ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କେନ୍ଦୁଝରର ଯୋଡ଼ା ଖଣି ମଣ୍ଡଳରେ ପ୍ରଥମ ଥର ପାଇଁ ଲାଗିଲା ୪ଟି ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର

କେନ୍ଦୁଝରର ଯୋଡ଼ା ଖଣି ମଣ୍ଡଳରେ ପ୍ରଥମ ଥର ପାଇଁ ଲାଗିଲା ୪ଟି ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର

ଖଣି ଅଞ୍ଚଳରେ ବଢି଼ଚାଲିଥିବା ପ୍ରଦୂଷଣକୁ ରୋକିବା ଦିଗରେ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ବାରମ୍ବାର ହୋଇଆସୁଛି । ସରକାର ଏଥି ପାଇଁ ଦୀର୍ଘସୂତ୍ରୀ ଯୋଜନା ପ୍ରଣୟନ କରିବା ଉଚିତ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀମାନେ ।

କେନ୍ଦୁଝରର ଯୋଡ଼ା ଖଣି ମଣ୍ଡଳରେ ପ୍ରଥମ ଥର ପାଇଁ ଲାଗିଲା ୪ଟି ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର
ଖଣି ଅଞ୍ଚଳରେ ଲାଗିଥିବା ଗୋଟିଏ ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର
  • News18 Odia
  • Last Updated: August 28, 2021, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଅଭୟ କୁମାର ମହାପାତ୍ର | News18 Odia Digital

କେନ୍ଦୁଝର: ମାତ୍ରାଧିକ ଜଙ୍ଗଲ କଟା, ଖଣି ଖନନ ତଥା ଖଣିଜ ପଦାର୍ଥ ପରିବହନ ଯୋଗୁଁ ପ୍ରବଳ ପ୍ରଦୂଷଣର ଶିକାର ହୋଇଥିବା କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ଅଞ୍ଚଳରେ ବିଳମ୍ବରେ ହେଲେ ସୁଦ୍ଧା ପ୍ରଦୂଷଣର ସ୍ତର ମାପିବା ପାଇଁ ଏବେ ପ୍ରଥମ ଥର ପାଇଁ ଚାରିଟି ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ଲଗାଯାଇଛି । ପ୍ରଦୂଷଣ ରୋକିବା ଦିଗରେ ଏହା ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି ।

ଦିନରାତି ଖଣିଜ ଉତ୍ଖନନ ଓ ଖଣିଜ ପଦାର୍ଥର ପରିବହନ ଯୋଗୁଁ କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ମଣ୍ଡଳରେ ଧୂଳି ଓ ଧୂଆଁରେ ପରିବେଶ ଅସନ୍ତୁଳିତ ରହିଆସିଛି । ଅତ୍ୟଧିକ ଖଣିଜ ପଦାର୍ଥ ଉତ୍ତୋଳନ ଯୋଗୁଁ ଏଠାକାର ନଦୀ, ନାଳ ଓ ପୋଖରୀ ସବୁ ଦୂଷିତ ହେବାରେ ଲାଗିଛି । ଫଳରେ ଲୋକେ ତ୍ରାହି ତ୍ରାହି ଡାକିଲେଣି ।

ଏହା ବି ପଢ଼ନ୍ତୁ | ଯିବେ କୁଆଡ଼େ ଆଫଗାନ୍ଶରଣାର୍ଥୀମାନେ? ଅଧିକାଂଶ ମୁସଲିମ୍ଦେଶ ସେମାନଙ୍କୁ ନେବାକୁ ଚାହୁଁନାହାନ୍ତି

