ରାଜସ୍ଥାନରୁ ୯ ମାସ ୨୨ ଦିନ ଦଣ୍ଡଯାତ୍ରା କରି ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଲେ ୩ଜଣ ଭକ୍ତ

''ଛତିଶଗଡ଼ ଏକ ଗାଁରେ ପହଞ୍ଚିବା ସମୟରେ କରୋନାକୁ ନେଇ ସେହି ଗାଁ ଲୋକେ ଆମକୁ ମରଣାନ୍ତକ ଆକ୍ରମଣ କରିଥିଲେ କିନ୍ତୁ ଜଗନ୍ନାଥ ମହାପ୍ରଭୁ ଆମକୁ ବଞ୍ଚାଇ ଦେଲେ। ତେଣୁ କରୋନା ମହାମାରୀ ଦେଶରୁ ହଟିଯାଉ ଏହି କାମନା ଜଗନ୍ନାଥଙ୍କ ନିକଟରେ କଲୁ ''

ରାଜସ୍ଥାନରୁ ୯ ମାସ ୨୨ ଦିନ ଦଣ୍ଡଯାତ୍ରା କରି ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଲେ ୩ଜଣ ଭକ୍ତ
ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର
  • News18 Odia
  • Last Updated: August 29, 2020, 10:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ପୁରୀ: ଇଚ୍ଛା ଓ ଆତ୍ମବିଶ୍ୱାସ ସମେତ ଆଧ୍ୟାତ୍ମିକତା ମନୋଭାବ ଥିଲେ ଭଗବାନ ସବୁ କିଛି ସଫଳ କରାଇଥାନ୍ତି ବୋଲି କୁହାଯାଏ । ଯାହାର ନିଚ୍ଛକ ଉଦାହରଣ ହେଉଛନ୍ତି ମାନସିକ କରି ରାଜସ୍ଥାନରୁ ପୁରୀ ଆସିଥିବା ୩ ଜଣ ଭକ୍ତଙ୍କ କାହାଣୀ । ସେମାନେ ହେଉଛନ୍ତି ରାଜସ୍ଥାନର କରୋଲୀ ଗାଁର ୭୦ ବର୍ଷୀୟ ରାମ ସିଂ ଭଗତ , ୬୮ ବର୍ଷୀୟ ଜୟ ସିଂ ମୀଣା ଓ ୫୫ ବର୍ଷୀୟ ଥୁଲା ରାମ । ରାମ ସିଂ ଦଣ୍ଡଯାତ୍ରାରେ ପୁରୀ ପାଇଁ ବାହାରିଥିବା ବେଳେ ଜୟ ସିଂ ପଦଯାତ୍ରାରେ ଓ ସେମାନଙ୍କୁ ସହଯୋଗ କରିବା ପାଇଁ ସାଇକେଲରେ ଥୁଲା ରାମ । ତିନି ଜଣ ୩ ନଭେମ୍ବର ୨୦୧୯ ରେ ରାଜସ୍ଥାନରୁ ବାହାରି ୨୫ ଅଗଷ୍ଟ ୨୦୨୦ରେ ଦଣ୍ଡଯାତ୍ରା କରି ପୁରୀରେ ପହଞ୍ଚିଛନ୍ତି । ଜଗନ୍ନାଥ ବା ତାଙ୍କ ଭାଷାରେ ଜଗଦୀଶଙ୍କ ଦର୍ଶନ କରିବା ପରେ ସଫଳ ହୋଇଛି ତାଙ୍କର ମାନସିକ । କରୋନା ଯୋଗୁଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବାରୁ ସେବାୟତ ଓ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ସେମାନଙ୍କ ପାଇଁ ପତିତପାବନ ଦର୍ଶନ ଓ ଧର୍ମଶାଳାରେ ରହଣୀର ବ୍ୟବସ୍ଥା କରିଥିଲେ ।

