ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସାତକୋଶିଆକୁ ଆସିଛି ୪ଟି ଘଡ଼ିଆଳ; ସୁରକ୍ଷା ପାଇଁ ନିଆଯାଇଛି ପଦକ୍ଷେପ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୪ଟି ଘଡ଼ିଆଳ କୁମ୍ଭୀରକୁ ଏକ ସ୍ଵତନ୍ତ୍ର ଗାଡ଼ି ଯୋଗେ ଅନୁଗୋଳ ଜିଲ୍ଲାର ମହାନଦୀ ସାତକୋଶିଆ ଗଣ୍ଡକୁ ଅଣାଯାଇଥିଲା। ଏହାପରେ ବିଶେଷଜ୍ଞମାନଙ୍କ ଦ୍ୱାରା ସେମାନଙ୍କ ଶରୀରରେ ଖଞ୍ଜା ହୋଇଥିଲା ସାଟେଲାଇଟ୍‌ ଟ୍ରାନ୍ସମିଟର।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସାତକୋଶିଆକୁ ଆସିଛି ୪ଟି ଘଡ଼ିଆଳ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସାତକୋଶିଆକୁ ଆସିଛି ୪ଟି ଘଡ଼ିଆଳ

  • Share this:
News18 Odia Digital

ଅନୁଗୋଳ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସାତକୋଶିଆକୁ ଆସିଲା ୪ଟି ଘଡ଼ିଆଳ। ଛୋଟ ବଡ଼ ଏହି ୪ଟି ପ୍ରାପ୍ତ ବୟସ୍କ ଘଡ଼ିଆଳଙ୍କୁ ଗତ ସପ୍ତାହରେ ମହାନଦୀର ସାତକୋଶିଆ ଗଣ୍ଡରେ ଛଡ଼ାଯାଇଛି । ୪ଟି ଘଡ଼ିଆଳ ମଧ୍ୟରୁ ଗୋଟିଏ ୧୬ ଫୁଟର ଅଣ୍ଡିରା, ଗୋଟିଏ ୧୦ ଫୁଟ୍ ଓ ଦୁଇଟି ୬ ଫୁଟ ଲମ୍ବର ମାଈ କୁମ୍ଭୀର ବୋଲି ଜଣାପଡ଼ିଛି। ଲୋପ ପାଇ ଯାଇଥିବା ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ଏଭଳି ପଦକ୍ଷେପ ନିଆ ଯାଇଛି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୪ଟି ଘଡ଼ିଆଳ କୁମ୍ଭୀରକୁ ଏକ ସ୍ଵତନ୍ତ୍ର ଗାଡ଼ି ଯୋଗେ ଅନୁଗୋଳ ଜିଲ୍ଲାର ମହାନଦୀ ସାତକୋଶିଆ ଗଣ୍ଡକୁ ଅଣାଯାଇଥିଲା। ଏହାପରେ ବିଶେଷଜ୍ଞମାନଙ୍କ ଦ୍ୱାରା ସେମାନଙ୍କ ଶରୀରରେ ଖଞ୍ଜା ହୋଇଥିଲା ସାଟେଲାଇଟ୍‌ ଟ୍ରାନ୍ସମିଟର। ଏହା ଦ୍ୱାରା ସେମାନଙ୍କ ଗତିବିଧି ଜଣା ପଡ଼ିବ। ସେମାନଙ୍କୁ ସୁରକ୍ଷା ଦିଆ ଯିବା ସହ ମହାନଦୀ ଗଣ୍ଡରେ ସେମାନଙ୍କ ବଂଶ ବୃଦ୍ଧି ହୋଇ ପାରିବ। ତିନିଟି ପର୍ଯ୍ୟାୟରେ ମହାନଦୀ ଗଣ୍ଡକୁ ଆସିଲେଣି ମୋଟ୍ ୧୫ଟି ଘଡ଼ିଆଳ।

