ରାଜ୍ୟ ସଭାର ଚତୁର୍ଥ ଆସନର କଣ ହେବ? ବିଜେପି ଓ କଂଗ୍ରେସ ଚୁପ୍ ରହି ସଂଶୟ ବଢ଼ାଉଛନ୍ତି

ମୟୂରଭଞ୍ଜର ମମତା ମହାନ୍ତଙ୍କୁ ଚ଼ତୁର୍ଥ ପ୍ରାର୍ଥୀ କରି ମହିଳା ଓ ପଛୁଆ ବର୍ଗର ଉତ୍ଥାନ ନାଆଁରେ ବିଜେଡି ଅନ୍ୟ ଦଳମାନଙ୍କର ସମର୍ଥନ ପାଇବାକୁ ଲକ୍ଷ ରଖିଥିବା ଚର୍ଚ୍ଚା ହେଉଛି । ବିଜେପି ମମତାଙ୍କୁ ସମର୍ଥନ କରି ଅଶ୍ବିନୀ ବୈଷ୍ଣବଙ୍କ ଋଣ ସୁଝିପାରେ ବୋଲି ବି କୁହାଯାଉଛି ।

ରାଜ୍ୟ ସଭାର ଚତୁର୍ଥ ଆସନର କଣ ହେବ? ବିଜେପି ଓ କଂଗ୍ରେସ ଚୁପ୍ ରହି ସଂଶୟ ବଢ଼ାଉଛନ୍ତି
ଚ଼ତୁର୍ଥ ଆସନର ବିଜେଡି ପ୍ରାର୍ଥୀ ମମତା ମହାନ୍ତ
  • News18 Odia
  • Last Updated: March 10, 2020, 3:47 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ଏ ଯାଏଁ ଅଙ୍କ ଛିଡ଼ୁନି । ଶାସକ ଦଳ ବିଜେଡ଼ି ଚ଼ାରି ଜଣ ପାର୍ଥୀଙ୍କ ନାମ ଘୋଷଣା କରି ଅନ୍ୟ ଦଳ ତୁଳନାରେ ଆଗରେ ଥିବା ବେଳେ ବିଜେପି ଓ କଂଗ୍ରେସ ଏ ଯାଏଁ କାର୍ଡ଼ ଖୋଲୁନାହାନ୍ତି । ବିଜେଡିର ଚ଼ତୁର୍ଥ ଆସନରେ ଜିତିବାର ସମ୍ଭାବନା ଓ ଉପାୟକୁ ନେଇ ସସପେନସ୍‌ ବଢ଼ିଚ଼ାଲିଛି ।

ବିଧାନ ସଭାରେ ଥିବା ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେଡ଼ି ତିନିଟି ଆସନ ଅନାୟାସରେ ଜିତୁଥିବା ବେଳେ ଚତୁର୍ଥ ଆସନ ପାଇଁ ସଂଖ୍ୟା ପୂରା ହେଉନି । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ତ ଖୁବ୍‌ ପଛରେ ପଡ଼ିଛନ୍ତି । ଚତୁର୍ଥ ଆସନ ପାଇଁ ଉଭୟ ବିଜେପି ଓ ବିଜେଡ଼ିକୁ ସାତଟି ଲେଖାଏଁ ବିଧାୟକଙ୍କ ଭୋଟର ଆବଶ୍ୟକତା ଥିବା ବେଳେ କଂଗ୍ରେସ ପାଖରେ ସର୍ବମୋଟ ନଅ ଜଣ ବିଧାୟକ ଥିବାରୁ ଦଳ ପାର୍ଥୀ ଦେବା ସ୍ଥିତିରେ ନାହିଁ । ଏପରିକି ପରୋକ୍ଷରେ କଂଗ୍ରେସ ନିର୍ବାଚନ ଦୌଡ଼ରୁ ଓହରି ଯାଇଥିବାରୁ ଏହି ସ୍ଥିତିରେ ବିଜେଡ଼ିକୁ ଫାଇଦା ହେବ ବୋଲି କୁହାଯାଉଛି । କିନ୍ତୁ ବିଜେପି ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ନ ଥିବାରୁ ଦ୍ବନ୍ଦ୍ୱ ବଢ଼ିବାରେ ଲାଗିଛି ।

ବିଜେଡ଼ି ଆଗୁଆ ଚ଼ାରି ଜଣ ପାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଚ଼ତୁର୍ଥ ଆସନରେ ମୟୂରଭଞ୍ଜର ବିଜେଡ଼ି ନେତ୍ରୀ ତଥା ପଛୁଆ ବର୍ଗରୁ ଆସୁଥିବା ଏସ.ଏଚ୍‌.ଜି. ସଞ୍ଚାଳିକା ମମତା ମହନ୍ତଙ୍କୁ ପାର୍ଥୀ କରିଛି । ମମତାଙ୍କୁ ଚ଼ତୁର୍ଥ ପ୍ରାର୍ଥୀ କରି ମହିଳା ଓ ପଛୁଆ ବର୍ଗର ଉତ୍ଥାନ ନାଆଁରେ ବିଜେଡି ଅନ୍ୟ ଦଳମାନଙ୍କର ସମର୍ଥନ ପାଇବାକୁ ଲକ୍ଷ ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଏହି ଚତୁର୍ଥ ଆସନ ପାଇଁ ଅନ୍ୟ ଦଳର ସମର୍ଥନ ରହିବ ନା ବିଜେପି ପାର୍ଥୀ ଦେଇ ରଣାଙ୍ଗନକୁ ଓହ୍ଲାଇବ ତାହାକୁ ନେଇ ସସପେନସ୍‌ ଜାରି ରହିଛି ।

ନବୀନଙ୍କ ପସନ୍ଦର ଚ଼ାରି ପ୍ରାର୍ଥୀ: (ଉପରୁ ଘଡ଼ିକଣ୍ଟା ଦିଗରେ) ମୁନ୍ନା ଖାଁ, ମମତା ମହନ୍ତ. ସୁଜିତ୍ କୁମାର ଓ ସୁବାସ ସିଂ


ଚତୁର୍ଥ ଆସନ ପାଇଁ ବିଜେପି ପାଖରେ ୨୩ ବିଧାୟକ ଥିବା ବେଳେ ଆହୁରି ୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହୁଛି । ତେଣୁ ବିଜେପି କେବଳ କଂଗ୍ରେସ ସମର୍ଥନରେ ଜିତିବା ସମ୍ଭବ ଦିଶୁଥିବା ବେଳେ ବର୍ତ୍ତମାନର ରାଜନୈତିକ ସ୍ଥିତିରେ କଂଗ୍ରେସ ବିଜେପିକୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନି । ସେଥି ପାଇଁ ହୁଏତ ବିଜେପି ଲୋକହସା ହେବା ଆଶଙ୍କାରେ ପଛଘୁଞ୍ଚା ଦେଉଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ବିଜେପି ଓ ବିଜେଡିର ସମ୍ପର୍କକୁ ଦେଖିଲେ ହୁଏତ ବିଜେପି ମମତା ମହାନ୍ତଙ୍କୁ ସମର୍ଥନ କରି ଅଶ୍ବିନୀ ବୈଷ୍ଣବଙ୍କ ଋଣ ସୁଝିପାରେ ବୋଲି ଚର୍ଚ୍ଚା ହେଉଛି । ସେଇଥି ପାଇଁ ହୁଏତ ବିଜେଡ଼ି ଚ଼ାରିଟି ଯାକ ସିଟ ଜିତିବ ବୋଲି ଦୃଢ଼ୋକ୍ତି କରିଛି ।

‘‘ମୁଖ୍ୟ ମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚ଼ାରି ଜଣ ପାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସମସ୍ତେ ଜିତିବେ । ଯେତେବେଳେ ଦଳର ସୁପ୍ରିମୋ ହିଁ ଚ଼ାରି ଜଣ ପାର୍ଥୀଙ୍କ ନାମ ଘୋଷଣା କରିଛନ୍ତି, ସେ ନିଶ୍ଚୟ ଜାଣିଥିବେ ପ୍ରତ୍ୟେକ ପାର୍ଥୀ କିପରି ଜିତିବେ,’’ କହିଛନ୍ତି ବିଜେଡ଼ି ମୁଖପାତ୍ର ତଥା ରାଜ୍ୟସଭା ପାର୍ଥୀ ସୁବାସ ସିଂ ।

ବିଜେପି କିନ୍ତୁ ଏ ଯାଏଁ ସ୍ଥିତି ସ୍ପଷ୍ଟ ନ କରି କେନ୍ଦ୍ରୀୟ ନିଷ୍ପତ୍ତିକୁ ଅନେଇ ରହିଛି ବୋଲି କହିଚ଼ାଲିଛି । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି: ‘‘ଦଳ ପାର୍ଥୀ ଦେବ ନା ନାହିଁ ତାହା ସଂସଦୀୟ ବୋର୍ଡ଼ର ନିଷ୍ପତ୍ତି ଉପରେ ନିର୍ଭର କରେ । ଯଦି ସଂସଦୀୟ ବୋର୍ଡ଼ କୁହେ, ତାହେଲେ ଦଳ ପାର୍ଥୀ ଦେଇ ନିର୍ବାଚନ ଲଢ଼ିବ ଆଉ ଯଦି ମନା କରେ ଦଳ ନିର୍ବାଚନରୁ ଓହରି ଯିବ । ସବୁ କିଛି ସଂସଦୀୟ ବୋର୍ଡ଼ର ନିଷ୍ପତ୍ତି ଉପରେ ନିର୍ଭର କରୁଛି ।’’

ସଂଖ୍ୟା ନଥିବାରୁ ଆରମ୍ଭରୁ କଂଗ୍ରେସ ହାତ ଟେକି ଦେଇଥିଲେ ବି ଦଳର ରଣନୀତି ବିଷୟରେ ଚୁପ୍‌ ରହିଛି ଓ ଏ ବିଷୟରେ ଶେଷ ନିଷ୍ପତ୍ତି କେନ୍ଦ୍ର ନେତୃବୃନ୍ଦଙ୍କ ଉପରେ ନ୍ୟସ୍ତ କରିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ‘‘ଗତ ରାଜ୍ୟ ସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା ବିଜେଡି । ତେଣୁ ଏଥର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରି ବିଜେପି ଋଣ ପରିଶୋଧ କରିବ ।’’

ସମ୍ବିଧାନ ବିଶେଷଜ୍ଞ ଅମରେଶ୍ବର ମିଶ୍ର କହିଛନ୍ତି ବର୍ତ୍ତମାନ ସ୍ଥିତିରେ ବିଜେଡ଼ି ଚ଼ାରିଟି ଆସନ ଜିତିବା ପ୍ରାୟ ନିଶ୍ଚିତ । ‘‘ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ତିନୋଟି ଆସନ ଜିତୁଥିବା ବେଳେ ଚତୁର୍ଥ ଆସନ ପାଇଁ ସାତ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡ଼ୁଛି । କଂଗ୍ରେସ ନିକଟରେ ମାତ୍ର ନଅ ଜଣ ବିଧାୟକ ଥିବାରୁ ସେମାନେ ପାର୍ଥୀ ନଦେଇ ନିରବ ରହିପାରନ୍ତି, ଯାହାକି ପରୋକ୍ଷରେ ବିଜେଡ଼ିକୁ ସୁହାଇବ ଏବଂ ଦ୍ବିତୀୟ ପସନ୍ଦରେ ବିଜେଡ଼ି ବାଜିମାରିପାରେ,’’ ସେ କହିଛନ୍ତି ।

ଓଡ଼ିଶା ବିଧାନ ସଭାରେ ୧୪୭ ସଦସ୍ୟ ଥିବାରୁ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ଦରକାର ୩୦ ଖଣ୍ଡ ଭୋଟ୍ । କିନ୍ତୁ ୯ କଂଗ୍ରେସ ବିଧାୟକ ଓ ଜଣେ ସିପିଏମ୍ ବିଧାୟକ ଯଦି ଭୋଟ୍‌ରୁ ବିରତ ରୁହନ୍ତି, ତେବେ ପ୍ରାର୍ଥୀଙ୍କ ବିଜୟ ଭୋଟ୍ ଖସି ଆସିବ ୨୮କୁ । ଆଉ ଯଦି ଏଭଳି ହୁଏ, ତେବେ ବିଜେଡିର ୧୧୩ ବିଧାୟକ ଥିବାରୁ, ୪ ଜଣ ଯାକ ପ୍ରାର୍ଥୀ ଅନାୟସରେ ଜିତିଯିବେ ।

ବିକଳ୍ପ ସମୀକରଣ ହେଲା ଏହା ଯେ ୨୩ ବିଧାୟକ ଥିବା ବିଜେପିକୁ ଯଦି କଂଗ୍ରେସ ସମର୍ଥନ ଦିଏ, ତେବେ ବିଜେପି ମାରିନେବ ବାଜି । କିନ୍ତୁ ରାଜନୈତିକ ଆଦର୍ଶ ଦୃଷ୍ଟିରୁ ଏହା ସମ୍ଭବ ଲାଗୁନାହିଁ ।
First published: March 10, 2020, 3:47 AM IST
corona virus btn
corona virus btn
Loading