News18 Odia Digital
ଭଦ୍ରକ: ପବିତ୍ର ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇଛି ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳ। ଭଦ୍ରକର ଇତିହାସ ପ୍ରସିଦ୍ଧ ଶ୍ରୀ ବୁଢ଼ା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, କାଞ୍ଚନ ଗଣେଶ ଓ ଶ୍ରୀ ସିଦ୍ଧି ବିନାୟକ ପୂଜା ମଣ୍ଡପ ହୋଇ ଉଠିଛି ଉତ୍ସବ ମୁଖର।
ଏହି ପୂଜା ମଣ୍ଡପ ଗୁଡିକର ବିଶେଷତ୍ୱ ହେଲା ସାଧାରଣ ଭାବେ ଗଣେଶ ପୂଜା ଦିନେ ଅଥବା ଦୁଇଦିନ ପାଳିତ ହେଉଥିବା ବେଳେ ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଏହି ପୂଜା ମାସ ବ୍ୟାପୀ ପାଳନ କରାଯାଇଥାଏ।
ପବିତ୍ର ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହେଉଥିବା ଏହି ପୂଜା ମାସ ବ୍ୟାପୀ ଅନୁଷ୍ଟିତ ହେବା ପରେ ବଡ଼ ଯାକଜମକରେ ଠାକୁରଙ୍କ ବିସର୍ଜନ କରା ଯାଇଥାଏ। ଏଥି ପାଇଁ ପୂଜା ମଣ୍ଡପ ଗୁଡିକରେ ଦୈନିକ ଶହ ଶହ ଭକ୍ତଙ୍କ ଗହଳି ଲାଗିଥାଏ।

ପବିତ୍ର ଗଣେଶ ପୂଜା ପାଇଁ ଉତ୍ସବ ମୁଖର ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳ
ପ୍ରାଚୀନ ଭଦ୍ରକ ସହରର ମୁଖ୍ୟ ବାଣୀଜ୍ୟକ କେନ୍ଦ୍ରସ୍ଥଳ ଥିଲା ଭଦ୍ରକର ଏହି ପୁରୁଣା ବଜାର ଅଞ୍ଚଳ। ଗମନା ଗମନ ଓ ଜଳ ପରିବହନ ସୁବିଧା ଯୋଗୁ ଭଦ୍ରକ ସହରର ଏହି ପୁରୁଣାବଜାର ଅଞ୍ଚଳକୁ ବ୍ୟବସାୟୀମାନେ ଲକ୍ଷ୍ମୀଙ୍କ ବିଜେସ୍ତଳ ବିବେଚନା କରୁଥିଲେ।
ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ବ୍ୟବସାୟୀ ମାନେ ଏଠାରେ ବୁଢ଼ା ଗଣେଶ ପୂଜା ପରମ୍ପରା ଆରମ୍ଭ କରିଥିଲେ। ଏହି ବୁଢ଼ା ଗଣେଶ ପୂଜା ଠାରୁ ଆରମ୍ଭ ହୋଇଛି ଟୋକା ଗଣେଶ, ପିଲା ଗଣେଶ, ଛୁଆ ଗଣେଶ ଓ କାଞ୍ଚନ ଗଣେଶ ପୂଜା ପରମ୍ପରା।
ମହାମାରୀ କୋଭିଡ ପାଇଁ ଗତ ୨ ବର୍ଷ ଧରି ସହରେ ଏହି ବୁଢ଼ା ଗଣେଶ ପୂଜାରେ ଅଙ୍କୁଶ ଲାଗିଥବା ବେଳେ ଏଥର କଟକଣା ମୁକ୍ତ ପୂଜା ପାଇଁ ଉତ୍ସାହୀ ହୋଇଛନ୍ତି ପୂଜାକମିଟି କାର୍ଯ୍ୟକର୍ତ୍ତା ଓ ଶ୍ରଦ୍ଧାଳୁ ଭକ୍ତମାନେ। ଯେଉଁଥି ପାଇଁ ଉତ୍ସବ ମୁଖର ହୋଇଛି ସମଗ୍ର ଭଦ୍ରକ ସହର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।