ସାବିତ୍ରୀ ବ୍ରତ ପାଇଁ ମାର୍କେଟ ଭିଡ଼; ସେପଟେ ଫଳ ଦରକୁ ନେଇ ଚିନ୍ତାରେ ଗ୍ରାହକ

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା। ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ପିନ୍ଧି କରିବେ ପୂଜାର୍ଚ୍ଚନା। ଏଥି ପାଇଁ ଏବେ ସରଗରମ ସାବିତ୍ରୀ ବଜାର। କିନ୍ତୁ ଫଳ ଦର ଯୋଗୁଁ ଲୋକଙ୍କ ପକେଟରେ ନିଆଁ ଲାଗିଛି।

ସାବିତ୍ରୀ ବ୍ରତ ପାଇଁ ମାର୍କେଟ ଭିଡ଼ ଲାଗିଛି (ପ୍ରତୀକାତ୍ମକ ଛବି)

ସାବିତ୍ରୀ ବ୍ରତ ପାଇଁ ମାର୍କେଟ ଭିଡ଼ ଲାଗିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ମଙ୍ଗଳ କାମନା କରି ବ୍ରତ ପୂଜା କରିବେ ସଧବା ମହିଳା। ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ପିନ୍ଧି କରିବେ ପୂଜାର୍ଚ୍ଚନା। ଏଥି ପାଇଁ ଏବେ ସରଗରମ ସାବିତ୍ରୀ ବଜାର। କିନ୍ତୁ ଫଳ ଦର ଯୋଗୁଁ ଲୋକଙ୍କ ପକେଟରେ ନିଆଁ ଲାଗିଛି।

କୋଭିଡ଼ ପାଇଁ ବିଗତ ଦୁଇ ବର୍ଷ ହେଲା ପୂଜା ପର୍ବାଣୀ ଉପରେ ଯେମିତି ରୋକ ଲାଗିଥିଲା। ଲୋକଙ୍କ ମନରେ ଭୟ ଥିଲା ଆଉ ବଜାରରେ ଥିଲା କଟକଣା। ଅଳ୍ପ ବହୁତ ବ୍ୟବସାୟ କରିଥିଲେ ବ୍ୟବସାୟୀ। କିନ୍ତୁ ଚଳିତ ବର୍ଷ କୋଭିଡ଼ ଭୟ କମିଛି। ତେଣୁ ଭଲ ଦୁଇ ପଇସା ବ୍ୟବସାୟ ପାଇଁ ଆଶା ରଖିଛନ୍ତି ବେପାରୀ। ସେଥିପାଇଁ ବଜାରରେ ଭଳିକି ଭଳି ଫଳ ଜମା ରଖିଛନ୍ତି ବେପାରୀ। ସେପଟେ ସକାଳୁ ସକାଳୁ ବଜାରରେ ବି ଆରମ୍ଭ ହୋଇଯାଇଛି କିଣାବିକା। ବେପାର ପାଇଁ ପାଗ ବି ଭଲ ରହିଛି। ରବିବାର ସକାଳୁ ରାଜଧାନୀରେ ମେଘୁଆ ପାଗ ରହିଛି। ଖରା ନ ଥିବାରୁ ସକାଳୁ ସକାଳୁ କିଣାକିଣି କରିବାକୁ ଗ୍ରାହକଙ୍କ ମନରେ ବି ଉତ୍ସାହ।

"ଫଳ ଦର ତ ଅଧିକ ରହିଛି। ହେଲେ କଣ କରିବୁ। ପୂଜା ପାଇଁ ତ ନେବାକୁ ପଡ଼ିବ। ସେଥିପାଇଁ ଯେତିକି ଆବଶ୍ୟକ ସେତିକି ନେଉଛୁ,ବୋଲି କହିଛନ୍ତି ୟୁନିଟ-୪ ବାସିନ୍ଦା ଶ୍ରଦ୍ଧା।

ଆମ୍ବ କିଲୋ ୮୦ ଟଙ୍କାରୁ ଆରମ୍ଭ କରି ୨୫୦ ଟଙ୍କା ଯାଏ ରହିଛି। ଦେଶୀ ଆମ୍ବ ସହ ବିଦେଶୀ ଆମ୍ବ ମଧ୍ୟ ବଜାରରେ ଉପଲବ୍ଧ ରହିଛି। ଆମ୍ରପଲ୍ଲୀ, ଦୋଷରୀ ଆମ୍ବ କିଲୋ ପିଛା ୧୫୦ ଟଙ୍କା ରହିଥିବା ବେଳେ ମଲ୍ଲିକା ଆମ୍ବ କିଲୋ ପିଛା ୧୦୦ ଟଙ୍କା, ବାଇଗଣପଲ୍ଲୀ ୧୨୦ ଟଙ୍କା ରହିଛି। ସେହିପରି ନ୍ୟୁଜିଲାଣ୍ଡ, ଇଟାଲୀ, ଆମେରିକା, ଚାଇନାରୁ ଆସିଥିବା ବିଦେଶୀ ଆମ୍ବ କିଲୋ ପିଛା ୨୨୦ରୁ ୧୫୦ ଟଙ୍କା ରହିଛି। ଅଙ୍ଗୁରୁ କିଲୋ ୧୫୦ ଟଙ୍କା ଥିବା ବେଳେ ନାଲି ଅଙ୍ଗୁରୁ ୨୦୦ ଟଙ୍କା ରହିଛି କେଜି। ସପୁରୀ ଗୋଟେ ୪୦ ରୁ ୫୦ ଟଙ୍କା, ତାଳ ଗୋଟା ୧୦ ଟଙ୍କା, ଖଜୁରୀ ୫ ଟଙ୍କା, ସେଓ କିଲୋ ୧୮୦ ରୁ ୨୫୦ ଟଙ୍କା ଯାଏ ରହିଛି।
Published by:Soumya Das
First published: