News 18 Odia Digital
ପୁରୀ; ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ମାଆ ମାନଙ୍କର ରାଇ ଦାମୋଦର ହବିଷ୍ୟାଳୀ ବ୍ରତ ପୁରୀରେ ଅନୁଷ୍ଠିତ ହେବ । ହବିଷ୍ୟାଳୀଙ୍କର ରହିବା, ମହାପ୍ରସାଦ ସେବନ କରିବା , ଶ୍ରୀଜିଉ ମାନଙ୍କୁ ଦର୍ଶନ କରିବା, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ଶୁଣିବା ବ୍ୟବସ୍ଥା କରିବାକୁ ବ୍ୟବସ୍ଥା କରାଯାଇଛି ।
ଆଜି ସ୍ୱତନ୍ତ୍ର ସର୍କିଟ ହାଉସଠାରେ ହବିଷ୍ୟାଳୀ ମାନଙ୍କ ଆଗମନ, ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ମାଆ ମାନଙ୍କର ରହଣି ସମୟରେ ଯେପରି ସେମାନଙ୍କର କୌଣସି ଅସୁବିଧା ବା ସମସ୍ୟା ନ ହୁଏ ସେଥିପ୍ରତି ଦାୟିତ୍ୱରେ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।
ଉପଜିଲ୍ଲାପାଳ ଭବତାରଣ ସାହୁ ବୈଠକ ପରିଚାଳନା କରିବା ସହ ରହଣି ପାଇଁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ ଓ ମୋଚିସାହି ସ୍ଥିତ ପୌର କଲ୍ୟାଣ ମଣ୍ଡପର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ । ଏଯାବତ ୧୨ଶହରୁ ଉର୍ଦ୍ଧ୍ବ ପଞିକରଣ ହୋଇଛି । ମାଆ ମାନଙ୍କର ରହଣି ସମୟରେ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ବ୍ୟବସ୍ଥା,ଦର୍ଶନ ସମୟରେ ଟ୍ରାଫିକ ନିୟନ୍ତ୍ରଣ, ସ୍ୱେଛାସେବୀ ନିୟୋଜନ ଇତ୍ୟାଦିକୁ ସୁନିୟନ୍ତ୍ରିତ କରାଯିବାର ବ୍ୟବସ୍ଥା ହୋଇଛି । ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଗଲା ।
ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନିତି ପ୍ରଶାସକ ଜିତେନ୍ଦ୍ର ସାହୁ, ଅତିରିକ୍ତ ଏସପି ମିହିର ପଣ୍ଡା, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଏପିଡି ରଶ୍ମି ରେଖା ଦାସ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।