୨୦୧୯-୨୦ କୁମ୍ଭୀର ଗଣନା ଅନୁଯାୟୀ ମହାନଦୀ ସାତକୋଶିଆ ଗଣ୍ଡରେ ୮ଟି ଘଡ଼ିଆଳ ଓ ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୪ଟି ଏହିପରି ମୋଟ୍ ୧୨ଟି ଘଡ଼ିଆଳ ଥିଲେ। ତେବେ ସାତକୋଶିଆରେ ବନ ବିଭାଗର ଉଦ୍ୟମ ସତ୍ତ୍ବେ ଘଡ଼ିଆଳ ବଂଶବୃଦ୍ଧି ଆଶାନୁରୂପ ହେଉନଥିବାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ସାତକୋଶିଆ ଗଣ୍ଡରେ ଘଡ଼ିଆଳି ସୁରକ୍ଷା ଓ ବଂଶ ବୃଦ୍ଧି ନେଇ ୨୦୧୯ ମସିହାରୁ ତେଣୁ ସ୍ଵତନ୍ତ୍ର ପ୍ରକଳ୍ପ ଆରମ୍ଭ ହୋଇଛି ଏହି ପ୍ରକଳ୍ପ ଜରିଆରେ ଏହି ଦୁଇ ବର୍ଷରେ ୩ଟି ପର୍ଯ୍ୟାୟରେ ମୋଟ ୧୩ଟି ଘଡ଼ିଆଳ ନନ୍ଦନକାନନରୁ ଅଣାଯାଇ ଟ୍ରାନ୍ସମିଟର ଖଞ୍ଜା ଯାଇ ମହାନଦୀ ସାତକୋଶିଆ ଗଣ୍ଡରେ ଛଡ଼ାଯାଇଛି।

ନନ୍ଦନକାନନରୁ ଆଣି ଛଡ଼ା ଯାଇଥିବା ଘଡ଼ିଆଳ ମଧ୍ୟରୁ ୫ଟିର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିବା ବେଳେ ଏବେ ଛଡ଼ା ଯାଇଥିବା ୪ଟିକୁ ମିଶାଇ ମୋଟ ୮ଟି ଜୀବିତ ଅଛନ୍ତି।

କିଛି ବର୍ଷ ହେଲା ସାତକୋଶିଆ ଗଣ୍ଡ ସମେତ ବିଭିନ୍ନ ସ୍ଥାନରେ ଘଡ଼ିଆଳ ସଂଖ୍ୟା କମିବାରେ ଲାଗିଛି। ତେଣୁ ବନ ବିଭାଗ ଏଭଳି ବିରଳ ପ୍ରଜାତିର ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ପାଇଁ ଉଦ୍ୟମ ଚାଲିଛି। ତେବେ ଆବଶ୍ୟକ ସୁରକ୍ଷା ଅଭାବରୁ ଛଡା ଯାଉଥିବା ଘଡ଼ିଆଳ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି। ଅନୁଗୁଳ ଜିଲ୍ଲାର ମହାନଦୀରେ ଯେତିକି ଘଡ଼ିଆଳ ଛଡା ଯାଇଥିଲା ତାର ୮ ମାସ ମଧ୍ୟରେ ବନ ବିଭାଗର ଅପାରଗତାରୁ ୩ଟିର ମୃତ୍ୟୁ ହୋଇଥିଲା । ଗୋଟିକର ମୃତ ଦେହ ଆଠମାଲିକ ବିନିକେୟୀ, ଗୋଟିଏ ଆଠଗଡ଼ ବାଙ୍କୀ ଓ ଅନ୍ୟଟିର ମୃତ ଦେହ କେନ୍ଦ୍ରାପଡା, ଜିଲ୍ଲା ଶୁଣାନଦୀରେ ଉଦ୍ଧାର ହୋଇଥିଲା। ତଥାପି ଘଡ଼ିଆଳ ସୁରକ୍ଷା ପାଇଁ ସତକୋଶିଆରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେମାନଙ୍କର ଗତିବିଧି ନିରୀକ୍ଷଣ ପାଇଁ ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ କ୍ୟାମେରା ଲଗା ଯାଇଛି। ଦୁଇ ତିନିଟି ପାଟ୍ରୋଲିଂ ଟିମ ଦିନ ରାତି ଘଡ଼ିଆଳ ମାନଙ୍କ ପଛରେ ବୁଲୁଛନ୍ତି। ଗାଁ ଗାଁରେ ଘଡ଼ିଆଳ ସୁରକ୍ଷା ସମ୍ପର୍କିତ ସଚେତନତା ରଥ ବୁଲା ଯାଉଛି। ସଚେତନତା ସଭା ମଧ୍ୟ କରା ଯାଉଛି। ଏହା ସଫଳ ହେଲେ ନିଶ୍ଚିତ ଭାବେ ମହାନଦୀ ସାତକୋଶିଆ ଗଣ୍ଡରେ ପ୍ରାକୃତିକ ପରିବେଶ ଭିତରେ ଘଡ଼ିଆଳ ବଂଶ ବୃଦ୍ଧି ହୋଇ ପାରିବ ବୋଲି ପରିବେଶବିତମାନେ ଆଶା ପ୍ରକଟ କରିଛନ୍ତି। ରାଜ୍ୟରେ ବିରଳ ଘଡ଼ିଆଳ ବଂଶ ସୁରକ୍ଷା ପାଇଁ ବହୁ ପଦକ୍ଷେପ ନିଆ ଯାଉଥିଲେ ମଧ୍ୟ ଆବଶ୍ୟକ ବିଶେଷଜ୍ଞ ନିଯୁକ୍ତି ଦିଆ ଯାଉ ନାହିଁ। ଅଣ ତାଲିମପ୍ରାପ୍ତ ବନ କର୍ମଚାରୀଙ୍କ ହାତରେ ରହୁଛି ସେମାନଙ୍କ ସୁରକ୍ଷା। ସେଥିପାଇଁ ସଫଳତା ମିଳି ପାରୁ ନଥିବା କହିଛନ୍ତି ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀ।