ଖଣିଜ ପଦାର୍ଥର ପରିବହନ ପାଇଁ ରିମୁଳିରୁ ସୁନ୍ଦରଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ୫୨୦ ନମ୍ବର ଜାତୀୟ ରାଜପଥ ଓ ଯୋଡ଼ାରୁ ପଳାଶପଙ୍ଗା ଯାଏ ରାଜ୍ୟ ରାଜପଥରେ ଶହ ଶହ ସଂଖ୍ୟାରେ ଭାରି ଯାନ ଚଳାଚଳ ହୋଇଥାଏ । ଫଳରେ ଧୂଳି ଓ ଧୂଆଁରେ ପ୍ରଦୂଷିତ ହୁଏ ସମଗ୍ର ଅଞ୍ଚଳ । ବିଗତ ଦିନରେ ଅତ୍ୟଧିକ ଖଣି ଖନନ ଓ ଗଛକଟା ହେବା ଯୋଗୁଁ ଖଣିର ବର୍ଜ୍ୟବସ୍ତୁ ମିଶି କାରୋ ଓ ସୁନା ନଦୀ ପ୍ରଦୂଷିତ ହେଉଛି । ଆଗକୁ ସ୍ଥିତି ସଙ୍ଗୀନ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଞ୍ଚଳବାସୀ ।

ଖଣିଜ ପଦାର୍ଥର ଅବ୍ୟବସ୍ଥିତ ପରିବହନ ଯୋଗୁଁ ବାୟୁ ପ୍ରଦୂଷଣ ବଢୁଛି ।


‘‘ଗତ ୧୫ ବର୍ଷ ମଧ୍ୟରେ ଅତ୍ୟଧିକ ଖଣିଜ ପଦାର୍ଥ ଉତ୍ତୋଳନ ହିଁ ପ୍ରଦୂଷଣର ମୁଖ୍ୟ କାରଣ । ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ଅଧିକ ଜଙ୍ଗଲ କଟା ଯାଉଛି । ସେଥି ପାଇଁ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି । ଖଣି ଅଞ୍ଚଳର ଜୀବନରେଖା କୁହାଯାଉଥିବା ଯୋଡ଼ାର ସୁନା ନଦୀ ଓ ବଡ଼ବିଲର କାରୋ ନଦୀରେ କଳ କାରଖାନାର ବର୍ଜ୍ୟବସ୍ତୁ ମିଶୁଥିବାରୁ ଏହି ନଦୀ ଦୁଇଟି ବି ପ୍ରଦୂଷିତ ହେଉଛି । ଅତ୍ୟଧିକ ରାଜସ୍ବ ଆଦାୟ ସହିତ ଏହି ଅଞ୍ଚଳର ପରିବେଶ ଓଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ସରକାର ଗୁରୁତ୍ବ ଦେବା ଉଚିତ,’’ କହିଛନ୍ତି ବଡ଼ବିଲ ସିଭିଲ୍ ସୋସାଇଟିର ଆବାହକ ଆଶୋକ କୁମାର ଠକ୍କର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ରାଖୀ ପୂର୍ଣ୍ଣିମାରେ ସାପକୁ ରାଖୀ ପିନ୍ଧାଉଥିଲେ ଯୁବକ; ସାପ କାମୁଡ଼ାରେ ପ୍ରାଣ ଗଲା

ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି, ‘‘ଖଣିରେ ପ୍ରଦୂଷଣ ରୋକିବା ପାଇଁ ଯେଉଁ ଯନ୍ତ୍ରପାତି ବ୍ୟବହାର କରିବା କଥା ଖଣି କମ୍ପାନୀମାନେ ସେ ସବୁ ବ୍ୟବହାର କରୁ ନାହାଁନ୍ତି । ଫଳରେ ଖଣି ନିକଟରେ ଥିବା ଲୋକେ ଧୂଳି ଓ ଧୂଆଁରେ ରୋଗଗ୍ରସ୍ତ ହେଉଛନ୍ତି । ନିକଟରେ ଥିବା ନଦୀନାଳ ପ୍ରଦୂଷିତ ହେଉଛି । ଖଣିଜ ପଦାର୍ଥ ପରିବହନ କରିବା ସମୟରେ ସେ ସବୁ ଯେପରି ଭଲ ଭାବେ ଘୋଡ଼ାଇ ହୋଇ ପରିବହନ ହେବା କଥା ସେଥି ପ୍ରତି କେହି ଦୃଷ୍ଟି ଦେଉ ନ ଥିବାରୁ ପ୍ରଦୂଷଣ ବଢୁଛି । ଏବେ ପ୍ରବଳ ଗଛ କଟା ହେବା ଫଳରେ ବାୟୁ ପ୍ରଦୂଷଣ ବଢି଼ବାରେ ଲାଗିଛି ।’’

