ଭୁବନେଶ୍ୱର ବିମାନ ବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ଚ଼ାରି ଜଣ ଗିରଫ; ତଦନ୍ତ ପାଇଁ ବନିଲା ବିଶେଷଜ୍ଞ କମିଟି

ଏହି ନିର୍ମାଣାଧୀନ ବିଲ୍‌ଡିଂ ପାଇଁ ୫୬ କୋଟି ଟଙ୍କାର କାମ ନେଇଥିଲା ଦିଲୀପ କନଷ୍ଟ୍ରକ୍ସନ୍ କମ୍ପାନୀ । ବର୍ତ୍ତମାନ ସୁଦ୍ଧା ମାତ୍ର ତିନି କୋଟି ଟଙ୍କାର କାର୍ଯ୍ୟ ଶେଷ ହୋଇଛି । ଭୁଶୁଡିଥିବା ଛାତରେ ଆନୁମାନିକ ଖର୍ଚ୍ଚ ହୋଇଥିଲା ୨୦ ଲକ୍ଷ ଟଙ୍କା ।

ଭୁବନେଶ୍ୱର ବିମାନ ବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ଚ଼ାରି ଜଣ ଗିରଫ; ତଦନ୍ତ ପାଇଁ ବନିଲା ବିଶେଷଜ୍ଞ କମିଟି
ବିମାନ ବନ୍ଦରରେ ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ
  • News18 Odia
  • Last Updated: January 25, 2020, 9:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ନିର୍ମାଣାଧୀନ ଲିଙ୍କ୍‌ ବିଲ୍‌ଡିଂର ଛାତ ଭୁଶୁଡ଼ିପଡ଼ିବା ଘଟଣାରେ ଚ଼ାରି ଜଣ ଗିରଫ ହୋଇଛନ୍ତି । ଶୁକ୍ରବାର-ଶନିବାର ରାତିରେ ହୋଇଥିବା ଏ ଅଘଟଣର କାରଣ ଜାଣିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠିତ ହୋଇଛି । ବିଲ୍‌ଡିଂର ଛାତ ଭୁଶୁଡ଼ିପଡ଼ିବା ଯୋଗୁଁ ଜଣେ ଶ୍ରମିକର ମୃତ୍ୟୁ ହୋଇଥିଲା ଓ ଜଣେ ଡ୍ରାଇଭର ଗୁରୁତରଭାବେ ଆହତ ହୋଇଥିଲେ ।

ଦୁର୍ଘଟଣାର ପ୍ରାଥମିକ ତଦନ୍ତ ଓ ପଚ଼ରାଉଚ଼ରା ପରେ ପୋଲିସ ବିଲ୍‌ଡିଂଟି ନିର୍ମାଣ କରୁଥିବା କମ୍ପାନୀର ମାଲିକ ଦିଲୀପ ଖଟେଇ, ବିମାନ ବନ୍ଦରର ପ୍ରୋଜେକ୍ଟ ଇନ୍‌ଚ଼ାର୍ଜ ଗୌତମ ରାୟ ଓ ଦୁଇ ଜଣ ସାଇଟ୍‌ ଇଞ୍ଜିନିଅର ଅଭିଳାଶ ସରକାର ଓ ଆଶିଷ ସରକାରଙ୍କୁ ଗୁରଫ କରିଛି ।

‘‘ଏଆର୍‌ପୋର୍ଟର ଟର୍ମିନାଲ ୱାନ୍‌ ସହ ଟୁ କୁ ସଂଯୋଗ କରୁଥିବା ଛାତ ଭୁଷୁଡିବା ଦୁର୍ଘଟଣାର କାରଣ ଜାଣିବା ପାଇଁ ରାଜ୍ୟ ପୂର୍ତ୍ତ ବିଭାଗ ଓ ଷ୍ଟେଟ ଫରେନସିକ୍ ସାଇନ୍ସ ଲାବୋରେଟରୀକୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ସେମାନେ ପ୍ରୋଜେକ୍ଟର ଟର୍ମ ଆଣ୍ଡ କଣ୍ଡିସନ ତଥା ଆଇନଗତ ଦିଗକୁ ମଧ୍ୟ ଦେଖିବେ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ । ସେ ଘଟଣା ସ୍ଥଳକୁ ଯାଇ ମାମଲାର ଅନୁଧ୍ୟାନ କରିଥିଲେ ।