ରାଜସ୍ଥାନ କରୋଲୀ ଜିଲ୍ଲାର ଶେରାକରକରପୁରା ଗାଁର ୭୦ ବର୍ଷୀୟ ରାମ ସିଂ ଭଗତ ପୁରୀକୁ ତୃତୀୟ ଥର ପାଇଁ ଆସିଛନ୍ତି । ୨୦୧୬ ମସିହାରେ ସେ ପ୍ରଥମେ ଦଣ୍ଡଯାତ୍ରାରେ ସଫଳ ଭାବେ ବଦ୍ରିନାଥ ଧାମ ଯାତ୍ରା କରିଥିଲେ । ଦୀର୍ଘ ୬ ମାସର ଯାତ୍ରା କରିଥିବା ବେଳେ ମନସ୍କାମନା ପୁର୍ଣ୍ଣ ହୋଇଥିବାରୁ ତାଙ୍କ ଗୁରୁ କହିଥିଲେ ଏହା ପରେ ଜଗନ୍ନାଥ ଧାମରେ ଜଗଦୀଶ ମହାପ୍ରଭୁଙ୍କର ଦର୍ଶନ କରିବା ପାଇଁ । ତେବେ ଏତେବାଟ କିଭଳି ଯିବେ ୩ ବର୍ଷ କାଳ ଚିନ୍ତା କରି ଶେଷରେ ଶ୍ରୀ କ୍ଷେତ୍ର ପୁରି ବାହାରିଥିଲେ।

ରାଜସ୍ଥାନରୁ ପୁରୀ ଆସିଥିବା ୩ଜଣ ଭକ୍ତ ରାମ ସିଂ ଭଗତ, ଜୟ ସିଂ ମୀଣା ଓ ଥୁଲା ରାମ


" ୩ ନଭେମ୍ବର ୨୦୧୯ ରେ ରାଜସ୍ଥାନର କରୋଲୀର ପାହାଡ଼ରେ ଥିବା ହନୁମାନ ଓ ଶ୍ରୀରାମଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ବାହାରିଲି ଦଣ୍ଡଯାତ୍ରାରେ। ସାଙ୍ଗରେ ସହଯୋଗ କରିବା ପାଇଁ ପାଖ ଗାଁ ଶେରାକରକରପୁରା ଗାଁର ୫୫ ବର୍ଷୀୟ ଥୁଲା ରାମକୁ ସହଯୋଗ କରିବା ପାଇଁ ସାଙ୍ଗରେ ଆଣିଲି । ସେ ସାଇକେଲରେ ସମସ୍ତ ଜିନିଷ ବାନ୍ଧି ମୋ ସାଙ୍ଗରେ ବାହାରିଲା । ଘଣ୍ଟାକୁ ୨ କିଲୋମିଟର ଆମେ ଅତିକ୍ରମ କରିବାରେ ସଫଳ ହେଲୁ । ମୁଁ ଆଉ ଏକ ଗାଁ ନିକଟରେ ପହଞ୍ଚିବା ପରେ ମୋ ସାଙ୍ଗ ୬୮ ବର୍ଷିୟ ଜୟ ସିଂ ମୀଣା ମଧ୍ୟ ପଦଯାତ୍ରାରେ ଶ୍ରୀକ୍ଷେତ୍ର ଯିବ ବୋଲି ମାନସିକ କରି ବାହାରିଲା । ଆମେ ତିନି ଜଣ ବାହାରିଲୁ । ମୋ ଘରେ ୨ ଦିନ ପରେ ଏହି ଖବର ପାଇବା ପରେ ମୋତେ କାକୁତି ମୀନତି ହୋଇ ବୁଝାଇଲେ । ହେଲେ ମୋର ଲକ୍ଷ୍ୟ ଥିଲା ଯାହା ହେଲେବି ଶ୍ରୀକ୍ଷେତ୍ର ଯିବି ମହାପ୍ରଭୁଙ୍କୁ ଦର୍ଶନ କରିବି । ସେତେବେଳେ ଏଭଳି କରୋନା ମହାମାରୀ ନ ଥିଲା । ତେଣୁ ଆମେ ଉତ୍ତର ପ୍ରଦେଶର , ମଧ୍ୟପ୍ରଦେଶ , ଛତିଶଗଡ ଦେଇ ଓଡିଶାରେ ପ୍ରବେଶ କଲୁ । ତେବେ ମୋ ଦଣ୍ଡଯାତ୍ରା ପାଇଁ ଅଖାରେ ଏକ ଚୌପାଇ କରି ତାକୁ ପକାଇ ତା ଉପରେ ଦଣ୍ଡ ମାରି ପରେ ଏକ ପଥରରେ ଚିହ୍ନ ଦେଇ ପୁଣି ଆଉ ଏକ ଷ୍ଟେପ ଏହିଭଳି ଯାତ୍ରା ଚାଲିଲା," କହିଛନ୍ତି ଦଣ୍ଡଯାତ୍ରାରେ ମାନସିକ କରି ପୁରୀ ଆସିଥିବା ରାଜସ୍ଥାନର ୭୦ ବର୍ଷୀୟ ରାମ ସିଂ ଭଗତ ।

