ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା; ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ

ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା। ଏହା ଘୋଷଣା କରିଛନ୍ତି ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ I ଯେଉଁମାନେ ବାଲ୍ୟବିବାହ ସମ୍ପର୍କରେ ପୂର୍ବରୁ ସୂଚନା ଦେବେ ସେମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।

ବାଲ୍ୟ ଵିଵାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା (ପ୍ରତୀକାତ୍ମକ ଛବି)

ବାଲ୍ୟ ଵିଵାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗଞ୍ଜାମ: ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା। ଏହା ଘୋଷଣା କରିଛନ୍ତି ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ I ଏଥିରେ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଲେ ଜ଼ିଲ୍ଲାପାଳ I ଯେଉଁମାନେ ବାଲ୍ୟବିବାହ ସମ୍ପର୍କରେ ପୂର୍ବରୁ ସୂଚନା ଦେବେ ସେମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାରେ "ନିର୍ଭୟା କଢି" ଯୋଜନାର କାର୍ଯ୍ୟକାରିତା ପରେ ତଳ ସ୍ତରରୁ କମିଟି ଗଠନ କରାଯାଇ ଏହି ଯୋଜନାର ସଫଳ ରୂପାୟନ ଦିଗରେ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ ସହିତ ବାଲ୍ୟ ବିବାହକୁ ରୋକିବା ନେଇ ଅନେକ ଗୁଡିଏ ଦୃଷ୍ଟାନ୍ତ ମୂଳକ ପଦେକ୍ଷପ ଗ୍ରହଣ କରାଯାଇଥିଲା I

ଗ୍ରାମ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ସ୍ତରରେ ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଙ୍ଗନବାଡ଼ି କର୍ମୀ , ଆଶା କର୍ମୀ ଓ ସହାୟିକାମାନଙ୍କୁ ନେଇ କମିଟି ଗଠନ କରାଯାଇଥିଲା I ସେହି କମିଟିର ସର୍ଭେ ରିପୋର୍ଟକୁ ଆଧାରକରି ବ୍ଲକ ସ୍ତରରେ ପୁନଃ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଜ଼ିଲ୍ଲା ଶିଶୁ ବିକାଶ ଯୋଜନା ଅଧିକାରୀ ଓ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ଏହାର ପ୍ରକୃତ ସତ୍ୟା ସତ୍ୟ ଯାଞ୍ଚ କରିବା ସହିତ ଅନୁସନ୍ଧାନ ରିପୋର୍ଟ ଜ଼ିଲ୍ଲା ସ୍ତରରେ ସମ୍ପୃକ୍ତ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ସକାଶେ ଉପସ୍ଥାପନ କରିଥିଲେ I ଗତ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ୧୪,୪୨୨ ଗୋଟି ବୈଠକ ହୋଇଛି I

‘‘ନିର୍ଭୟା କଢି ଯୋଜନା କାର୍ଯକାରୀ ପରେ ୨୦୧୯ ମସିହାରେ ୪୫ ଗୋଟି, ୨୦୨୦ ମସିହାରେ ୨୨୮ ଗୋଟି ଓ ୨୦୨୧ ମସିହାରେ ୨୦୧ ଗୋଟି ବାଲ୍ୟ ବିବାହକୁ ରୋକା ଯାଇପାରିଥିଲା I ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ୩୩୦୯ ଗୋଟି ଶିଶୁ ବିବାହ ମୁକ୍ତ ଗ୍ରାମ, ସହରାଞ୍ଚଳର ୨୮୦ ଗୋଟି ଶିଶୁ ବିବାହ ମୁକ୍ତ ୱାର୍ଡ ଏବଂ ୫୦୩ ଗୋଟି ଶିଶୁ ବିବାହ ମୁକ୍ତ ଗ୍ରାମପଞ୍ଚାୟତ ହୋଇଛି I ଆଗାମୀ ଦିନରେ ଝିଅମାନଙ୍କୁ ବୃତ୍ତିଗତ ପରାମର୍ଶ ଦିଆଯିବ," କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ I

‘‘ଜିଲ୍ଲା ପ୍ରଶାସନର ବାରମ୍ବାର ସଚେତନତା ଯୋଗୁଁ ଏହା ସଫଳ ହୋଇଛି। ପୂର୍ବରୁ ଅନେକ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ହେଉଥିବା ବେଳେ ବର୍ତ୍ତମାନ ଲୋକେ ଅଧିକ ସଚେତନ ହୋଇଗଲେଣି । କେବଳ ଯେ ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ଏହା ସଫଳ ହୋଇଛି ତାହା ନୁହେଁ । ବରଂ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ହେବା ସହିତ ବାଲ୍ୟ ବିବାହ ମୁକ୍ତ ନିମନ୍ତେ ସମସ୍ତେ ସମର୍ଥନ କରିବା ଯୋଗୁଁ ଏହା ସମ୍ଭବ ହୋଇଛି," କହିଛନ୍ତି ସମାଜସେବୀ ରୂପା ଦେବୀ ।
Published by:Soumya Das
First published:
)}