ମାଟ୍ରିକ ପରୀକ୍ଷାରେ ସଫଳତାର ହାର ବଢ଼େଇବା ପାଇଁ ଗଜପତିରେ ଆରମ୍ଭ ହେଲା ‘ସୁପର ୩୦’

ଜିଲ୍ଲାରେ କିଛି ବେସରକାରୀ ସ୍କୁଲର ପିଲା ଭଲ ରେଜଲ୍ଟ କରୁଥିବାବେଳେ ସରକାରୀ ସ୍କୁଲ ଗୁଡ଼ିକ ବହୁ ପଛରେ ରହୁଛନ୍ତି । କେତେକ ସରକାରୀ ସ୍କୁଲର ଫଳାଫଳ ଶୂନ୍ୟ ମଧ୍ୟ ରହୁଛି । ଏଥିରେ ସୁଧାର ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଏକ ଭିନ୍ନ ପ୍ରୟାସ ‘ସୁପର ୩୦’ ।

ମାଟ୍ରିକ ପରୀକ୍ଷାରେ ସଫଳତାର ହାର ବଢ଼େଇବା ପାଇଁ ଗଜପତିରେ ଆରମ୍ଭ ହେଲା ‘ସୁପର ୩୦’
ଶ୍ରେଣୀଗୃହରେ ଛାତ୍ରୀଛାତ୍ରମାନେ ଅଧ୍ୟୟନ କରୁଛନ୍ତି
  • News18 Odia
  • Last Updated: January 8, 2020, 5:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାରଳାଖେମୁଣ୍ଡି: ରାଜ୍ୟର ସବୁ ସରକାରୀ ସ୍କୁଲ ଭଳି ଗଜପତି ଜିଲ୍ଲାରେ ମଧ୍ୟ ସରକାରୀ ବିଦ୍ୟାଳୟ ଗୁଡ଼ିକର ମାଟ୍ରିକ ଫଳ ଉତ୍ସାହ ଜନକ ହେଉନାହିଁ । ତେଣୁ ଏଥିରେ ସୁଧାର ଆଣିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭିନ୍ନ ପ୍ରୟାସ ‘ସୁପର ୩୦’ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ଶାହା ଉଦଘାଟନ କରିଛନ୍ତି । ପରେ ଜିଲ୍ଲାପାଳ ଏ ସମ୍ପର୍କରେ ମତାମତ ଦେଇ କହିଛନ୍ତି ‘‘ଆସନ୍ତା ପରୀକ୍ଷା ପାଇଁ  ପିଲାଙ୍କୁ ସ୍ବତନ୍ତ୍ର ଶିବିର ମାଧ୍ୟମରେ ପ୍ରସ୍ତୁତ କରାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍କୁଲରୁ ବଛାଯାଇଥିବା ଛାତ୍ରୀଛାତ୍ର ଏହି ଶିବିରରେ ରହି ନିଜର ପଢା ଆରମ୍ଭ କରିଛନ୍ତି। ଶିବିର ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ଜିଲ୍ଲାରୁ ୬ହଜାର ୮ଶହ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଏହି କାର୍ଯ୍ୟକ୍ରମ ଲାଗି ୩୦ଜଣଙ୍କୁ ମନୋନୀତ କରାଯାଇଛି। ଏଥିପାଇଁ ଗ୍ରାମୀଣ ବିଦ୍ୟୁତୀକରଣ ନିଗମ ଫାଉଣ୍ଡେଶନ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯିବା ନେଇ ସ୍ଥିର  ହୋଇଛି’’ ।

ଶିବିର ଲାଗି ଚୟନ ହୋଇଥିବା ଛାତ୍ରୀଛାତ୍ର


‘‘ଏହି ଶିବିରରେ ରହୁଥିବା ଛାତ୍ରୀଛାତ୍ରମାନେ ପ୍ରତିଦିନ ଭୋର ୫ଟାରୁ ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସାରି ଜଣେ ଖେଳ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଯୋଗଶିକ୍ଷା କରୁଛନ୍ତି । ପ୍ରାୟ ୧ ଘଣ୍ଟାର ଯୋଗାଭ୍ୟାସ ପରେ ସାଢେ ୬ଟାରୁ ସାଢେ ୮ଟା ଯାଏଁ ପିଲାମାନେ ଛାତ୍ରୀଛାତ୍ରମାନେ ଅଧ୍ୟୟନ କରୁଛନ୍ତି । ଏହାପରେ ଛାତ୍ରୀଛାତ୍ରମାନେ ଜଳଖିଆ କରି  ସାଢେ ୯ଟାରୁ ସ୍କୁଲ ଯାଇ ୫ଟା ପର୍ଯ୍ୟନ୍ତ ରହୁଛନ୍ତି । ସେହିଭଳି ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ପିଲାମାନଙ୍କ ପଢା ସମୟ ରଖାଯାଇଥିବା’’ ଶିବିରର ଶିକ୍ଷୟିତ୍ରୀ ସୁଲତା ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି । ‘‘ଏଥିପାଇଁ  ୪ ଜଣ ୱାଡ଼େନଙ୍କୁ ନିଯୁକ୍ତ କରାଯାଇଥିବାବେଳେ ୪ ଜଣ ଖେଳ ଶିକ୍ଷକ ଏବଂ ବିଭିନ୍ନ ବିଷୟର ୨୮ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା’’ ସେ କହିଛନ୍ତି  ।