ରାମ ସିଂଙ୍କର ରହିଛି ଅନେକ ଅନୁଭୁତି । ଜଗନ୍ନାଥ ତାଙ୍କ ସାଙ୍ଗରେ ସବୁବେଳେ ରହିଛନ୍ତି । ଆଖି ଛଳ ଛଳ କରି କହିଛନ୍ତି, '' କି ଘଟଣା କହିଲା ବେଳକୁ ଦେହ ଶିତେଇ ଯାଉଛି । ମାର୍ଚ୍ଚ ୨୦ ତାରିଖ ୨୦୨୦ ସେତେବେଳେ କରୋନା ମହାମାରୀର ଆତଙ୍କ ସାରା ଦେଶରେ ଖେଳିଯାଇଥିଲା କିନ୍ତୁ ଆମକୁ କିଛି ଜଣାନଥିଲା । ଛତିଶଗଡର ପାଶୋର ଗାଁରେ ଜଣଙ୍କ ଘରେ ମୋବାଇଲ ଚାର୍ଜ ବସାଇବାକୁ ଯାଇଥିଲି । ସେ ଲୋକ ମୋବାଇଲ ଚାର୍ଜ ବସାଇବନି ବୋଲି ମନାକରିଦେଲା । ତା ପରେ ଆମେ ସାଇକେଲରେ ଆଣିଥିବା ଜରି ପାଲକୁ ଟାଣି ରାସ୍ତାରେ ବସିରହିଥିଲୁ ଓ ସେହି ସମୟରେ ବର୍ଷାବି ହେଉଥିଲା । ସେହି ଗାଁର କିଛି ଯୁବକ ହାତରେ ଠେଙ୍ଗା ଓ କୁରାଢୀ ଧରି ଆମକୁ ଆକ୍ରମଣ କଲେ । କାଳେ ଆମେ ମୁସଲିମ ଓ କୋଭିଡ଼ି ପୀଡ଼ିତ । ସେମାନେ ମୁଣ୍ଡକୁ ଛାଡି ଶରୀର ସାରା ପାହାର ଦେଇ ଚାଲିଲେ । ଯେତେବୁଝାଇଲେ ବି ବୁଝିଲେ ନାହିଁ । ସମସ୍ତ ମିଶିକି ଜଗନ୍ନାଥଙ୍କୁ ଡାକିଲୁ । ସେତିକି ବେଳେ ଗୋଟେ ଲୋକ ସେମାନଙ୍କ ମଧ୍ୟରୁ କୁରାଢ଼ୀରେ ମୋ ମୁଣ୍ଡକୁ ହାଣିବା ବେଳେ କୁରାଢୀଟି କୁଆଡେ ଖସି ଗଲା । ସେ ତଳେ ପଡିଗଲା । ମୁଁ ଭାବିଲି ଜଗନ୍ନାଥ ବଞ୍ଚେଇ ଦେଲେ । ତା ପରଦିନ ପାଖ ଗାଁର ଲୋକେ ଆମେ ରାଜସ୍ଥାନର ବୋଲି ଜାଣିବା ପରେ ଥାନା ଅଧିକାରୀ ଖବର ଦେଲେ । ସେ ଆସି ଆମ ସହ ଆଲୋଚନା କରି ସେହି ଅଭିଯୁକ୍ତଙ୍କୁ ଧରି ଜେଲ ପଠାଇବା ସହ କୋର୍ଟ ସେହି ଲୋକମାନଙ୍କୁ ୩ ବର୍ଷ ଯାଏଁ ଦଣ୍ଡବିଧାନ କରିଛନ୍ତି ବୋଲି ଶୁଣିବାକୁ ପାଇଲୁ ।''

ଦଣ୍ଡଯାତ୍ରା କରି ଆସିବା ସମୟରେ ରାମ ସିଂ ଭଗତ


"ଛତିଶଗଡ଼ ପାହାଡିଆ ରାସ୍ତାରେ ମୁଁ ଓ ସହଯୋଗୀ ଥୁଲା ଆରାମ ଓ ଖାଦ୍ୟ ଖାଇବା ପାଇଁ ଟିକିଏ ଅଟକି ଯାଇଥିଲୁ । ରାମ ସିଂ ଦଣ୍ଡମାରି ମାରି ଆଗକୁ ୧ କିଲୋମିଟର ପଳାଇ ଯାଇଥିଲା । ଆମେ ଜଗନ୍ନାଥଙ୍କୁ ଡାକିଲୁ କି ପ୍ରଭୁ ତାଙ୍କୁ କେମିତି ଏ ଜଙ୍ଗଲିଆ ଓ ପାହା଼ଡିଆ ଶୁନ୍ ଶାନ୍ ରାସ୍ତାରେ ପାଇବୁ । କିନ୍ତୁ ତା ପାଖରେ ପହଞ୍ଚିବା ପରେ ରାମ ସିଂଙ୍କ ପାଖେ ପହଞ୍ଚିଲୁ। ହେଲେ ତା' କଥା ଶୁଣି ଆମେ ଅବାକ ହୋଇଗଲୁ । ସେ କହିଲେ ଜଙ୍ଗଲ ଭିତରେ ତାକୁ ଭୋକ ଓ ଶୋଷ ପ୍ରବଳ ହେଉଥାଏ । ଭୋକ ତ ରୋକିହେବ ହେଲେ ଶୋଷ ରୋକିହେବ ନାହିଁ । ଏମିତି ଜଗନ୍ନାଥଙ୍କୁ ଡାକିଲି ଓ ଭାବିଲି ଯାତ୍ରା ସଫଳ ହେବ ତ । ଏହି ସମୟରେ ପଛଆଡୁ ଏକ ଛୋଟ ପିଲାଟିଏ ହାତରେ ଗୋଟିଏ ଟିଫିନ ଓ ପାଣି ବୋତଲ ଧରି ଆସୁଛି । ଭାବିଲି ତାକୁ ପାଣି ମାଗିବି କିନ୍ତୁ ସେ ତା ଆଡୁ ମୋ ପାଖରେ ଅଟକି କହିଲା ଖାଇ ନିଅ । ମୁଁ ଖାଇକି ହାତ ଧୋଇ ପାଣି ପିଇବା ବେଳେ ପଛକୁ ଚାହିଁଲା ବେଳକୁ ସେ ଆଉ ନାହିଁ । ଭାବିଲି ପ୍ରଭୁ ଆସିଥିଲେ । ତେଣୁ ରାମ ସିଂଙ୍କ କଥା ଖଆଲି ନୁହେଁ ଆମେ ଅନେକ ଜାଗାରୁ ମହାପ୍ରଭୁଙ୍କ ଯୋଗୁଁ ବଞ୍ଚିକି ଆସିଛୁ । ତେଣୁ ମନରେ ଭକ୍ତି ଥିଲେ ଭଗବାନ ସହାୟ ହୁଅନ୍ତି । ମୁଁ ବି ପ୍ରଥମ ଥର ପୁରୀ ଆସିବା ସହ ପଦଯାତ୍ରାରେ ଯାଇପାରିବି କି ନାହିଁ ଭାବୁଥିଲି । ହେଲେ ପୁରୀରେ ପହଞ୍ଚି ଜଗନ୍ନାଥଙ୍କ ପତିତପାବନ ଦର୍ଶନ କରିବା ପରେ ଗୋଟିଏ ପ୍ରାର୍ଥନା କଲି କରୋନାରୁ ସମଗ୍ର ବିଶ୍ୱ ମୁକ୍ତି ପାଉ ଓ ଆମ ପରିବାରର ମଙ୍ଗଳ ହେଉ," କହିଛନ୍ତି ଜୟ ସିଂ ମୀଣା ।

"ମୁଁ ସାଇକେଲରେ ୨୦୧୬ ରେ ରାମ ସିଂଙ୍କ ସହ ବଦ୍ରିନାଥ ଧାମ, ଚିତ୍ରକୁଟ ପର୍ବତ ଆଦି ଜାଗା ସହଯୋଗୀ ଭାବେ ଯାଇଥିଲି । ଯେତେବେଳେ ଶୁଣିଲି ଜଗନ୍ନାଥ ଧାମକୁ ଯାତ୍ରା ମୋ ମନରେ ଖାଲି ଜଗନ୍ନାଥ ହିଁ ଥିଲା । ତେଣୁ ସାଇକେଲରେ ଆମ ଗାଁ ଦେବୀଙ୍କ ନିଶାଣ ବାନ୍ଧି ସମସ୍ତ ଦରକାରୀ ଜିନିଷପତ୍ର ବାନ୍ଧିଲି । ସାଙ୍ଗରେ ଏକ ଜିଓ ମୋବାଇଲ ଫୋନ ମଧ୍ୟ ଧରିଲି । ବାଟରେ ଯେତେବେଳେ ସମୟ ମିଳେ ଜିଓ ଫୋନରେ ଜଗନ୍ନାଥଙ୍କ ବିଷୟରେ ଅନେକ କଥା ଶୁଣିଥାଉ । ତା ସହିତ ରାଜସ୍ଥାନର ଖବର ମଧ୍ୟ ଶୁଣୁ । ତେବେ ରାଜସ୍ଥାନରୁ ବାହାରିବା ପରେ ଉତ୍ତରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶରେ ଅନେକ ଜାଗାରେ ଆମେ ରୋଷେଇ କରି ଖାଇଛୁ । କିନ୍ତୁ ଓଡିଶା ଓ ପରେ ପୁରୀ ପହଁଞ୍ଚିବା ପର୍ଯ୍ୟନ୍ତ ୩ ମାସ ଆମେ ଗୋଟେବି ରୋଟି ତିଆରି ନ କରିନାହୁଁ । ଆମକୁ ସବୁବେଳେ ଆରଏସଏସ, କିଛି ସାମାଜିକ ସଙ୍ଗଠନ, ବଦାନ୍ୟ ବ୍ୟକ୍ତି ଖାଇବାକୁ ଖାଦ୍ୟ ଦେଇଦିଅନ୍ତି । ଖାଲି ସେତିକି ନୁହେଁ ରାତ୍ରରେ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି । ଆଉ ୯ ମାସ ୨୨ ଦିନରେ ଆମେ ଚନ୍ଦନପୁରରେ ପହଞ୍ଚିବା ପରେ ରାତିରେ ଜଗନ୍ନାଥଙ୍କୁ ଦର୍ଶନ କେମିତି କରିବୁ ଆଉ ନିଦ ନଥିଲା । ତେଣୁ କରୋନାକୁ ନେଇ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ହେଲେ ପତିତପାବନ ଦର୍ଶନ ପାଇଁ ଫୋନ ଯୋଗେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଯିଏ ରାଜସ୍ଥାନ ବାଡମେରର ଲୋକ ତାଙ୍କର ସହଯୋଗ ଲୋଡିଥିଲୁ ଏବଂ ଅଗଷ୍ଟ ୨୫ ମଧ୍ୟରାତ୍ରରୁ ପୁଣି ଦଣ୍ଡଯାତ୍ରାରେ ବାହାରିଲୁ । ବର୍ଷା ଲାଗିରହିଥିବା ବେଳେ ଖାତିର ନ କରି ଦିନ ୨ଟାରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚି ପତିତପାବନଙ୍କୁ ଦର୍ଶନ କଲୁ । ଜଣେ ସେବାୟତ ମହାପ୍ରସାଦ ଓ ବାନା ଟିଏ ଦେବାରୁ ମନ ପବିତ୍ର ହୋଇଗଲା । ତେବେ ଓଡିଶାର ଲୋକେ ଓ ପୁରୀରେ ସେବାୟତ ଏତେ ଭଲ ତାହା କେବେ କଳ୍ପନା କରିବା ବି ଅସମ୍ଭବ । ରାତ୍ରିରେ ପୁରୀର ଏକ ଧର୍ମଶାଳାରେ ରହିବା ପାଇଁ କିଛି ସ୍ୱେଛାସେବୀ ବ୍ୟବସ୍ଥା କରିଦେଲେ । ଆଉ ଦୁଇ ଦିନ ପୁରୀରେ ରହିବା ପରେ ଚିଲ୍ ଗାଡି ବା ଉଡ଼ାଜାହାଜରେ ଫେରିଯିବୁ," କହିଛନ୍ତି ସହଯୋଗୀ ଥୁଲା ରାମ।

ଅନେକ ବାଧାବିଘ୍ନ ଓ ମୃତ୍ୟୁମୁଖରୁ ବଞ୍ଚି ଯେପରି ସେମାନେ ଦଣ୍ଡଯାତ୍ରା ଓ ପଦଯାତ୍ରାରେ ପୁରୀ ଆସିବାକୁ ସଫଳ ହେଲେ ଏଥିରୁ ଜଣାପଡେ ବିଶ୍ୱାସ ଓ ଆସ୍ଥା ଆଗରେ ସବୁକିଛି ତୁଚ୍ଛ ହୋଇପଡେ ଯେତେବେଳେ ମହାପ୍ରଭୁଙ୍କ ପାଖରେ ମନ ବନ୍ଧା ପଡିଯାଏ । ଜଗନ୍ନାଥଙ୍କର ଏହା ଅପୂର୍ବ ଲୀଳା ବୋଲି କହିଛନ୍ତି ସାଧାରଣ ଲୋକ ।
Published by: Jagdish Barik
First published: August 29, 2020, 10:50 AM IST
corona virus btn
corona virus btn
Loading