ରାଉରକେଲାରେ ପୂର୍ବ ଶତୃତାକୁ ନେଇ ଏସିଡ୍ ମାଡ଼; ପରିବାରର ଚ଼ାରି ସଦସ୍ୟ ଆହତ

ସନ୍ତୋଷ ସୋନୀ ନାମକ ଜଣେ ସୁନା ଦୋକାନୀ ରେଳବାଇ କର୍ମଚାରୀ ନାଗେନ୍ଦ୍ର ପାଣ୍ଡେଙ୍କ ପରିବାର ଉପରେ ଏସିଡ୍ ମାଡ଼ କରି ତାଙ୍କୁ, ତାଙ୍କ ମାଆ, ସ୍ତ୍ରୀ ଓ ଜଣେ ଶିଶୁଙ୍କୁ ଆହତ କରିଛନ୍ତି । ସୋନୀଙ୍କୁ ଗିରଫ କରି ଜେଲ୍ ପଠେଇଛି ପୋଲିସ ।

ରାଉରକେଲାରେ ପୂର୍ବ ଶତୃତାକୁ ନେଇ ଏସିଡ୍ ମାଡ଼; ପରିବାରର ଚ଼ାରି ସଦସ୍ୟ ଆହତ
ଏସିଡ୍ ମାଡ଼ରେ ଆହତ ପରିବାରର ଦୁଇ ସଦସ୍ୟ
  • News18 Odia
  • Last Updated: February 7, 2020, 3:07 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାଉରକେଲା: ପୂର୍ବ ଶତୃତାକୁ ନେଇ ରାଉରକେଲାରେ ଜଣେ ସୁନା ଦୋକାନୀ ନିଜ ପଡ଼ୋଶୀଙ୍କ ପରିବାର ଉପରେ ଏସିଡ୍‌ ମାଡ଼ କରିଛନ୍ତି । ପରିବାରରେ ଜଣେ ଶିଶୁ ସମେତ ଚ଼ାରି ଜଣ ସଦସ୍ୟ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳର ଡିଜେଲ କଲୋନୀରେ ।

ସନ୍ତୋଷ ସୋନୀ ନାମକ ଜଣେ ସୁନା ଦୋକାନୀ ରେଳବାଇ କର୍ମଚାରୀ ନାଗେନ୍ଦ୍ର ପାଣ୍ଡେଙ୍କ ପରିବାର ଉପରେ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି । ଡିଜେଲ କଲୋନୀ ଛକରେ ନାଗେନ୍ଦ୍ରଙ୍କ ସରକାରୀ କ୍ବାର୍ଟର ନିକଟରେ ରହିଥିବା ସନ୍ତୋଷ କିଛି ଦିନ ପୂର୍ବରୁ ନାଗେନ୍ଦ୍ରଙ୍କ ସହ କୌଣସି କାରଣରୁ ଝଗଡ଼ା କରିଥିଲେ । ସେହି ଝଗଡ଼ା ପରେ ସେ ଏସିଡ ଆଣି ନାଗେନ୍ଦ୍ରଙ୍କ ପରିବାର ଉପରେ ଫିଙ୍ଗିଥିଲେ ବୋଲି ପୋଲିସରେ ଅଭିଯୋଗ ହୋଇଛି।

ଏହି ଏସିଡ଼ ଆକ୍ରମଣରେ ନାଗେନ୍ଦ୍ରଙ୍କ ମୁହଁର ଅଧିକାଂଶ ଭାଗ ସମ୍ପୁର୍ଣ୍ଣ ପୋଡ଼ିଯାଇଥିବା ବେଳେ ତାଙ୍କ ସ୍ତ୍ରୀ ସଙ୍ଗୀତା ଓ ମା’ ସୁଲୋଚ଼ନା ଗୁରୁତର ଭାବେ ଆହତ ହୋଇଛନ୍ତି । ଜଣେ ଶିଶୁ କନ୍ୟା ମଧ୍ୟ ଆହତ ହୋଇଛି ।

ପ୍ରଥମେ ସନ୍ତୋଷଙ୍କୁ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଆଇ.ଜି.ଏଚ଼.କୁ ସ୍ଥାନାନ୍ତର କରାଯାଇଥିଲା ।

‘‘ରୋଡ଼ରେ ଆମେ କଥା ହେଉଥିବା ବେଳେ ସେ (ସନ୍ତୋଷ) ହଠାତ ବାଇକରେ ଆସି ସମସ୍ତଙ୍କ ଉପରେ ଏସିଡ଼ ଫିଙ୍ଗିଥିଲେ । ମୋ’ ଭାଇ ଜଣେ ସାନ ଭାଇ ସହ କୌଣସି କଥା ବିଷୟରେ ବୁଝାଉଥିବା ବେଳେ ତା’ ସ୍ତ୍ରୀ ତାକୁ କ’ଣ କହୁଥିଲା । ସେହି ସମୟରେ ସେ (ସନ୍ତୋଷ) ଆସି ଭାଇଙ୍କ ଉପରେ ଏସିଡ଼ ଫିଙ୍ଗିଥିଲା । ମା’, ଭାଇ, ଭାଉଜ ଓ ଛୋଟ ଝିଅ ଆହତ ହୋଇଛନ୍ତି,’’ କହିଛନ୍ତି ନାଗେନ୍ଦ୍ରଙ୍କ ସାନ ଭାଇ।

ପୂର୍ବ ଶତୃତାକୁ ନେଇ ଏହି ଏସିଡ ଫିଙ୍ଗାଯାଇଥିବା ଅନୁମାନ କରାଯାଉଛି । ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରିଛି ଓ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ସନ୍ତୋଷଙ୍କୁ ଗିରଫ କରି ଜେଲକୁ ପଠେଇ ଦିଆଯାଇଛି ।

ଆହତ ହୋଇଥିବା ନାଗେନ୍ଦ୍ର ଓ ଅନ୍ୟମାନଙ୍କ ଚ଼ିକିତ୍ସା ସରକାରୀ ଖର୍ଚ୍ଚରେ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ।
First published: February 7, 2020, 3:07 AM IST
corona virus btn
corona virus btn
Loading