ଚ଼ାରି ମାସ ପରେ ଖାଲି ହେଉଥିବା ଚ଼ାରିଟି ରାଜ୍ୟସଭା ସିଟ୍ କାହାକୁ ଉପହାର ଦେବେ ନବୀନ ପଟ୍ଟନାୟକ?

ବିଜୁ ଜନତା ଦଳରେ ଆଶାୟୀ ଓ ଯୋଗ୍ୟ ନେତାଙ୍କ ତାଲିକା ଲମ୍ବା ଥିବା ବେଳେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଚ଼ାରି ଜଣଙ୍କ ଉପରେ ବିଶ୍ୱାସ ସ୍ଥାପନ କରି ତାଙ୍କୁ ରାଜ୍ୟସଭାକୁ ପଠେଇବେ ତାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି ।

ଚ଼ାରି ମାସ ପରେ ଖାଲି ହେଉଥିବା ଚ଼ାରିଟି ରାଜ୍ୟସଭା ସିଟ୍ କାହାକୁ ଉପହାର ଦେବେ ନବୀନ ପଟ୍ଟନାୟକ?
କୋଣାର୍କର ମରିନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  • News18 Odia
  • Last Updated: December 16, 2019, 7:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ରାଜ୍ୟସଭାର ମୋଟ ଚ଼ାରିଟି ଆସନ ଖାଲି ହେବାର ଚ଼ାରି ମାସ ପୂର୍ବରୁ ସମ୍ଭାବ୍ୟ ନୂଆ ଚ଼େହେରାମାନଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।

ଶାସକ ଦଳ ବିଜେଡିର ରାଜ୍ୟସଭା ସଦସ୍ୟ ସରୋଜିନୀ ହେମ୍ବ୍ରମ, ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ବାଳଙ୍କ କାର୍ଯ୍ୟକାଳ ଏପ୍ରିଲ୍‌ ମାସରେ ସରୁଛି । ଆଉ ଜଣେ ବିଜେଡି ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତି ଲୋକସଭା ସାଂସଦ ରୂପେ ନିର୍ବାଚ଼ିତ ହୋଇ ସାରିଥିଲେ ବି ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ବର୍ଷେରୁ କମ୍‌ ଥିବାରୁ ଆଉ ନିର୍ବାଚ଼ନ କରାଯାଇ ନ ଥିଲା । ଏପ୍ରିଲ୍‌ ମାସରେ ଏଇ ଚ଼ାରିଟି ଆସନ ଖାଲି ହେଉଛି ।

ବିଧାନ ସଭାରେ ଦଳୀୟ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଚ଼ାରୋଟିଯାକ ଆସନ ବିଜେଡି ଖାତାକୁ ଯିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି । ତେବେ ଦଳ କେଉଁ ଚ଼ାରି ଜଣଙ୍କୁ ରାଜ୍ୟସଭା ପଠେଇବ, ତାକୁ ନେଇ ବିଭିନ୍ନ ମହଲରେ ଚ଼ର୍ଚ୍ଚା ଆରମ୍ଭ ହୋଇଛି ।

ଦଳରେ ଆଶାୟୀ ଓ ଯୋଗ୍ୟ ନେତାଙ୍କ ତାଲିକା ଲମ୍ବା ଥିବା ବେଳେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଚ଼ାରି ଜଣଙ୍କ ଉପରେ ବିଶ୍ୱାସ ସ୍ଥାପନ କରି ତାଙ୍କୁ ରାଜ୍ୟସଭା ଆସନ ପୁରସ୍କାର ରୂପେ ଦେବେ ତାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି ।

ସାଧାରଣ ନିର୍ବାଚ଼ନରେ ଟିକେଟରୁ ବଞ୍ଚିତ ହୋଇଥିବା ଓ ନିର୍ବାଚନରେ ପରାଜିତ ହୋଇଥିବା ଅନେକ ନେତା ଏବେ ଟିକେଟ ପାଇଁ ପାୱାର କରିଡର୍‌ରେ ଲବି ଆରମ୍ଭ କରି ଦେଇଛନ୍ତି । ଅନେକ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଭେଟେରାନ୍‌ ପ୍ରସନ୍ନ ପାଟଶାଣୀ, ପୂର୍ବତନ ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକ, ସଂଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂ ଦେଓ, ରବିନ୍ଦ୍ର ଜେନା ଓ କଳିକେଶ ସିଂ ଦେଓଙ୍କ ପରି ନେତାଙ୍କ ନାଁ ଆଗରେ ରହିଛି ।

କିନ୍ତୁ ବିଜେଡିର ଇତିହାସକୁ ଦେଖିଲେ ଚର୍ଚ୍ଚା ଓ ବାସ୍ତବତା ମଧ୍ୟରେ ଅନେକ ଫରକ ରହିଥିବାର ଉଦାହରଣ ରହିଛି । ଯେଉଁ ନେତାଙ୍କ ନାମକୁ ନେଇ ଦୀର୍ଘ ଦୀନ ଧରି ଚର୍ଚ୍ଚା ହେଉଥାଏ, ସେମାନଙ୍କୁ ଅନେକ ଥର ନିରାଶ ହେବାକୁ ପଡ଼ିଛି ।

ଆନୁଗତ୍ୟ, ଦକ୍ଷତା ଓ ଅଭିଜ୍ଞତାକୁ ଦଳ ଗୁରୁତ୍ୱ ଦେଉଥିଲେ ବି ଅନେକ ସମୟରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ନିକଟ ଅତୀତ ଉପରେ ନଜର ପକାଇଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ଦିଲ୍ଲୀପ ତିର୍କୀଙ୍କ ପରି ନେତାଙ୍କୁ ରାଜ୍ୟସଭାକୁ ପଠାଇ ସମସ୍ତଙ୍କୁ ଚ଼କିତ କରିଦେଇଥିଲେ ନବୀନ ।

ସେମିତି ମେ ମାସର ସାଧାରଣ ନିର୍ବାଚ଼ନରେ ଟିକେଟ ପାଇ ନ ଥିବା ଭୁବନେଶ୍ୱରର ପୂର୍ବତନ ଲୋକସଭା ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପାଇଁ ପ୍ରତିଶୃତି ମିଳିଥିଲେ ବି ଅଗଷ୍ଟରେ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କୁ ପୁରସ୍କୃତ କରିଥିଲା ଦଳ । ଏପରିକି ବିଜେପି ପାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମସ୍ଥନ କରି ଓ ଜିତେଇ ବିଜେଡ଼ି ଅନେକଙ୍କୁ ଚକିତ କରିଥିଲା ।

ଆଗକୁ ଚ଼ାରିଟି ଆସନ ଖାଲି ପଡ଼ୁଥିବାରୁ ଏଥର ଦଳ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ସୁଯୋଗ ଦେଉଛି ନାଁ ପୁଣି ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ, ତାହା ସମୟ ଆସିଲେ ଜଣା ପଡ଼ିବ ।

‘‘ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବେ ଦଳର ସୁପ୍ରିମୋ । ଦଳରେ କିଛି ଦ୍ୱନ୍ଦ୍ୱ ନଥାଏ । ସୁପ୍ରିମୋ ଯାହକୁ ପଠାଇବେ ତାକୁ ସମସ୍ତେ ମାନିବେ,’’ କହିଛନ୍ତି ବିଜେଡି ବିଧାୟକ ତଥା ମନ୍ତ୍ରୀ ସମୀର ଦାସ ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି: “ନବୀନଙ୍କ ଅନ୍ଦାଜ୍‌କୁ ବୁଝିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଇଥାନ୍ତି ସେ । ରାଜ୍ୟସଭା ନିର୍ବାଚ଼ନ ଏପ୍ରିଲରେ ଥିବାରୁ ବଜେଟ ଅଧିବେଶନରେ ଯଦି ବିଧାନ ପରିଷଦ ବିଲ୍‌ ପାରିତ ହୋଇଯାଏ ତେବେ ପରିସ୍ଥିତି ଅଲଗା ହେବ । ୨୦୨୪ ନିର୍ବାଚ଼ନକୁ ଦୃଷ୍ଟିରେ ରଖି ବିଧାନ ପରିଷଦରେ ନେତାଙ୍କୁ ଥଇଥାନ କରିବାର ବ୍ୟାପକ ସୁଯୋଗ ଥିବାରୁ ଏହା ବଦଳରେ ବିଜେପିକୁ ବି ଅଧା ସିଟ୍‌ରେ ସମର୍ଥନ ଦେଇପାରନ୍ତି ସେ ।’’
First published: December 16, 2019, 7:29 AM IST
corona virus btn
corona virus btn
Loading