News18 Odia Digital
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ ଇନ୍ଦ୍ରାକ୍ଷୀ ଗାଁରେ ଗଞ୍ଜାମ ଜିଲ୍ଲା ଶୌଣ୍ଡିକ ସମାଜ ଆନୁକୂଲ୍ୟାରେ ମହୁରୀ ତାଲୁକା ମହାସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶୌଣ୍ଡିକ ସମାଜର ସଭାପତି ନିରଞ୍ଜନ ସାହୁ ଯୋଗ ଦେଇଥିଲେ।
ଗଞ୍ଜାମ ଜିଲ୍ଲାରେ ଶୌଣ୍ଡିକ ସମାଜର ମୋଟ ୧୭ଟି ତାଲୁକା ରହିଛି। ସମସ୍ତ ତାଲୁକା ବର୍ତ୍ତମାନ ସମୟରେ ଆକ୍ଟିଭ ଅବସ୍ଥାରେ ରହିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ପ୍ରତିବର୍ଷ ହାତକୁ ନେଉଛନ୍ତି। କିନ୍ତୁ ମହୁରୀ ତାଲୁକା ଦୀର୍ଘ ବର୍ଷ ହେଲା ଶୁପ୍ତ ଅବସ୍ଥାରେ ରହିଛି।
‘‘ଗତ ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ମହୁରୀ ତାଲୁକା ପକ୍ଷରୁ ବନ୍ଧୁମିଳନ କିମ୍ବା ସଭାସମିତିର ଆୟୋଜନ କରାଯାଉନାହିଁ। ଶୌଣ୍ଡିକ ସମାଜର ନିୟମ ହେଉଛି ଏହି ସମାଜର ପୁଅ ଝିଅ ବାହାଘର ସମୟରେ ୫୦୦ ଟଙ୍କାର ରସିଦ୍ କଟାଯାଏ। ସେହି ଟଙ୍କା ଶୌଣ୍ଡିକ ସମାଜର ତାଲୁକାର ଆକାଉଣ୍ଟରେ ଜମା ହେବ। ସମ୍ପୃକ୍ତ ତାଲୁକାର ଗରିବ ଓ ଅସହାୟ ପୁଅଝିଅର ବାହାଘର, ଅସୁବିଧାର ସମୟରେ ସେମାନଙ୍କୁ ଉକ୍ତ ଟଙ୍କାକୁ ଉଠାଇ ସାହାର୍ଯ୍ୟ କରାଯିବ। ତେବେ ଦୀର୍ଘ ବର୍ଷ ହେଲା ମହୁରୀ ତାଲୁକା ପକ୍ଷରୁ ବିବାହ ସମୟରେ ରସିଦ କଟାଯାଉଛି ସତ କିନ୍ତୁ ଏହାର କୌଣସି ଆକାଉଣ୍ଟ ରହୁନାହିଁ। ଯାହାଫଳରେ ବର୍ତ୍ତମାନର ରହିଥିବା ସଭାପତି ଆଦାୟ କରୁଥିବା ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ଆସିଛି। ଏଭଳି ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ଦୀର୍ଘ ବର୍ଷ ହେଲା ଲକ୍ଷ ଲକ୍ଷ ଟଙ୍କା ହେରଫେର ହେଉଥିବା ନେଇ ଅଭିଯୋଗ ହେବା ପରେ ଆଜି ମହୁରୀ ତାଲୁକାର ସଦସ୍ୟମାନଙ୍କୁ ନେଇ ଏହି ମହାସମେବେଶ ଅନୁଷ୍ଠିତ ହୋଇଥିଲା। ମହୁରୀ ତାଲୁକା କିଭଳି କାର୍ଯ୍ୟ କରୁଛି କି ନାହିଁ ଏବଂ ସଙ୍ଗଠନରେ ସଭାପତି ଏବଂ ସମ୍ପାଦକର ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି କି ନାହିଁ ସେ ନେଇ ତାଲୁକାର ଅନ୍ୟ ସଦସ୍ୟମାନଙ୍କୁ ପଚରାଉଚୁରା କରାଯାଇ ନିଷ୍ପତ୍ତି ନିଆଯିବ,’’ କହିଛନ୍ତି ଗଞ୍ଜାମ ଜିଲ୍ଲା ଶୌଣ୍ଡିକ ସମାଜର ସଭାପତି ନିରଞ୍ଜନ ସାହୁ।
‘‘ଦୀର୍ଘ ବର୍ଷ ହେଲା ମହୁରୀ ତାଲୁକାର ସଭାପତି ରହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ। କିନ୍ତୁ ଟଙ୍କାଟିଏ ମଧ୍ୟ ତାଲୁକାର ସଦସ୍ୟମାନଙ୍କ ନିମନ୍ତେ ଖର୍ଚ୍ଚ କରିନାହାଁନ୍ତି। ଏହାଛଡ଼ା ପ୍ରତିବର୍ଷ ସଭାସମିତି ଓ ବନ୍ଧୁମିଳନ ହେବା କଥା କିନ୍ତୁ ତାହା ହୋଇନାହିଁ। ତେଣୁ ସଭାପତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି,’’ କହିଛନ୍ତି ମହୁରୀ ତାଲୁକାର ଉପଦେଷ୍ଟା ନଟବର ସାହୁ।
ଏହାସହିତ ସମାଜକୁ କିଭଳି ଆହୁରି ମଜଦୁତ କରାଯିବା ସହିତ କଣ ରହିଛି ସମସ୍ୟା ଓ ଏହାର ସମାଧାନ ନେଇ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ଅବସରରେ ଗଞ୍ଜାମ ଜିଲ୍ଲା ଶୌଣ୍ଡିକ ତାଲୁକାର ଆଇନଗତ ପରାମର୍ଶଦାତା ନିର୍ମଳ ସାହୁଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।