ପାରଳାଖେମୁଣ୍ଡିର ଜଙ୍ଗମ ସାହିରେ ଛୋଟ ଦୋକାନଟିଏ କରିଥିବା ଜଣେ ଛାତ୍ରୀଙ୍କ ଅଭିଭାବକ


ଶିବିରରେ ବିଶେଷ କରି ଗ୍ରାମାଞ୍ଚଳରୁ ଆସିଥିବା ଛାତ୍ରୀଛାତ୍ରମାନେ ରହିଥିବାରୁ ସେମାନେ ବ୍ୟବସ୍ଥାରେ ଖୁସି ପ୍ରକାଶ କରିଛନ୍ତି ।   ସେମାନେ କହିଛନ୍ତି ଯେ, ‘‘ଗ୍ରାମାଞ୍ଚଳରେ ଭଲ ଟ୍ୟୁସନ ଶିକ୍ଷକ ନଥିବାରୁ ଭଲଭାବେ ପାଠ ପଢ଼ି ହେଉନଥିଲା। ସ୍କୁଲରେ ଯାହା ପଢାଯାଉଥିଲା ତାହାକୁ ନିଜେ ହିଁ ଘରେ ପଢୁଥିଲୁ । କିନ୍ତୁ ଏଠାରେ ଭଲ ପଢା ହେଉଥିବା ସହ ଖାଇବା ଏବଂ ରହିବା ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆସି ପଢାଉଛନ୍ତି ଏବଂ ସେମାନଙ୍କ ଆମର ସନ୍ଦେହ ଦୂର ହୋଇପାରୁଛି । ତେଣୁ ଆମେ ଆଗାମୀ ପରୀକ୍ଷାର ନିଶ୍ଚିତ ଭାବେ ଭଲ କରି ଏ୧ ଗ୍ରେଡ ପାଇବାକୁ ଲକ୍ଷ୍ୟ ରଖିଛୁ’’ ।

କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ସହ ଛାତ୍ରୀଛାତ୍ରମାନେ


ପାରଳାଖେମୁଣ୍ଡି ସହରର କେତେକ ପିଲା ମଧ୍ୟ ଏହି ଶିବିରରେ ରହିଛନ୍ତି । ଯାହାକୁ ନେଇ ଅଭିଭାବକମାନେ କହିଛନ୍ତି ଯେ, ‘‘ପ୍ରଶାସନର ଏଭଳି ଉଦ୍ୟମ ଦ୍ଵାରା ଆମ ପିଲା ଭଲ କରିବ ବୋଲି ଆଶା ରହିଛି । ତେବେ ପ୍ରଶାସନ ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ’’ । ପାରଳାଖେମୁଣ୍ଡି ଜଙ୍ଗମ ସାହି ବାସିନ୍ଦା କହିଛନ୍ତି ଯେ, ‘‘ମୁଁ ଏକ ଛୋଟ ଦୋକାନଟିଏ କରି ପରିବାର ଚଳାଉଛି । ଝିଅ ମାଟ୍ରିକ ପରୀକ୍ଷା ଦେବାକୁଥିବାବେଳେ ମୋର ସାମର୍ଥ୍ୟ ଅନୁସାରେ ତାକୁ କେବଳ ଗୋଟିଏ ଟ୍ୟୁସନ ପଢ଼ାଇପାରୁଛି । ଯଦିଓ ସେ ଅଧିକ ପଢିବା ପାଇଁ ଚାହୁଁଛି, କିନ୍ତୁ ମୋର ସାମର୍ଥ୍ୟ ନଥିବାରୁ ଦେଇପାରୁନି। ତେବେ ଜିଲ୍ଲାପାଳଙ୍କ ଅଭଳି କାର୍ଯ୍ୟକ୍ରମ ମୋତେ ଚିନ୍ତା ମୁକ୍ତ କରିଥିବାବେଳେ ଝିଅ ଆଗାମୀ ପରୀକ୍ଷାରେ ଭଳ କରିବ ବୋଲି ଆଶା କରୁଛି’’ ବୋଲି ସେ କହିଛନ୍ତି ।
Published by: Durgamadhab Rath
First published: January 8, 2020, 5:36 PM IST
corona virus btn
corona virus btn
Loading