ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦାବି ପୂରଣ ପାଇଁ ମୈଇଦାନକୁ ଓହ୍ଲାଇଲେ ଗାଁ ସାଥୀ ସଙ୍ଘ; ଝୁଡ଼ି, କୋଦାଳ ଓ ଭିକ୍ଷା ଥାଳ ଧରି କଲେ ପ୍ରତିବାଦ

ଦାବି ପୂରଣ ପାଇଁ ମୈଇଦାନକୁ ଓହ୍ଲାଇଲେ ଗାଁ ସାଥୀ ସଙ୍ଘ; ଝୁଡ଼ି, କୋଦାଳ ଓ ଭିକ୍ଷା ଥାଳ ଧରି କଲେ ପ୍ରତିବାଦ

ଗାଁ ସାଥୀ ସଙ୍ଘର ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୭ ତାରିଖ ଦିନ ସଙ୍ଘ ପକ୍ଷରୁ ବିଧାନ ସଭା ଆଗରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସଙ୍ଘ ଏନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସହିତ ନବୀନ ନିବାସ ଯିବାକୁ ଉଦ୍ୟମ କଲା ବେଳେ ପୋଲିସ ଅଟକାଇଥିଲା ।

ଦାବି ପୂରଣ ପାଇଁ ମୈଇଦାନକୁ ଓହ୍ଲାଇଲେ ଗାଁ ସାଥୀ ସଙ୍ଘ; ଝୁଡ଼ି, କୋଦାଳ ଓ ଭିକ୍ଷା ଥାଳ ଧରି କଲେ ପ୍ରତିବାଦ
ଦାବି ପୂରଣ ପାଇଁ ମୈଇଦାନକୁ ଓହ୍ଲାଇଲେ ଗାଁ ସାଥୀ ସଙ୍ଘ
  • News18 Odia
  • Last Updated: November 9, 2021, 4:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଗାଁ ସାଥୀ ସଙ୍ଘର ଅଭିନବ ପ୍ରତିବାଦ। ବାରମ୍ବାର ଦାବି ସତ୍ତ୍ବେ ସରକାର ସେମାନଙ୍କ ଦାବି ଶୁଣୁ ନ ଥିବାରୁ ଏହାକୁ ବିରୋଧ କରି ଝୁଡ଼ି, କୋଦାଳ ତଥା ଭିକ୍ଷା ଥାଳ ଧରି ଅଭିନବ ପ୍ରତିବାଦ କରିଛି ଗାଁ ସାଥୀ ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି । ସୋମବାର ସନ୍ଧ୍ୟାରେ ସଙ୍ଘର ଶତାଧିକ ସଦସ୍ୟମାନେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏଭଳି ଅଭିନବ ପ୍ରତିବାଦ କରିବା ସହ ରାଜ୍ୟ ସରକାରଙ୍କ ଉଦାସିନତା ମନୋଭାବକୁ ସମାଲୋଚନା କରିଥିଲେ । ଏ ନେଇ ସଙ୍ଘର ସଦସ୍ୟମାନେ ନବୀନ ନିବାସ ଯିବାକୁ ଉଦ୍ୟମ କରିବାରୁ ପୋଲିସ ଏହାର ପ୍ରତିରୋଧ କରିଥିଲା । ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରେ ବସି ରହି ପ୍ରତିବାଦ କରିଥିଲା ସଙ୍ଘ ।

ଗାଁ ସାଥୀ ସଙ୍ଘର ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୭ ତାରିଖ ଦିନ ସଙ୍ଘ ପକ୍ଷରୁ ବିଧାନ ସଭା ଆଗରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସଙ୍ଘ ଏନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସହିତ ନବୀନ ନିବାସ ଯିବାକୁ ଉଦ୍ୟମ କଲା ବେଳେ ପୋଲିସ ଅଟକାଇଥିଲା । ତେବେ ସଙ୍ଘର ଏକ ୬ ଜଣିଆ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

ବିଭାଗୀୟ ମନ୍ତ୍ରୀଙ୍କ ତରଫରୁ ମଧ୍ୟ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । ସଙ୍ଘର ୫ ଦଫା ଦାବି ଭିତରେ ଥିଲା ମାସିକ ସର୍ବନିମ୍ନ ୮ ହଜାରରୁ ଅଧିକ ପ୍ରୋତ୍ସାହନ ରାଶି ପ୍ରଦାନ, ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାସିକ ଅତିକମରେ ୧୦ ଦିନର କର୍ମ ଯୋଗାଣ, ଏହା ନ ହେଲେ ବେରୋଜଗାର ଭତ୍ତା ପ୍ରଦାନ ଆଦି ଦାବି ରହିଥିଲା । ହେଲେ ପ୍ରତିଶ୍ରୁତି ପରେ ବି ସରକାର ଏହି ଦାବି ପୂରଣ କଲେ ନାହିଁ । ବିଭାଗୀୟ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଏବେ ବି ପୂରଣ ହୋଇ ପାରିଲା ନାହିଁ ।

