News 18 Odia Digital
ଭୁବନେଶ୍ୱର-: ରାଜଧାନୀରେ ଅନଲାଇନ ସେକ୍ସ ରାକେଟ ଚଳାଇଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଏସକର୍ଟ ସର୍ଭିସ ଦେବା ନାଁରେ ଠକେଇ କରୁଥିବା ଏକ ସାଇବର ଗ୍ୟାଙ୍ଗକୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ହୋଇଛନ୍ତି, ମାଷ୍ଟର ମାଇଣ୍ଡ ସମେତ ୫ ଜଣ ଠକ । ଏମାନଙ୍କ ଠାରୁ ମୋବାଇଲ, ପୁଳା ପୁଳା କ୍ୟୁଆର କୋର୍ଡ, ଏଟିଏମ କାର୍ଡ, ସିମ କାର୍ଡ଼ ଜବତ କରିଛି ତଦନ୍ତକାରୀ ଟିମ ।

ମିଳିଥିବା ସୂଚନା ଅନୁସାରେ, ଦେହର ଦାମ ଥିଲା ୫ ହଜାରରୁ ୧୫ହଜାର । ସମୟ ଅନୁସାରେ ବଢ଼ୁଥିଲା ଦେହର ଦର । ଗୁଗୁଲରେ ଆଡ଼ ଦେଉଥିଲେ, ଟଙ୍କା ନେବାପରେ ଗାଏବ ହେଉଥିଲେ । ସ୍ୱାମୀ ଓ ସ୍ତ୍ରୀ ଥିଲେ ଠକେଇ ପଛର ମାଷ୍ଟରମାଇଣ୍ଡ । ସ୍ୱାମୀ ଗିରଫ ହୋଇଥିବା ବେକେ ସ୍ତ୍ରୀ ଫେରାର ଅଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର, ସଦାଶିବ ସେଠୀ, ସସ୍ମିତା ଜେନା, ଉପମନ୍ୟୁ ବେରାଲ ଓ ଜଗନ୍ନାଥ ପ୍ରଧାନ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
"ଏହି ଗ୍ୟାଙ୍ଗ ଏସକର୍ଟ ସର୍ଭିସ ଦେବା ନାମରେ ଗୁଗୁଲରେ ଆଡ଼ ଦେଇଥିଲେ । ଯେଉଁମାନେ ଏହି ଆଡ଼କୁ ଯାଇ କ୍ଲିକ କରୁଥିଲେ ସେଥିରେ ଏକ ନମ୍ବର ଆସୁଥିଲା । ସେ ନମ୍ବରରେ ଯୋଗାଯୋଗ କଲେ କେଉଁ ଦରର ଯୁବତୀ ଉପଲବ୍ଧ ହେବେ ଫୋନ ଯୋଗେ ଗ୍ରାହକଙ୍କୁ କହୁଥିଲେ । ଏଥିପାଇଁ ୩ଜଣ ଯୁବତୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ଗ୍ରାହକ ଥରେ ଟଙ୍କା ଦେଲାପରେ ସବୁ ନମ୍ବର ସୁଇଚ ଅଫ ହୋଇଯାଏ । ଏବେ ସୁଧା ୧୦ ଜଣଙ୍କୁ ଏମାନେ ଚୁନ ଲଗାଇଛନ୍ତି । ଟଙ୍କା ନେବାପରେ କାହାକୁ ସେଭଳି ସର୍ଭିସ ଦେଇନାହାନ୍ତି" ବୋଲି କହିଛନ୍ତି ସାଇବର ଥାନା ଏସିପି ସଞ୍ଜୀବ ଶତପଥୀ ।
ସୁଶାନ୍ତ ପାତ୍ର ଥିଲା ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ । ନିଜ ସ୍ତ୍ରୀ ସମେତ ଆଉ ଦୁଇଜଣ ଯୁବତୀଙ୍କୁ ଚାକିରି ଦେଇଥିଲା । ସୁଶାନ୍ତ ଗିରଫ ହୋଇଥିବା ବେଳେ ତା ପତ୍ନୀ ଓ ଜଣେ ଯୁବତୀ ଫେରାର ହୋଇଯାଇଛନ୍ତି । ସୁଶାନ୍ତ ପୋଷ୍ଟାଲ ବିଭାଗରେ କଣ୍ଟ୍ରାକଚୁଆଲ ଭାବେ କାମ କରୁଥିଲା । ଗିରଫ ପରେ ଏମାନଙ୍କ ଠାରୁ ୧୧ଟି ମୋବାଇଲ, ୯୩ଟି ସିମକାର୍ଡ, ୮୭ହଜାର ଟଙ୍କା ସମେତ କ୍ୟୁଆର କୋରର୍ଡ ଭି ଓ ଏଟିଏମ ଜବତ କରାଯାଇଛି ।
ସାଇବର ଥାନାର ସୂଚନା ଅନୁସାରେ, ଏହି ଘଟଣାର ଅଭିଯୋଗକାରୀ ଥିଲେ ଭୁବନେଶ୍ୱରର ବିବେକାନନ୍ଦ ଜେନା । ଅଭିଯୋଗକାରୀଙ୍କର ଏସ୍କର୍ଟ ସେବା ଆବଶ୍ୟକ ଥିବାରୁ ସେ ଗତ ୧୮.୦୯.୨୦୨୨ ତାରିଖରେ ଗୁଗଲ ବ୍ରାଉଜରରେ ଏସ୍କର୍ଟ ସେବା ଅନୁସନ୍ଧାନ କରି ୭୬୫୫୦୭୦୬୩୨ ନମ୍ବରରେ ଯୋଗାଯୋଗ କରିଥିଲେ । ଅଭିଯୁକ୍ତ ମାନେ ପୀଡ଼ିତଙ୍କୁ ଫୋନ ମାଧ୍ୟମରେ ମାଷ୍ଟର କ୍ୟାଣ୍ଟିନ ନିକଟରେ ଥିବା ରିଚି ହୋଟେଲ ନିକଟକୁ ଡକାଇଥିଲେ । ବିବେକାନନ୍ଦ ଉକ୍ତ ହୋଟେଲ ନିକଟକୁ ଯିବାପରେ ଅଭିଯୁକ୍ତ ମାନେ ୧୫ଶହ ଟଙ୍କା ଦେବା ପରେ ଉପୋରୋକ୍ତ ସେବା ଯୋଗାଇଦେବାର ପ୍ରତିଶୃତି ଦେଇଥିଲେ । ଅଭିଯୁକ୍ତମାନେ ପୁନର୍ବାର ବିବେକାନନ୍ଦଙ୍କୁ କ୍ରମନୁଗତ ଭାବରେ ଟଙ୍କା ମାଗିବାରୁ ସେ ଚନ୍ଦ୍ରକାନ୍ତ ମିଶ୍ର ନାମରେ ଥିବା QR କୋଡରେ ୨୨ହଜାର ୫ଶହ ଟଙ୍କା ଦେଇଥିଲେ । ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଥିଲେ ଯେ ଉକ୍ତ ନମ୍ବରଟି ଜଣେ ମହିଳା ଶୁଭଶ୍ରୀ ପ୍ରଧାନଙ୍କ ନାମରେ ଅଛି । ଅଭିଯୋଗକାରୀ ଠକାମୀର ଶିକାର ହୋଇଥିବା ଜାଣିପାରି ଏନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଲିଖତ ଅଭିଯୋଗ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।