲି ସରପଞ୍ଚ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳିଛି । ଏହି ସରପଞ୍ଚ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ବାଦପଲ୍ଲୀ ପଞ୍ଚାୟତର ସରପଞ୍ଚ ହେମ ନାୟକ। ହେମ ନାୟକ ଗତ କିଛି ଦିନ ପୂର୍ବରୁ ବାଦପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ଖଲ୍ଲିକୋଟ ବିଧାୟକଙ୍କ ଉପସ୍ଥିତିରେ ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ କରିଥିଲେ ହେମ ନାୟକ। କିନ୍ତୁ ଏହି ବଣ୍ଟନର ପରେ ଏବେ ସେ ଲୋକଙ୍କ ନିକଟରେ ହାତ ପତାଇ ଭିକ୍ଷାବୃତ୍ତି କରିବାର ଭିଡ଼ିଓ ସାମ୍ନାକୁ ଆସିଛି।
ବାଦପଲ୍ଲୀ ସରପଞ୍ଚ ହେମ ନାୟକ କହିଛନ୍ତି, ‘‘ଭିକ୍ଷାବୃତ୍ତି କରୁନାହିଁ । ମୋର କିଛି ପାରିବାରିକ ଓ ବନ୍ଧୁବାଧ୍ୟବ ଗାଁ ବାହାରେ ରହୁଛନ୍ତି । ତେଣୁ ସେମାନଙ୍କ ପାଖକୁ ଯାଇ ଆର୍ଥିକ ସାହାର୍ଯ୍ୟ ମାଗିଥିଲି । ଭିକ୍ଷାବୃତ୍ତି କାହିଁକି କରିବି ସରପଞ୍ଚ ଭାବେ ଦରମା ପାଉଛି । ଆଉ ପଞ୍ଚାୟତର ସମସ୍ତ କାର୍ଯ୍ୟ କରୁଛି ।’’
ଭିକ୍ଷାବୃତ୍ତି କରୁନାହାଁନ୍ତି ବରଂ ତାଙ୍କର ପରିବାର ଲୋକଙ୍କ ପାଖକୁ ଯାଇ ଆର୍ଥିକ ସାହାର୍ଯ୍ୟ ମାଗୁଥିବା କଥା କହିଛନ୍ତି ନିଜେ ହେମ। ସେପଟେ ହେମଙ୍କ ସ୍ବାମୀ ଘନ ନାୟକ ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଅଛନ୍ତି। ହେମଙ୍କ ମାନସିକ ସ୍ଥିତି ଭଲ ନଥିବା ଯୋଗୁଁ ସେ ଏଭଳି କାର୍ଯ୍ୟ କରିଥାନ୍ତି ବୋଲି କହିଛନ୍ତି ଘନ। ଏହାଛଡ଼ା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ହେମଙ୍କ ଜରିଆରେ ହୋଇଥାଏ ଓ ହେମ ପଞ୍ଚାୟତର ବୈଠକରେ ସାମିଲ ହୋଇ ଲୋକଙ୍କ ଦୁଃଖ ବୁଝିଥାନ୍ତି ବୋଲି କହିଛନ୍ତି ତାଙ୍କ ସ୍ବାମୀ ।
‘‘୨୦୧୭ରେ ହୋଇଥିବା ପାଞ୍ଚାୟତ ନିର୍ବାଚନରେ ବାଦପଲ୍ଲୀ ପାଞ୍ଚାୟତରେ ହରିଜନ ସଂରକ୍ଷଣ ହୋଇଥିଲା। ବାଦପଲ୍ଲୀ ପାଞ୍ଚାୟତ ହେମଙ୍କ ପରିବାରକୁ ଛାଡ଼ି ଦେଲେ କେହି ହରିଜନ ପରିବାର ନଥିଲେ । ଫଳରେ ହେମକୁ ଅପ୍ରତିଦ୍ବନ୍ଦୀ ଭାବେ ସରପଞ୍ଚ କରିଦିଆଗଲା । ସଂରକ୍ଷଣ କାରଣରୁ ସରପଞ୍ଚ ହେଲେ ହେମ କିନ୍ତୁ ବଦଳି ପାରିଲାନି ତାଙ୍କ ସ୍ଥିତି। ପୁଣି ପାଞ୍ଚାୟତ ନିର୍ବାଚନ ଆସିଲାଣି କିନ୍ତୁ ହେମ ଯେମିତି ଥିଲେ ତାଙ୍କର ସ୍ଥିତି ସେମିତି ରହିଛି । ହେମ କେବଳ ନାମକୁ ମାତ୍ର ସରପଞ୍ଚ ରହିଥିବା ବେଳେ ତାଙ୍କ କାମ ସବୁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ କରୁଛନ୍ତି,’’ କହିଛନ୍ତି ଗଦାପଲ୍ଲୀ ବାସିନ୍ଦା ଫୁନି ଶବର।
ସେପଟେ ପଞ୍ଚାୟତରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହେଉଥିବା ବେଳେ ଠିକାଦାର ହିଁ ସମସ୍ତ କାର୍ଯ୍ୟକୁ କରିଥାନ୍ତି। ଉନ୍ନୟନ ମୂଳକ କାର୍ଯ୍ୟରେ ସରପଞ୍ଚଙ୍କ କୌଣସି ହାତ ନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସିନ୍ଦା। ସେପଟେ ସରପଞ୍ଚ ଭିକ୍ଷାବୃତ୍ତି କରୁଥିବା ନେଇ ଭିଡ଼ିଓ ଭାଇରଲ ହେବା ପରେ ଖଲ୍ଲିକୋଟ ବିଡିଓ ଓ ତହସିଲଦାର ସରପଞ୍ଚଙ୍କ ଘରେ ପହଞ୍ଚିଛନ୍ତି। ରେଡକ୍ରସ୍ ପାଣ୍ଠିରୁ ୧୦,୦୦୦ଟଙ୍କା, ୩୦ କେଜି ଚାଉଳ ଓ ଡାଲି, କମଳ, ବେଡସିଟ ଆଦି ସରପଞ୍ଚଙ୍କୁ ପ୍ରଦାନ କରିଛନ୍ତି।
ଭିଡ଼ିଓ ଭାଇରଲ ହେବା ପରେ ସରପଞ୍ଚଙ୍କ ନିକଟରେ ପ୍ରଶାସନ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ସରପଞ୍ଚ ଭିକ୍ଷାବୃତ୍ତି କରିନଥିବା କହିଛନ୍ତି । ସେପଟେ ଏହି ଘଟଣା ଏବେ ଜିଲ୍ଲାର ଚର୍ଚ୍ଚାର ବିଷୟ ପାଲଟିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।