News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀର ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗର ଅଞ୍ଚଳରେ ରହି ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ୪ ଜଣ ଛାତ୍ରଙ୍କ ସମେତ ୫ ଜଣ ନିଖୋଜ ଘଟଣା ବର୍ତ୍ତମାନ ସମସ୍ତଙ୍କ ହୋସ ଉଡ଼ାଇ ଦେଇଛି। ଏନେଇ ଛାତ୍ରଙ୍କ ପରିବାର ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି।
ନିଖୋଜ ହୋଇଥିବା ଛାତ୍ରମାନେ ହେଉଛନ୍ତି ବିହାରର ଥାନେ ଅନ୍ତର୍ଗତ ଅଭୟପୁର ଗ୍ରାମର ୨୧ ବର୍ଷୀୟ ଆଦିତ୍ୟ କୁମାର, ଝାଡଖଣ୍ଡ ଛୋଟ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଜନତା ମାର୍କେଟ ଷ୍ଟେସନ ରୋଡ୍ ଅଞ୍ଚଳର ବିଶାଲ ପାଣ୍ଡ , ଝାଡ଼ଖଣ୍ଡ ସିତାରାମଡେରା ଥାନା ଅନ୍ତର୍ଗତ କ୍ରସ ରୋଡ୍ ଅଞ୍ଚଳର ୨୦ ବର୍ଷୀୟ ତ୍ରିନେତ୍ର କୁମାର, ବିହାର ଜାମ୍ମୁଇ ଅଞ୍ଚଳର ୨୧ ବର୍ଷୀୟ ଶେଖର ସିଂ ରାଜପୁତ ଓ ଶେଖରଙ୍କ ସାଙ୍ଗ ଛୋଟୁ ଓରଫ୍ ରେହମତ୍। ରେହମତଙ୍କୁ ଛାଡ଼ି ଦେଲେ ଅନ୍ୟ ୪ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣା ପଡ଼ିଛି।
ଅଦିତ୍ୟ, ବିଶାଲ, ତ୍ରିନେତ୍ର ଓ ଶେଖର କଳିଙ୍ଗନଗର କେ-୬ ଏଚ.ଆଇ.ଜି ପ୍ଲଟ ନଂ ୨୦ରେ ରହି ଗୋହିରା ଛକ ନିକଟରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ନ୍ତି। ସେମାନେ ନିୟମିତ ଘର ଲୋକଙ୍କ ସହିତ ଯୋଗାଯୋଗରେ ରୁହନ୍ତି। ପୁଅ ନିଖୋଜ କଥା ଜାଣିବା ପରେ ଅଭିଭାବକମାନେ ସୋମବାର ପୋଲିସ କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି।
"ଗତ ୧୧ ତାରିଖ ଦିନ ମଧ୍ୟାହ୍ନରେ ପୁଅ ଆଦିତ୍ୟ ସିଂଙ୍କୁ ଫୋନ ଯୋଗାଯୋଗ କଲାବେଳେ ତାଙ୍କ ଫୋନ ସୁଇଚ୍ ଅଫ ଆସିଥିଲା। କୌଣସି କାରଣରୁ ମୋବାଇଲ୍ ବନ୍ଦ ଥିବା ଭାବି ମୁଁ ଏତେ ଗୁରୁତ୍ଵ ଦେଇ ନ ଥିଲି। କିନ୍ତୁ ତା' ପରଦିନ ମଧ୍ୟ ଆଦିତ୍ୟଙ୍କ ପୁଣି ଫୋନ କରିବା ପରେ ତାଙ୍କ ଫୋନ ସୁଇଚ୍ ଅଫ ଆସିବାରୁ ତାଙ୍କର ସନ୍ଦେହ ଉପୁଜିଥିଲା। ଆଦିତ୍ୟ ରହୁଥିବା କଳିଙ୍ଗନଗର ଘରେ ତାଲା ପଡ଼ିଥିବା ତଦାରଖ ଜାଣିଥିଲି। ପରେ ଅନ୍ୟ ତିନି ଛାତ୍ରଙ୍କ ଅଭିଭାବକମାନଙ୍କୁ ଜଣାଇଥିଲି," କହିଛନ୍ତି ନିଖୋଜ ଛାତ୍ର ଆଦିତ୍ୟଙ୍କ ବାପା ପ୍ରମୋଦ କୁମାର ସିଂ।
ଅଭିଯୋଗ ଆଧାରରେ ତମାଣ୍ଡୋ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୪ ଛାତ୍ରଙ୍କ ସମେତ ୫ ଜଣ ଏକକାଳୀନ ନିଖୋଜ ହେବା ପୋଲିସକୁ ଅଡୁଆରେ ପକାଇଛି। ସେମାନେ ନିଜ ଇଚ୍ଛାରେ କେଉଁ ଆଡ଼େ ଯାଇଛନ୍ତି ନାଁ ସେମାନଙ୍କୁ କେହି ଅପହରଣ କରି ନେଇଛି ତାକୁ ନେଇ ପୋଲିସ ତଦନ୍ତ ଚଳାଇଛି। ନିଖୋଜ ଥିବା ଛାତ୍ରଙ୍କ ମୋବାଇଲ ନମ୍ବର କେଉଁଠି ବନ୍ଦ ହୋଇଛି, ସେନେଇ ଟ୍ରାକ କରୁଛି ପୋଲିସ।
ଆମେ ଏନେଇ ଏକ ମାମଲା ରୁଜୁ କରିଛୁ। ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ମ୍ୟାନ ମିସିଙ୍ଗ ସେଲର ସହଯୋଗରେ ତଦନ୍ତ କରାଯିବା ସହିତ ଖୁବ୍ ଶୀଘ୍ର ନିଖୋଜ ଛାତ୍ରମାନଙ୍କୁ ଠାବ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ସାଙ୍ଗମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡ଼ି.ସି.ପି. ଉମା ଶଙ୍କର ଦାଶ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।