କଟକରେ କ୍ୟାସିନୋ ଢାଞ୍ଚାରେ ଚାଲିଛି ଜୁଆ ଖେଳ; ଚଢ଼ଉରେ ଏତେ ଲକ୍ଷ ଟଙ୍କା ଜବତ

କଟକରେ ଜୁଆ ଖେଳର ଏକ ଭିନ୍ନ ତରିକା ସାମ୍ନାକୁ ଆସିଛି । ଯାହା ପୋଲିସକୁ ମଧ୍ୟ ଚକିତ କରିଛି । ଘଟଣାସ୍ଥଳରୁ ୩୦ ଜଣଙ୍କୁ ଗିରଫ କରାଯାଇଛି ।

କଟକରେ କ୍ୟାସିନୋ ଢାଞ୍ଚାରେ ଚାଲିଛି ଜୁଆ ଖେଳ; ଚଢ଼ଉରେ ଏତେ ଲକ୍ଷ ଟଙ୍କା ଜବତ

କଟକରେ କ୍ୟାସିନୋ ଢାଞ୍ଚାରେ ଚାଲିଛି ଜୁଆ ଖେଳ; ଚଢ଼ଉରେ ଏତେ ଲକ୍ଷ ଟଙ୍କା ଜବତ

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ; ଜୁଆ ଖେଳିବା ଓ ଜୁଆ ଖେଳର ଆୟୋଜନ କରିବା ଉଭୟ ବେଆଇନ । କିନ୍ତୁ ଏହା ସତ୍ତ୍ୱେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବେଆଇନ କାର୍ଯ୍ୟ ବିନା କୌଣସି ବାଧା ବିଘ୍ନରେ ଜାରି ରହିଛି । ତେବେ ବ୍ୟବସାୟୀକ ସହର କଟକରେ ଜୁଆ ଖେଳର ଏକ ଭିନ୍ନ ତରିକା ସାମ୍ନାକୁ ଆସିଛି । ଯାହାର ବ୍ୟାପକତା ପୋଲିସକୁ ମଧ୍ୟ ଚକିତ କରିଛି ।



କଟକ ଜଗତପୁର ନିକଟ ଆଇ.ବି ରୋଡର ଗୋଟିଏ ଘରେ ଏକ ଜୁଆ ଆଡ୍ଡା ଚାଲିଥିବା ନେଇ ଖବର ମିଳିବା ପରେ ସେଠାରେ ଚଢଉ କରିଥିଲା କମିଶନରେଟ ପୋଲିସ । ତେବେ ରେଡ ସମୟରେ ସେହି ଜୁଆ ଆଡ୍ଡାରୁ ମିଳିଥିବା ସାମଗ୍ରୀ ବିଶେଷ କରି ଟଙ୍କା ଓ ଜୁଆଡ଼ିମାନଙ୍କ ସଂଖ୍ୟା ସମସ୍ତଙ୍କୁ ଚକିତ କରିଛି । କାରଣ ଜୁଆ ଖେଳୁଥିବା ଅବସ୍ଥାରେ ମୋଟ ୩୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହା ସହିତ ସେମାନଙ୍କଠାରୁ ୮ ଲକ୍ଷ ୪ ହଜାର ଟଙ୍କାର ନଗଦ ଅର୍ଥ ମଧ୍ୟ ଜବତ ହୋଇଛି । କୌଣସି ଜୁଆ ଆଡ୍ଡାରୁ ଏକକାଳିନ ଏତେ ସଂଖ୍ୟକ ଅଭିଯୁକ୍ତ ଓ ଟଙ୍କା ଜବତ ହେବା କଟକ କମିଶନରେଟ ପୋଲିସ ଇତିହାସରେ ପ୍ରଥମ ।