ଦାବି ପୂରଣ ପାଇଁ ମୈଇଦାନକୁ ଓହ୍ଲାଇଲେ ଗାଁ ସାଥୀ ସଙ୍ଘ


ଗାଁ ସାଥୀ ସଙ୍ଘର ଗଞ୍ଜାମ ଜିଲ୍ଲା ଉପ ସଭାପତି ହେମନ୍ତ କୁମାର ନାୟକ କହିଛନ୍ତି, ‘‘ବାରମ୍ବାର ଦାବି ସତ୍ତ୍ବେ ସରକାର ଗାଁ ସାଥୀ ସଙ୍ଘର ଦାବିକୁ ଅଣଦେଖା କରୁଛନ୍ତି । ଆମର ଦାବି ଥିଲା ବର୍ଷକୁ ଶହେ ଦିନ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ ୨୦୦ ଦିନ କରାଯାଉ ଓ ରାଜ୍ୟର ସବୁ ଜବ୍‌କାର୍ଡ଼ଧାରୀଙ୍କ ପାଇଁ ଶହେ ଟଙ୍କା ମଜୁରୀ ବୃଦ୍ଧି କରାଯାଉ । ସରକାର ୧୫ ଦିନ ଭିତରେ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ରଖିଥିଲେ । ହେଲେ ୧୫ ଦିନ ଯାଇ ୪୫ ଦିନ ବିତିବାକୁ ବସିଲାଣି । କିନ୍ତୁ ସରକାର ଏହାକୁ ଅଣଦେଖା କରି ଆସୁଛନ୍ତି । ଆଜି ଗଞ୍ଜାମ ଜିଲ୍ଲାର ଗାଁ ସାଥୀମାନେ ପ୍ରତିବାଦ କରିବା ସହିତ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ଏ ନେଇ ଆଲୋଚନା କରିବାକୁ ଉଦ୍ୟମ କରିଥିଲୁ । କିନ୍ତୁ ଆମକୁ ପୋଲିସ ଅନୁମତି ଦେଲା ନାହିଁ । ତଥାପି ମୁଖ୍ୟ ମନ୍ତ୍ରୀଙ୍କୁ ନିବେଦନ ସେ ଆମ ଅସୁବିଧା ଶୁଣନ୍ତୁ ।’’

ସଙ୍ଘର ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ କହିଛନ୍ତି, ‘‘ଏଭଳି ଅଭିନବ ପ୍ରତିବାଦ କରିବା ପାଇଁ ଆମେ ବାଧ୍ୟ ହେଉଛୁ । କାରଣ ରାଜ୍ୟର ବିଭିନ୍ନ ଜିଲ୍ଲାରେ, ଏପରି କି ମୁଖ୍ୟ ମନ୍ତ୍ରୀଙ୍କ ନିଜ ଗଞ୍ଜାମ ଜିଲ୍ଲାରେ, କାମଧନ୍ଦା ନ ପାଇଁ ହଜାର ହଜାର ଗାଁ ସାଥୀ ଦାଦନ ଖଟିବାକୁ ମନସ୍ଥ କଲେଣି । ଯେଉଁମାନେ ବାହାରକୁ ଅକ୍ଷମ ସେମାନେ ଭିକ ମାଗିବାକୁ ବାଧ୍ୟ ହେବେ । ତେଣୁ ଏହି ପ୍ରତିବାଦ ଜରିଆରେ ଆମେ ମୁଖ୍ୟ ମନ୍ତ୍ରୀଙ୍କୁ ନିବେଦନ କରୁଛୁ ଏଭଳି ସ୍ଥିତି ଉପୁଜିବା ପୂର୍ବରୁ ସରକାର ଗାଁ ସାଥୀ ସଙ୍ଘର ଅସୁବିଧାକୁ ସହୃଦୟତାର ବୁଝନ୍ତୁ ।’’

ଗତ ସେପ୍ଟେମ୍ବର ୭ ତାରିଖ ଦିନ ସଙ୍ଘ ପକ୍ଷରୁ ବିଧାନ ସଭା ଆଗରେ ଆନ୍ଦୋଳନ ଆରମ୍ଭ ହୋଇଥିଲା


ତେବେ ଗାଁ ସାଥୀ ଦୋହରାଇଛି ଯେ, ବାରମ୍ବାର ଦାବି ସତ୍ତ୍ବେ ସରକାର ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁ ନ ଥିବାରୁ ଆଗକୁ ଜୋରଦାର ପ୍ରତିବାଦ କରିବ ସଙ୍ଘ । ଆସନ୍ତା ପଞ୍ଚାୟତ ତଥା ମ୍ୟୁନିସିପାଲଟି ନିର୍ବାଚନ ସମୟରେ ସାରା ରାଜ୍ୟର ୫୧ ହଜାରରୁ ଅଧିକ ଗାଁ ସାଥୀ ଓ ସେମାନଙ୍କ ପରିବାର ଭୋଟ ବର୍ଜନ ପାଇଁ ବାଧ୍ୟ ହେବେ । ତେଣୁ ସରକାର ସେମାନଙ୍କ ସମସ୍ୟା ଶୁଣିବାକୁ ପୁଣି ଥରେ ନିବେଦନ କରିଛି ସଙ୍ଘ । ଆଜିର ଏହି ପ୍ରତିବାଦରେ ଶତାଧିକ ମହିଳା ଗାଁ ସାଥୀ ମଧ୍ୟ ରାସ୍ତାରେ ବସି ପ୍ରତିବାଦ କରିଥିଲେ।
Published by: Lipina Das
First published: November 9, 2021, 4:02 PM IST