ଥମୁନି ଆନ୍ଧ୍ରର ଦାଦାଗିରି; ଲଗାତାର ଓଡ଼ିଶା ସୀମାରେ ପଶି ନର୍ମାଣ କରିବାରେ ଲାଗିଛି ରାସ୍ତା

ସୀମାରେ ଅନୁପ୍ରବେଶ କରିବା କିମ୍ବା ଓଡ଼ିଶାର ଜଳ, ଜମି ଓ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇବା ଆନ୍ଧ୍ରର ପୁରୁଣା ରୋଗ ରହିଛି । ଆନ୍ଧ୍ର ବାରମ୍ବାର ଏଭଳି ଅପପ୍ରୟାସ କରିବା ସହ କେତେ ମାତ୍ରାରେ ସଫଳ ମଧ୍ୟ ହୋଇଛି ।

କାଶୀନଗର ବ୍ଲକର ଛଅ ମାଇଲ ଅଞ୍ଚଳରେ ଅନୁପ୍ରବେଶ କରି ଆନ୍ଧ୍ରର ରାସ୍ତା ନିର୍ମାଣ

କାଶୀନଗର ବ୍ଲକର ଛଅ ମାଇଲ ଅଞ୍ଚଳରେ ଅନୁପ୍ରବେଶ କରି ଆନ୍ଧ୍ରର ରାସ୍ତା ନିର୍ମାଣ

  • Share this:
News18 Odia Digital

ଗଜପତି: ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶ କରିବା କିଛି ନୂଆ ନୂହେଁ । ଦୀର୍ଘ ଦିନ ହେଲା ସୀମାରେ ଅନୁପ୍ରବେଶ କରିବା ଓ ଓଡ଼ିଶାର ଜଳ ଜମି ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇ ଏହାକୁ ଅପହରଣ କରିନେବା ପାଇଁ ଆନ୍ଧ୍ର ଲଗାତାର ପ୍ରୟାସ କରିଆସୁଛି । ହେଲେ ଓଡ଼ିଶା ସରକାର ଏହାର ଉଚିତ ଜବାବ ଦେବାରେ ସଂପୂର୍ଣ୍ଣ ଭାବେ ବିଫଳ ରହିଛି । ତେଣୁ ଆନ୍ଧ୍ରର ସାହସ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ବର୍ତ୍ତମାନ ଗଜପତି ଜିଲ୍ଲା କାଶୀନଗର ବ୍ଲକର ଛଅ ମାଇଲ ଅଞ୍ଚଳରେ ଅନୁପ୍ରବେଶ କରି ରାସ୍ତା ନିର୍ମାଣ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଅବରୋଧ କରିଛି । ଗଜପତି ଜିଲ୍ଲା ପ୍ରଶାସନ ଏହାକୁ ରୋକିବା ସହ କାମରେ ବ୍ୟବହୃତ ଜିନିଷକୁ ମଧ୍ୟ ଜବତ କରିନେଇଛି । ତେବେ ତାଳିପକା ନୀତିରେ କିଛି ହେବ ନାହିଁ । ଏହି ଘଟଣାର ସ୍ଥାୟୀ ସମାଧାନ ସହ ଆନ୍ଧ୍ରକୁ କଡା ଜବାବ ଦେବାକୁ ଲୋକେ ଦାବି କରିଛନ୍ତି ।

ସୀମାରେ ଅନୁପ୍ରବେଶ କରିବା କିମ୍ବା ଓଡ଼ିଶାର ଜଳ, ଜମି ଓ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇବା ଆନ୍ଧ୍ରର ପୁରୁଣା ରୋଗ । ଆନ୍ଧ୍ର ବାରମ୍ବାର ଏଭଳି ଅପପ୍ରୟାସ କରିବା ସହ କେତେ ମାତ୍ରାରେ ସଫଳ ମଧ୍ୟ ହୋଇଛି । ସବୁବେଳେ ମୁହଁତୋଡ ଜବାବ ଦେବାର କଥା କହୁଥିବା ରାଜ୍ୟ ସରକାର କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାର ନଜିର ଆସୁନାହିଁ । ତେଣୁ ଦିନକୁ ଦିନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ତଳେ ଆନ୍ଧ୍ର ପ୍ରଶାସନ ମଞ୍ଜୁଷା ମଣ୍ଡଳ ପଟରୁ ଅନୁପ୍ରବେଶ କରି ରାୟଗଡ଼ ବ୍ଲକର ଗଙ୍ଗବାଡ ଅଞ୍ଚଳରେ ନିଜର ଭୋଟ କରାଇବା ପାଇଁ ପ୍ରୟାସ କରିଥିଲା । ଅବଶ୍ୟ ଏଥିରେ ସଫଳ ହୋଇପାରିନଥିଲା । ସେହି ସୀମାରେ ପରାସ୍ତ ହେବା ପରେ ବର୍ତ୍ତମାନ କୋତୁରୁ ମଣ୍ଡଳ ପଟରୁ ଓଡ଼ିଶାର କାଶୀନଗର ବ୍ଲକ ଛଅ ମାଇଲ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଛି । ଏଠାରେ ଓଡ଼ିଶାର ଜମି ଉପରେ ଆନ୍ଧ୍ର ରାସ୍ତା ନିର୍ମାଣ କାମ ଆରମ୍ଭ କରିଛି । ଯାହାକୁ ସ୍ୱାଭିମାନ ଓଡ଼ିଆମାନେ ତୀବ୍ର ବିରୋଧ କରିଛନ୍ତି ।