କେବଳ ବିପୁଳ ଟଙ୍କା ଓ ବହୁ ସଂଖ୍ୟକ ଜୁଆଡ଼ି ନୁହଁନ୍ତି ବରଂ ଜୁଆ ଖେଳର ତରିକା ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ଥିଲା । କାରଣ ଏହି ଜୁଆ ଆଡ୍ଡାରେ ଜୂଆ ଖେଳିବା ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ଥିଲା । ଜୁଆ ଖେଳିବାକୁ ଆସୁଥିବା ବ୍ୟକ୍ତିମାନେ କ୍ୟାସିନୋ ଢାଞ୍ଚାରେ ଟଙ୍କା ଡିପୋଜିଟ କରୁଥିଲେ । ଏହା ପରେ ସେମାନଙ୍କୁ ସମାନ ବିନିମୟ ମୂଲ୍ୟର ଗୋଟିଏ ଗୋଟିଏ ଟୋକନ୍ ଦିଆଯାଉଥିଲା । ଜୁଆ ଆଡ୍ଡା ଉପରେ ଚଢଉ ସମୟରେ ଦୁଇ ପ୍ରକାର ପ୍ଲାଷ୍ଟିକ ଟୋକନ୍ ଜବତ କରିଛି ପୋଲିସ । ସେଥିମଧ୍ୟରୁ ସବୁଜ ରଙ୍ଗର ଟୋକନଟିର ବିନିମୟ ମୂଲ୍ୟ ୫ ହଜାର ଟଙ୍କା ଥିବା ବେଳେ କଳା ରଙ୍ଗର ଟୋକନର ବିନିମୟ ମୂଲ୍ୟ ଥିଲା ୧୦ ହଜାର ଟଙ୍କା ।

ଜୁଆ ଆଡ୍ଡା ଚଳାଇବା ଅଭିଯୋଗରେ ପୋଲିସ ଏହାର କିଙ୍ଗପିନ କୁହାଯାଉଥିବା କ୍ରିଷ୍ଣା ରାଓକୁ ମଧ୍ୟ ଗିରଫ କରିଛି । ମୂଳତଃ ମାଲଗୋଦାମ ଅଞ୍ଚଳ ବାସିନ୍ଦା କ୍ରିଷ୍ଣା ନାଁରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି ଓ ସେ ଜୁଆ ଆଡ୍ଡା ଚଳାଇବା ଅଭିଯୋଗରେ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲା । ପୂର୍ବରୁ ଲୁଚାଣିଆ ଭାବେ ସହରରେ ଜୁଆ ଆଡ୍ଡା ଚଳାଉଥିବା କ୍ରିଷ୍ଣା ଜଗତପୁର ଅଞ୍ଚଳରେ ନୁଆ କରି କିଣିଥିବା ନିଜ ଘରେ ରବିବାର ସନ୍ଧ୍ୟାରେ ଜୁଆ ପସରା ମେଲାଉଥିଲା । ଜୁଆ ଖେଳିବାକୁ ଆସୁଥିବା ଲୋକଙ୍କ ଠାରୁ ଟଙ୍କା ନେଇ ସେମାନଙ୍କୁ ଟୋକନ ପ୍ରଦାନ କରୁଥିଲା ।

"ଜୁଆ ଆଡ୍ଡା ସମ୍ପର୍କରେ ଡିସିପିଙ୍କୁ ଏକ ଖବର ମିଳିଥିଲା । ପରବର୍ତ୍ତୀ ସମୟରେ ଏହା ଉପରେ ରେଡ କରିବା ପାଇଁ ଡିସିପି ନିର୍ଦ୍ଦେଶ ଦେବା ପରେ ରବିବାର ରାତି ପ୍ରାୟ ୮ଟା ବେଳେ ଆମେ ରେଡ କରିଥିଲୁ । ଘଟଣାସ୍ଥଳରୁ ହିଁ ୩୦ ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏହାରି ଲିଙ୍କ ଅନ୍ୟ କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାର ତଦନ୍ତ କରାଯାଉଛି" ବୋଲି କହିଛନ୍ତି ଜୋନ୍ ୧ ଏସିପି ଅରୁଣ ସ୍ବାଇଁ ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଗିରଫ ହୋଇଥିବା ୩୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୭ ଜଣ କେବଳ ପୁରୀ ବାସିନ୍ଦା । ତେବେ ପ୍ରାଥମିକ ତଦନ୍ତରୁ ଏହା ପଛରେ ଏକ ଆନ୍ତଃଜିଲ୍ଳା ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି । କାରଣ ଗିରଫ ହୋଇଥିବା ଅଭିଯୁକ୍ତମାନେ ଏକ ହ୍ବାଟସଆପ ଗୃପ ମାଧ୍ୟମରେ ପରସ୍ପର ସହିତ ଜଡ଼ିତ ଥିଲେ । ଆଉ ସେହି ଗୃପରେ ବିଭିନ୍ନ ଜିଲ୍ଲାର ଶହଶହ ଲୋକ ରହିଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି ।
Published by:Soubhagya Mishra
First published: