ଏଠି ଫୋନ୍ ରିସିଭର୍ ଉଠାଇଲେ ଶୁଭିବ ଗାନ୍ଧୀଙ୍କ କଣ୍ଠସ୍ବର, ତାଙ୍କ ଦସ୍ତଖତ କରିବ ରୋବୋର୍ଟ

ଖଣ୍ଡଗିରିର ପାଦଦେଶରେ ପ୍ରାୟ ପାଞ୍ଚ ଏକର ଜାଗାରେ ମହାତ୍ମା ଗାନ୍ଧିଙ୍କ ସ୍ମୃତିକୁ ନେଇ ଉଜ୍ଜୀବିତ ହୋଇଥିବା ଗାନ୍ଧି ଶାନ୍ତି କେନ୍ଦ୍ର ଆଧୁନିକ ପ୍ରଯୁକ୍ତି ଜରିଆରେ ବାପୁଙ୍କ ଜୀବନର ଝଲକକୁ ରାଜ୍ୟବାସୀ ତଥା ଆଗାମୀ ପିଢ଼ି ପାଖରେ ପହଞ୍ଚାଇଚ଼ାଲିବ ।

ଏଠି ଫୋନ୍ ରିସିଭର୍ ଉଠାଇଲେ ଶୁଭିବ ଗାନ୍ଧୀଙ୍କ କଣ୍ଠସ୍ବର, ତାଙ୍କ ଦସ୍ତଖତ କରିବ ରୋବୋର୍ଟ
ମଙ୍ଗଳବାରରୁ ରବିବାର ଦିନ ୧୧ଟାରୁ ରାତି ୭ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ଗାନ୍ଧି ଶାନ୍ତି କେନ୍ଦ୍ର ।
  • News18 Odia
  • Last Updated: February 23, 2020, 2:21 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମହାନ ଜୀବନ ଓ ମାନବ ଜାତି ପାଇଁ ତାଙ୍କ ଅମୂଲ୍ୟ ଅବଦାନର ଝଲକକୁ ଆଧୁନିକ ପ୍ରଯୁକ୍ତି ଜରିଆରେ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ବରର ନିର୍ମିତ ଗାନ୍ଧି ଶାନ୍ତି କେନ୍ଦ୍ରକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖଣ୍ଡଗିରିର ପାଦଦେଶରେ ପ୍ରାୟ ପାଞ୍ଚ ଏକର ଜାଗାରେ ମହାତ୍ମା ଗାନ୍ଧିଙ୍କ ସ୍ମୃତିକୁ ନେଇ ଉଜ୍ଜୀବିତ ହୋଇଥିବା ଏହି ଗାନ୍ଧି ଶାନ୍ତି କେନ୍ଦ୍ର ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍ ଓ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାପିତ ହୋଇଛି । ମହାତ୍ମା ଗାନ୍ଧିଙ୍କ ଜୀବନୀ ସହିତ ଆଗାମୀ ପିଢ଼ିକୁ ଜଡ଼ିତ କରି ତଥା ସତ୍ୟ ଓ ଅହିଂସା ପଥରେ ଯାତ୍ରା କରି ଜୟଯୁକ୍ତ ହେବା ସମ୍ପର୍କରେ ଜଣାଇବା ପାଇଁ ଗାନ୍ଧୀଙ୍କ ୧୫୦ତମ ଜନ୍ମ ଶତାବ୍ଦୀ ଅବସରରେ ଏହି ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର  ।

ପୂର୍ବରୁ ଦିଲ୍ଲୀର ବିର୍ଲା ହାଉସ୍ ସହ ବ୍ରିଟେନର ବ୍ରିଟିଙ୍ଗହାମ୍ ଓ ଆମେରିକାର ହ୍ୟୁଷ୍ଟନରେ ଏଭଳି ତିନିଟି ଗାନ୍ଧି ଶାନ୍ତି କେନ୍ଦ୍ର ରହିଛି । ଏବେ ଖଣ୍ଡଗିରିରେ ଏହି ଶାନ୍ତି କେନ୍ଦ୍ର ଚତୁର୍ଥ ହେଲା । ୨୦୧୩ ମସିହାରେ ବିର୍ଲା ଫାଉଣ୍ଡେସନ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହାକୁ ନେଇ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା । ଉଦ୍ଦେଶ୍ୟ ଥିଲା  ଆଧୁନିକ ପ୍ରଯୁକ୍ତି ଜରିଆରେ ବାପୁଙ୍କ ଜୀବନର ଝଲକକୁ ରାଜ୍ୟବାସୀ ତଥା ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ।

ମହାତ୍ମା ଗାନ୍ଧିଙ୍କ ଜୀବନ ସହିତ ଜଡ଼ିତ ଅନେକ ଜିନିଷ ଅଛି ଏଠି ।


‘‘ମହାତ୍ମା ଗାନ୍ଧୀ ତାଙ୍କ ଜୀବନ କାଳରେ ଓଡ଼ିଶାକୁ ଆଠ ଥର ଆସିଥିବା ବେଳେ ଅସ୍ପୃଶ୍ୟତା ଦୂର କରିବା, ଚ଼ରଖା ଜରିଆରେ ସ୍ବାବଲମ୍ବୀ ହେବା ଓ ଖଦି ଶିଳ୍ପ ସ୍ଥାପନ ସହ କୃଷିର ଅଗ୍ରଗତି ନେଇ ଓଡ଼ିଶାବାସୀଙ୍କୁ ପ୍ରୋତ୍ସାହିତ କରିଥିଲେ । ସେହି ବାର୍ତ୍ତାକୁ ପୁନର୍ବାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିର୍ଲା ଗ୍ରୁପ୍ ପ୍ରୟାସ କରିଛି,’’ କହିଛନ୍ତି ବିର୍ଲା ସେଣ୍ଟର୍‌ ଫର୍‌ କମ୍ୟୁନିଟି ଇନିସିଏଟିଭ ଆଣ୍ଡ ରୁରାଲ୍‌ ଡେଭେଲପମେଣ୍ଟର ଅଧ୍ୟକ୍ଷା ରାଜଶ୍ରୀ ବିର୍ଲା ।

ମହାତ୍ମା ଗାନ୍ଧିଙ୍କ ଟାଇପ୍‌ରାଇଟର୍‌ ଓ ଚ଼ରଖାର ମଡେଲ୍‌ ବି ଅଛି ଏଠି ।


ଗାନ୍ଧି ଶାନ୍ତି କେନ୍ଦ୍ରର ମୁଖ୍ୟ ଦ୍ବାରରେ ଅଶୋକ ସ୍ତମ୍ଭରୁ ଅନୁପ୍ରାଣିତ ହୋଇଥିବା ଏକ ଅହିଂସା ସ୍ତମ୍ଭ ରହିଛି, ଯେଉଁଥିରେ ଶାନ୍ତି, ସତ୍ୟ, ଅହିଂସା ଓ ସତ୍ୟାଗ୍ରହ ଭଳି ଦଶଟି ପ୍ରମୁଖ ଶବ୍ଦକୁ ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ ଲେଖାଯାଇଛି  । ସେହିଭଳି ନୀରବ ସରୋବର, ଯୁବ ଓକିଲ ମୋହନ ଦାସଙ୍କ ଥ୍ରୀ ଡି ମଡେଲ, ଗାନ୍ଧୀଙ୍କ ଭଜନ, ବାଣୀ ଓ ସ୍ବାକ୍ଷର ସବୁ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏଠାରେ ଶୁଣି ହେବ ଓ ଜାଣି ହେବ । ଏଭଳିକି ସେଠି ରଖାଯାଇଥିବା ଫୋନ୍ ରିସିଭ୍ କଲେ ଶୁଭିବ ମହାତ୍ମା ଗାନ୍ଧିଙ୍କ କଣ୍ଠ ସ୍ବର ।

ମଙ୍ଗଳବାରରୁ ରବିବାର ଦିନ ୧୧ଟାରୁ ରାତି ୭ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବାକୁ ଥିବା ଏହି ଗାନ୍ଧି ଶାନ୍ତି କେନ୍ଦ୍ରରେ ଏକ ରୋବୋର୍ଟ ଗାନ୍ଧୀଙ୍କ ଦସ୍ତଖତ କରୁଥିବା ବି ଆପଣ ଦେଖିବାକୁ ପାଇବେ । ସେହିଭଳି ଗାନ୍ଧିଙ୍କ ଜୀବନୀ ତଥା ‘ଅହିଂସା ପ୍ରଦର୍ଶିକା’, ‘ଏକବିଂଶ ଶତାବ୍ଦୀରେ ମହାତ୍ମା’ ଓ ‘ମହାତ୍ମାରୁ ବାପୁ’ ଭଳି ବିଭିନ୍ନ ପ୍ରଦର୍ଶିକା ଦେଖିବାକୁ ମିଳିବ ଏହି ଶାନ୍ତି କେନ୍ଦ୍ର ତଥା ସଂଗ୍ରହାଳୟରେ । ଗାନ୍ଧୀ ପିସ୍ ସେଣ୍ଟର୍‌ ଆପ୍ ଡାଉନଲୋଡ୍ କରି କାନ୍ଥରେ ଲାଗିଥିବା କ୍ବି-ଆର୍ କୋର୍ଡ ଜରିଆରେ ଶାନ୍ତି କେନ୍ଦ୍ର ସମ୍ପର୍କରେ ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ ବି ଶୁଣି ପାରିବେ ସାଧାରଣ ଲୋକେ ।
First published: February 23, 2020, 2:21 AM IST