ଓଡ଼ିଶା ମଧ୍ୟରେ ପଶି ସରକାରୀ ଯୋଜନା କାର୍ଯ୍ୟ କରାଇ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ପ୍ରଥମେ ବିଶ୍ବାସ ଜିତିବା ପରେ ସଂପୃକ୍ତ ଅଞ୍ଚଳକୁ ନିଜର ବୋଲି ଦର୍ଶାଇବାକୁ ଆନ୍ଧ୍ର ବାରମ୍ବାର ଯୋଜନା କରୁଥିବାରୁ ସୀମାନ୍ତବର୍ତ୍ତୀ ଓଡ଼ିଆମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ରୟାସ ଓ ସରକାର ଏହାକୁ ଗୁରୁତର ସହ ନେଇ ସୀମା ବିବାଦର ସମାଧାନ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି । ଏନେଇ ଉତ୍କଳ ସମ୍ମିଳନୀ ପକ୍ଷରୁ ସାମ୍ବାଦୀକ ସମ୍ମିଳନୀ ମାଧ୍ୟମରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମେ ସୀମା ଦଖଲ କରିବୁ ବୋଲି ଚେତାବନୀ ଦିଆଯାଇଛି ।

ଓଡ଼ିଶାର କାଶୀନଗର ବ୍ଲକ ଛଅ ମାଇଲ ଠାରେ ଆନ୍ଧ୍ର ପ୍ରଶାସନ ଅନୁପ୍ରବେଶ କରି ରାସ୍ତା ନିର୍ମାଣ କରୁଥିବା ଖବର ପାଇ ଗଜପତି ଜିଲ୍ଲା ପ୍ରଶାସନ ଏହା ଉପରେ ରୋକ ଲଗାଇବା ସହ କାମରେ ବ୍ୟବହୃତ ଗାଡି, ସିମେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି । ୬ ମାଇଲ ଠାରୁ ମାତ୍ର ୧ କିମି ଦୂରରେ ରହିଛି ଆନ୍ଧ୍ରର ଆଳତି ଗାଁ । ଏହି ଗାଁକୁ ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କରୁଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଓଡ଼ିଶା ସୀମାରେ ରାସ୍ତା ନିର୍ମାଣ କରୁଥିଲା । ତେବେ ଏହି ଖବର ପାଇବା ପରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳଙ୍କ ନେତୃତ୍ବରେ କାଶୀନଗର ତହସିଲଦାର ଓ କାଶୀନଗର ପୋଲିସ ଫୋର୍ସ ସହ ପହଞ୍ଚି କାମକୁ ବନ୍ଦ କରିବା ସହ ଏଥିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

"ବର୍ତ୍ତମାନ ଠାରୁ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ସୀମା ଆରମ୍ଭ ଓ ଶେଷ ସମ୍ପର୍କିତ ବୋର୍ଡ ଲାଗଯିବା ସହ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯିବ," କହିଛନ୍ତି ଗଜପତି ଜିଲ୍ଲାର ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ।

ଦିନକୁ ଦିନ ଆନ୍ଧ୍ରର ଦାଦାଗିରି ବୃଦ୍ଧି ପାଉଥିବା ବେଳେ ଓଡ଼ିଶା ସରକାର ସୀମା ସୁରକ୍ଷା ଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନକରିବା ସ୍ବାଭିମାନୀ ଓଡିଆଙ୍କ ମନକୁ ଆନ୍ଦୋଳିତ କରୁଛି । ଏହା ଯେ କେତେବେଳେ ବିସ୍ଫୋରକ ରୂପ ନ ନବେ ତାହା କିଏ କହିବ । ତେଣୁ ସରକାର ଏଥିପ୍ରତି ସଚେତନ ହେବା ସହ ଏହାର ସ୍ଥାୟୀ ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । (ବାସୁଦେବ ଦାସ) 
Published by:Jagdish Barik
First published: