ଗଜପତି: ୩୫ ବର୍ଷ ତଳୁ ନିଖୋଜ ଥିଲା ଭାଇ; ଖବର ମିଳିଲା ଭାଇରାଲ୍ ଭିଡିଓରୁ; ଏବେ ଅରୁଣାଚଳରେ

ଅଚାନକ ଭାଇରାଲ ହୋଇଥିବା ଗୋଟିଏ ଭିଡିଓରେ ନିଜ ଭାଇକୁ ଦେଖିବା ପରେ ତାଙ୍କୁ ଅରୁଣାଚଳ ପ୍ରଦେଶର ଜଙ୍ଗଲରୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଗଜପତି ଜିଲ୍ଲାର ଶୁକୁ ଭୂୟାଁ । ପ୍ରଶାସନର ସାହାଯ୍ୟ ଉପରେ ସେ ଆଶା ରଖିଛନ୍ତି ।

ଗଜପତି: ୩୫ ବର୍ଷ ତଳୁ ନିଖୋଜ ଥିଲା ଭାଇ; ଖବର ମିଳିଲା ଭାଇରାଲ୍ ଭିଡିଓରୁ; ଏବେ ଅରୁଣାଚଳରେ
ଅରୁଣାଚଳ ପ୍ରଦେଶରୁ ଆସିଥିବା ଭିଡିଓରେ ଶୁକୁ ଭୂୟାଁଙ୍କ ବଡ଼ ଭାଇ
  • News18 Odia
  • Last Updated: August 3, 2020, 10:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ବାସୁଦେବ ଦାଶ | News18 Odia Digital

ପାରଳାଖେମୁଣ୍ଡି: କରୋନା ସଙ୍କଟ ଅନେକ ଲୋକଙ୍କ ପାଖରୁ ବହୁତ କିଛି ଛଡ଼ାଇ ନେଇଥିବା ବେଳେ ଆଉ କେତେକଙ୍କୁ ବହୁ ଦିନ ହେଲା ଦୂରେଇ ଯାଇଥିବା ନିଜର ଲୋକକୁ ଫେରାଇଦେଇଛି । ଏଭଳି ଏକ ଘଟଣାର ପୂର୍ବାଭାଷ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଳକରେ । ଦୀର୍ଘ ୩୫ ବର୍ଷ ହେଲା ଦୂରେଇ ଯାଇଥିବା ଭାଇକୁ ଦେଖିବାର ସୌଭାଗ୍ୟ ପାଇଛନ୍ତି ଆବାସିଂ ଗ୍ରାମର ଶୁକୁ ଭୂୟାଁ ।

ଭାଇରାଲ ହୋଇଥିବା ଗୋଟିଏ ଭିଡିଓରେ ନିଜ ଭାଇକୁ ଦେଖିବା ପରେ ତାଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଶୁକୁ । ‘‘ପିଲାବେଳେ ଅନେକ ଖେଳିଛୁ,ଗୋଟିଏ ସ୍ଥାନରେ ଖାଇଛୁ, ଶୋଇଛୁ । କିନ୍ତୁ ଦୀର୍ଘ ସମୟ ଧରି ଆମେ ଦୂରେଇ ଯାଇଥିଲୁ । କିନ୍ତୁ ବର୍ତ୍ତମାନ ଆମର ଶେଷ ଅବସ୍ଥା । ଏହି ସମୟରେ ଅନ୍ତତଃ ଆମେ ଦୁଇ ଭାଇ ମିଶିକି କଟାଇବୁ,’’ କହିଛନ୍ତି ଶୁକୁ । ତାଙ୍କର ଦୁଇ ପୁଅ ମୁକୁନ୍ଦି ଓ ରାଜେଶ ମଧ୍ୟ ସେହି ସମାନ କଥା କହିଛନ୍ତି ।

‘‘ଆମର ଜଣେ ବଡ଼ବାପା ଥିଲେ ବୋଲି ଆମେ ବାପାଙ୍କ ପାଖରୁ ଶୁଣିଛୁ । କିନ୍ତୁ କେବେ ଦେଖି ନ ଥିଲୁ । ଅନ୍ତତଃ ସେ ଆସିଲେ ଆମେ ଖୁସିରେ ତାଙ୍କୁ ରଖିବୁ,’’ କହିଛନ୍ତି ମୁକୁନ୍ଦି ।

ଭିଡିଓରେ ଶୁକୁ ଭୂୟାଁଙ୍କ ବଡ଼ ଭାଇ


ତାଳମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅବାସିଂ ଗାଁର ଢେପସାହିର ଶୁକୁ ଭୂୟାଁଙ୍କ ବଡ଼ ଭାଇ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଅର୍ଥ ରୋଜଗାର ପାଇଁ ବାହାରକୁ ଚାଲିଯାଇଥିଲେ । ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ହେଲା ସେ ଯାଇଛନ୍ତି ଯେ ଆଉ ଫେରିନାହାନ୍ତି । ଏବେ ହଠାତ୍ ଏକ ଭିଡିଓରେ ଭାଇକୁ ଦେଖି ଚିହ୍ନି ପାରିଛନ୍ତି ଶୁକୁ ।

‘‘ମୋ’ ଭାଇ ବର୍ତ୍ତମାନ ଅରୁଣାଚଳ ପ୍ରଦେଶର କେଉଁ ଏକ ଜଙ୍ଗଲରେ ରହୁଥିବା ଜାଣିବାକୁ ପାଇଛି । ସେ ମଧ୍ୟ ଗାଁକୁ ଫେରିବା ପାଇଁ ଚାହୁଥିବା ସେ ଭିଡିଓରେ କହୁଛନ୍ତି । ଆମେ ଏକ ଗରିବ ଆଦିବାସୀ ଲୋକ । ଆମ ପାଖରେ ଟଙ୍କା ନାହିଁ ଯେ ସେହି ସ୍ଥାନକୁ ଯାଇ ତାଙ୍କୁ ସାଙ୍ଗରେ ଆଣିବୁ? ତାଙ୍କୁ ତୁରନ୍ତ ଫେରାଇ ଆଣିବାକୁ କେହି ସାହାଯ୍ୟ କଲେ ଭଲ ହୁଅନ୍ତା । ଶେଷ ସମୟରେ ଅନ୍ତତଃ ଆମେ ଦୁଇ ଭାଇ ମିଶିକି ସମୟ କଟାନ୍ତୁ,’’ କହିଛନ୍ତି ଶୁକୁ ।

ଅବାସିଂ ଗାଁର ଢେପସାହିରେ ଶୁକୁ ଭୂୟାଁଙ୍କ ପରିବାର


ଅରୁଣାଚଳ ପ୍ରଦେଶର ଜଣେ ଲୋକ ନିଜକୁ ରୁବୁ ଆମା ତଥା ଜଣେ ଶିକ୍ଷକର ପରିଚୟ ଦେଇ ଏହି ଭିଡିଓ ବନେଇଛନ୍ତି । ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ଜଙ୍ଗଲ ମଧ୍ୟରେ କୁଡ଼ିଆ କରି ରହୁଥିବା ଦେଖାଯାଇଛି । ସେ ନିଜକୁ ଜଗପତି ଆର୍ଯ୍ୟ ବୋଲି ପରିଚୟ ଦେଇ ଗଜପତି ଜିଲ୍ଲା ରାୟଗଡ଼ ବ୍ଳକର ଅବାସିଂ ଗାଁର ମୂଳ ବାସିନ୍ଦା ବୋଲି ବୋଲି କହିଛନ୍ତି । ସେ ନିଜ ଗାଁକୁ ଫେରିବାକୁ ଚାହୁଁଛନ୍ତି ବୋଲି ବି କହିଛନ୍ତି । ସେ କାମ ଅନ୍ବେଷଣରେ ବାହାରକୁ ଯାଇଥିଲେ ଓ ଅନେକ ବର୍ଷ ଧରି ଏକ କମ୍ପାନୀରେ କାମ କରୁଥିଲେ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ATM; ଇଡି ବି ତଦନ୍ତ କରୁଛି

ଏହା ବି ପଢ଼ନ୍ତୁ: ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲା

କିଛି ବର୍ଷ କାମ କରିବା ପରେ ନିଜେ କାଠ କାମ କରି ଆୟ କରୁଥିଲେ ଓ ଦେହର ବଳ କମିବା ପରେ ଆଉ କାମ କରିପାରି ନ ଥିଲେ ବୋଲି ସେ ଏହି ଭିଡିଓରେ କହିଛନ୍ତି । ପାଖରେ ଥିବା ଟଙ୍କା ସରିଯିବା ପରେ ଚଳିବା କଷ୍ଟ ହେବାରୁ ସେ ଏକ ଜଙ୍ଗଲ ମଧ୍ୟରେ ରହି ଜଙ୍ଗଲରୁ ସଂଗୃହିତ ଖାଦ୍ୟ ଖାଉଥିବା କଥା କହିଛନ୍ତି । ଏହାରି ଭିତରେ ତାଙ୍କ ସହ ଦେଖା ହୋଇଥିଲା ରୁବୁ ଆମାଙ୍କର । ସେହି ଦିନ ଠାରୁ ସେ ଜଗପତିଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସହାଯ୍ୟ କରିଆସୁଛନ୍ତି । ତେବେ ବର୍ତ୍ତମାନ ସେ ନିଜ ଗାଁକୁ ଫେରିବା ପାଇଁ ଚାହୁଁଥିବାରୁ ରୁବୁ ଆମା ଏହି ଭିଡିଓ ବନେଇ ଭାଇରାଲ କରିଛନ୍ତି ।



ଭାଇରାଲ ଭିଡିଓଟିକୁ ଦେଖି ଶୁକୁ ନିଜ ଭାଇକୁ ଚିହ୍ନିବା ସହ ତାଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି । ତେବେ ପ୍ରଶାସନ ଏହା ଉପରେ ଗୁରୁତ୍ବ ଦେଇ କେବେ ଜଗପତିଙ୍କୁ ନିଜ ଗାଁକୁ ଫେରାଇ ଆଣିବାରେ ସାହାଯ୍ୟ କରିବ ଗାଁ ଲୋକେ ଚାହିଁ ରହିଛନ୍ତି  ।
Published by: Anand Shankar Thankur Das
First published: August 3, 2020, 10:53 PM IST
corona virus btn
corona virus btn
Loading