ବିମାନ ବନ୍ଦରର ନିର୍ଦ୍ଦେଶକ ବରୁଡ଼ ଭେଙ୍କଟେଶ୍ୱର ରାଓ କହିଛନ୍ତି: ‘‘ଏହି ନିର୍ମାଣାଧୀନ ବିଲ୍‌ଡିଂ ପାଇଁ ୫୬ କୋଟି ଟଙ୍କାର କାମ ନେଇଥିଲା ଦିଲୀପ କନଷ୍ଟ୍ରକ୍‌ସନ୍‌ କମ୍ପାନୀ । ବର୍ତ୍ତମାନ ସୁଦ୍ଧା ମାତ୍ର ତିନି କୋଟି ଟଙ୍କାର କାର୍ଯ୍ୟ ଶେଷ ହୋଇଛି ।  ଭୁଶୁଡିଥିବା ଛାତରେ ଆନୁମାନିକ ଖର୍ଚ୍ଚ ହୋଇଥିଲା ୨୦ ଲକ୍ଷ ଟଙ୍କା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ହେଡକ୍ବାର୍ଟରସ୍‌ରୁ ଏକ ଅନୁଧ୍ୟାନକାରୀ ଦଳ ଆସି ତଦନ୍ତ କରିବ । ଦୁର୍ଘଟଣା କାହିଁକି ଓ କେମିତି ଘଟିଲା ତା’ର ଯାଞ୍ଚ କରାଯିବ । ଟିମରେ ବୈଷୟିକ ବିଶେଷଜ୍ଞ ମଧ୍ୟ ରହିବେ’’ ।

ମୃତ ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କ ପରିବାରକୁ ସମ୍ପୃକ୍ତ ବିଲ୍‌ଡିଂ ନିର୍ମାଣକାରୀ ସଂସ୍ଥା କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବ ବୋଲି ମଧ୍ୟ କହିଛନ୍ତି ରାଓ ।

ଦୁର୍ଘଟଣା ଘଟିବାର ପ୍ରାୟ ଦୁଇ ଘଣ୍ଟା ପରେ ରାତି ୧.୫୦ରେ ବଡ଼ମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ ନାମକ ଜଣେ ଶ୍ରମିକଙ୍କୁ ଭୁଶୁଡ଼ିପଡ଼ିଥିବା ସେଣ୍ଟରିଂ ତଳୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା । ତେବେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ ।

ଗୁରୁଙ୍କ ପରିବାର ଲୋକଙ୍କୁ ପୋଲିସ କିମ୍ବା କନଷ୍ଟ୍ରକସନ୍‌ କମ୍ପାନୀ ପକ୍ଷରୁ ଅବଗତ କରାଯାଇ ନ ଥିଲା । ଗଣମାଧ୍ୟମରୁ ଖବର ପାଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ଗୁରୁଙ୍କ ପତ୍ନୀ, ଭାଇ ଓ ପରିବାରର ଅନ୍ୟ ସଦସ୍ୟ । ଆଉ କିଛି ଦିନ ପରେ ଅନ୍ତର୍ଯ୍ୟାମୀଙ୍କ ଝିଅର ବାହାଘର ହୋଇଥାନ୍ତା । ତାଙ୍କର ଏକ ବଡ ପରିବାର ହୋଇଥିବାରୁ ବିମାନ ବନ୍ଦରରେ ଜଣକୁ ଏକ ଚାକିରୀ ସହ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ଗୁରୁଙ୍କ ଭାଇ ।

ଏହି ଦୁର୍ଘଟଣାରେ ଗୁରୁତରଭାବେ ଆହତ ହୋଇଥିବା ଶ୍ରମିକ ନବ କିଶୋର ସ୍ବାଇଁ ବର୍ତ୍ତମାନ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ।

ବିମାନ ବନ୍ଦର ପରି ସମ୍ବେଦନଶୀଳ ସ୍ଥାନରେ ଏ ପ୍ରକାର ଦୁର୍ଘଟଣା ପରେ ଅନେକ ପ୍ରଶ୍ନ ଉଠିଛି । ରାତିରେ କାହିଁକି ଛାତ ପଡୁଥିଲା? ଲୁହା ବଦଳରେ କାଠ ଓ ବାଉଁଶ ଦ୍ବାରା କାହିଁକି ସଣ୍ଟ୍ରି କରାଯାଇଥିଲା? ଅନ୍ତର୍ଜାତୀୟ ବିମାନ ବନ୍ଦରରେ କାମ ଲାଗି ନିମ୍ନ ମାନର କାମ ହେବାର କାରଣ କ’ଣ? ଏହି ସମଗ୍ର ପ୍ରୋଜେକ୍ଟରେ ଏକ ବଡ ଘୋଟାଲା ଛପି ରହିଛି ବୋଲି ମଧ୍ୟ କେତେକ କହିବା ଆରମ୍ଭ କରିଛନ୍ତି । ତେବେ ସଠିକ ତଦନ୍ତ ପରେ ହିଁ ସବୁ କଥା ସାମ୍‌ନାକୁ ଆସିବ ।
First published: January 25, 2020, 9:47 PM IST