“କେବଳ ମହାନଦୀ ଗଣ୍ଡରେ ଘଡ଼ିଆଳ ଛାଡ଼ି ଦେଲେ ସେମାନଙ୍କ ବଂଶ ବୃଦ୍ଧି ହୋଇ ଜିବ ନାହିଁ। ସେମାନଙ୍କ ସୁରକ୍ଷା ପାଇଁ ଉପକୂକ୍ତ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ସେମାନଙ୍କ ଗତିବିଧି ଜାଣିବା ପାଇଁ ଦିନରାତି ପେଟ୍ରୋଲିଂ କରାଯିବା ଦରକାର। ବନ୍ୟଜନ୍ତୁ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ ଉଚିତ,’’ କହିଛନ୍ତି ପରିବେଶବିତ ପ୍ରସନ ବେହେରା।

“ଘଡ଼ିଆଳ ପ୍ରଜନନ ଓ ବଂଶ ବୃଦ୍ଧି ପାଇଁ ମିଶନ ମୁଡରେ ପ୍ରକଳ୍ପ କରାଯିବା ଆବଶ୍ୟକ। ଦାୟିତ୍ୱହୀନ ଭାବେ ନଦୀରେ ଘଡ଼ିଆଳ ଛାଡ଼ିଦେଇ ଚୁପ ରହିଲେ ସଫଳତା ମିଳିବ ନାହିଁ। ଆମ ଦେଶର ଚମ୍ବଲ ଓ ଗଣ୍ଡକରେ ଘଡ଼ିଆଳ ବଂଶ ଵୃଦ୍ଧି ପାଉଥିବା ବେଳେ ମହାନଦୀ ଗଣ୍ଡରେ ବୃଦ୍ଧି ନପାଇବା ନିଶ୍ଚିତ ଭାବେ ବିଭାଗୀୟ ଅପାରଗତା,’’ କହିଛନ୍ତି କହିଛନ୍ତି ବନ୍ୟଜନ୍ତୁ ବିଶେଷଜ୍ଞ ଅଶୋକ ଶତପଥୀ।

ଆମ ରାଜ୍ୟରେ ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ନିଆ ଯାଉଥିବା ପଦକ୍ଷେପ ନିଶ୍ଚିତ ଭାବେ ଏକ ଭଲ କଥା। କିନ୍ତୁ ଏଥିପାଇଁ ଯେତିକି ସିରିୟସ ହେବ କଥା ବନ ବିଭାଗ ସେତିକି ହେଉ ନାହିଁ। ଏକଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଉପଯୁକ୍ତ ପଦକ୍ଷେପ ନେବି ବୋଲି କହିଛନ୍ତି ଆଠମଲ୍ଲିକ ବିଧାୟକ ତଥା ବନ୍ୟପ୍ରାଣୀ ବୋର୍ଡ ଓଡ଼ିଶା ସରକାରଙ୍କ ସଦସ୍ୟ ରମେଶ ଚନ୍ଦ୍ର ସାଏ।
Published by:Lipina Das
First published: