News18 Odia Digital
କଟକ: ହତ୍ୟା ଓ ଅନ୍ୟାନ୍ୟ ସଙ୍ଗୀନ ଅପରାଧ କାରଣରୁ ଆଜୀବନ କାରାଦଣ୍ଡ ଭୋଗୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଶେଖ୍ ହାଇଦର କଟକର ଏସ୍.ସି.ବି. ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତା’ ଉପରେ ନଜର ରଖିଥିବା ପୋଲିସ କର୍ମୀମାନଙ୍କୁ କୌଣସି ନିଶା ଦ୍ରବ୍ୟ ଖୁଆଇ ଫେରାର୍ ହୋଇଯାଇଛି ।
ଏସ୍.ସି.ବି. ହସପିଟାଲରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଚିକିତ୍ସା ପାଇଁ ୧୨ ଦିନ ତଳେ ଭର୍ତ୍ତି କରାଯାଇଥିଲା । ତାକୁ ପରେ ସେଠାକାର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ଶନିବାର ସନ୍ଧ୍ୟାରେ ଦେଖାଗଲା ଯେ ସେ ସର୍ଜରୀ ବିଭାଗରେ ନାହାନ୍ତି । ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଦୁଇ ଜଣ ପୋଲିସ କର୍ମୀ ନିଶାରେ ସେଠାରେ ପଡ଼ିଥିବା ଦେଖାଯାଇଥିଲା । ବୁଝିବା ଆଉ ବାକି ନ ଥିଲା ଯେ ପୋଲିସ ଆଖିରେ ଧୂଳି ଦେଇ ହାଇଦର୍ ଚମ୍ପଟ ମାରିଛି ।
ଏହା ବି ପଢ଼ନ୍ତୁ | IPL 2021: ରୋହିତ ଶର୍ମା ଖୋଲିଲେ ନିଜ ଜୋତାର ରହସ୍ୟ; ଜାଣି 'ହିଟମ୍ୟାନ୍'ଙ୍କୁ ନମସ୍କାର କରିବେ ଆପଣ
ପୋଲିସ ସୂତ୍ରରୁ ସୂଚନା ମିଳିଛି ଯେ ବୁର୍ଲା ମେଡିକାଲ କଲେଜ୍ ଓ ହସ୍ପିଟାଲରୁ ରେଫର୍ ହୋଇ କଟକ ଏସ୍.ସି.ବି. ହସପିଟାଲକୁ ଆସିଥିଲା ହାଇଦର୍ । ସେ ସୁଲେମାନ୍ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହେବା ପରେ ସଜା କାଟୁଛି । କଡ଼ା ସୁରକ୍ଷା ବଳୟ ଭିତରେ ବୁର୍ଲାରୁ ଆସିଥିବା ହାଇଦର କେମିତି ଖସି ପଳାଇଲା ତାକୁ ନେଇ ଉଠିଛି ପ୍ରଶ୍ନ । ପୋଲିସର ପାରିବାପଣିଆ ଉପରକୁ ସାଧାରଣରେ ଉଠିଛି ଅଙ୍ଗୁଳି । ହାଇଦର ସୁରକ୍ଷାରେ ଥିବା ସୁରକ୍ଷା କର୍ମୀଙ୍କୁ କିଭଳି ନିଶା ଦେଲା ହାଇଦର ଓ ତା’ ଫେରାର୍ ହେବା ପଛରେ ଆଉ କିଛି ରହସ୍ୟ ଲୁଚିଛି କି ବୋଲି ପ୍ରଶ୍ନ ଉଠୁଛି ।

କଟକ ଡିସିପି ପ୍ରତୀକ ସିଂ
ହସପିଟାଲ ସୂତ୍ରଙ୍କ ଅନୁସାରେ ହାଇଦର୍ ସର୍ଜରୀ ୱାର୍ଡ଼ରୁ ବାହାରକୁ ଆସିବା ପରେ ଏକ କାରରେ ବସିଥିବା ଦେଖାଯାଇଥିଲା । ଏଥିରୁ ସନ୍ଦେହ କରାଯାଉଛି ଯେ ସେ ହସପିଟାଲରୁ ଖସି ବାହାରକୁ ଚାଲିଯାଇଛି । ଏହି ଖବର ଜଣା ପଡ଼ିବା ପରେ କଟକ ପୋଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ।
ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁ
ଏସ୍.ସି.ବି. ହସପିଟାଲର ସିସିଟିଭି ଫୁଟେଜ୍ ସହ ମଙ୍ଗଳାବାଗ ଓ ରାଣିହାଟରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଦେଖିବା ଆରମ୍ଭ କରିଛି ପୋଲିସ । ସନ୍ଦେହ କରାଯାଉଛି ଯେ ହାଇଦର୍ ତା’ ମୂଳ ଘର କେନ୍ଦ୍ରାପଡ଼ାକୁ ଯାଇ ନ ଥିବ । ସେ ଓଡ଼ିଶା ବାହାରକୁ ଯିବାକୁ ଚେଷ୍ଟା କରୁଥିବା ସନ୍ଦେହ କରି ପୋଲିସ ରାଜ୍ୟର ସୀମାରେ ଥିବା ରାସ୍ତା ଉପରେ କଡ଼ା ନଜର ରଖିବା ଆରମ୍ଭ କରିଛି ।
ଏହା ବି ପଢ଼ନ୍ତୁ | ‘ସୈନ୍ୟମାନେ ତ ଦରମା ନେଉଛନ୍ତି; ଲଢ଼େଇରେ ତାଙ୍କର ମୃତ୍ୟୁ ହେଲେ ସହିଦ କୁହାଯାଇପାରିବ ନାହିଁ’
‘‘ଆମ ତରଫରୁ ଏକ ବଡ଼ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । ଆମେ ବିଭିନ୍ନ ସ୍ଥାନରେ ଖୋଜିବା ଆରମ୍ଭ କରିଛୁ । ନିଶ୍ଚୟ ତାକୁ ଆମେ ଶୀଘ୍ର ଧରିନେବୁ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ହାଇଦରକୁ ଧରିବା ପାଇଁ କଟକ ଜିଲ୍ଲା ପୋଲିସ ସହ ଯାଜପୁର ଓ କେନ୍ଦ୍ରାପଡ଼ା ପୋଲିସର ଅଫିସରମାନଙ୍କୁ ନେଇ ଏକ ସର୍ଚ୍ଚ ଟିମ୍ ଗଠିତ ହୋଇଥିବା ଜଣାପଡ଼ିଛି ।
ମେ ୨୦୧୭ରେ ହାଇଦରକୁ ଭୁବନେଶ୍ୱର ଝାରପଡ଼ାରେ ଥିବା ସ୍ୱତନ୍ତ୍ର ଜେଲରୁ ସମ୍ବଲପୁର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଝାରପଡ଼ା ଜେଲରେ ହାଇଦର ଓ ଧଳସାମନ୍ତ ଭାଇମାନଙ୍କ ମଧ୍ୟରେ ଗ୍ୟାଙ୍ଗ୍ ୱାର୍ ହେବା ଆଶଙ୍କା ବଢ଼ିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।