ଏହା ବି ପଢ଼ନ୍ତୁ | Amazon ପାଖରେ ଅଛି ଗୁପ୍ତ ୱେବସାଇଟ୍; ଅଧାରୁ ବି କମ୍ ଦାମରେ କିଣିପାରିବେ ବିଭିନ୍ନ ସାମଗ୍ରୀ

ଖଣି ଅଞ୍ଚଳରେ ବଢି଼ଚାଲିଥିବା ପ୍ରଦୂଷଣକୁ ରୋକିବା ଦିଗରେ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ବାରମ୍ବାର ହୋଇଆସୁଛି । ସରକାର ଏଥି ପାଇଁ ଦୀର୍ଘସୂତ୍ରୀ ଯୋଜନା ପ୍ରଣୟନ କରିବା ଉଚିତ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀମାନେ । କଳ କାରଖାନାରୁ ନଦୀନାଳକୁ ବର୍ଜ୍ୟବସ୍ତୁ ନ ଛାଡି଼ବା, ଆବଶ୍ୟକ ପରିମାଣରେ ବୃକ୍ଷରୋପଣ କରିବା ଓ ଧୂଳିଧୂଆଁକୁ ରୋକିବା ପାଇଁ ପଦକ୍ଷେପ ନେବା ସହ ରାସ୍ତାର ଅବସ୍ଥା ସୁଧାରିବା ଓ ଜଳ ସିଞ୍ଚନ ଆଦିର ବ୍ୟବସ୍ଥା ଶୀଘ୍ର ହେଉ ବୋଲି ସେମାନେ ଦାବି କରିଆସୁଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା 3rd Wave ଅକ୍ଟୋବରରେ ଶୀର୍ଷ ଛୁଇଁବ; ପିଲାଙ୍କ ପ୍ରତି ଅଧିକ ବିପଦ: ଗୃହ ମନ୍ତ୍ରାଳୟ ରିପୋର୍ଟ

‘‘ବିଳମ୍ବରେ ହେଲେ ସୁଦ୍ଧା ଏବେ ସରକାରଙ୍କ ତରଫରୁ ଚାରିଟି ସ୍ଥାନରେ ଲଗାଯାଇଥିବା ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ବାୟୁରେ ପ୍ରଦୂଷଣର ମାତ୍ରା ନିର୍ଣ୍ଣୟ କରିବା ସହ ଏହା ରୋକିବା ଦିଗରେ ସହାୟକ ହେବ । ଖଣି ଖନନ ହେଲେ ପ୍ରଦୂଷଣ ବଢି଼ବ । କିନ୍ତୁ ଆମେ ଯେଉଁ ପରିମାଣରେ ଖଣି ବଢ଼ାଇବା ସେହି ପରିମାଣରେ ପ୍ରଦୂଷଣ ରୋକିବା ଦିଗରେ ମଧ୍ୟ ପଦକ୍ଷେପ ନେବା ଜରୁରୀ । ଦୁଃଖର କଥା ଯେ ଖଣି ବଢି଼ବା ସହିତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରାଶାସନିକ ସ୍ତରରେ ଆଖିଦୃଶିଆ ପଦକ୍ଷେପ ଏ ଯାଏଁ ନିଆଯାଇ ନାହିଁ,’’ କହିଛନ୍ତି ଯୋଡ଼ାର ବୁଦ୍ଧିଜିବୀ ଶିରିସ ଚନ୍ଦ୍ର ମହାନ୍ତି ।

ଏହା ବି ପଢ଼ନ୍ତୁ | ବିଦାୟ କଲ୍ୟାଣ ସିଂ: BJP ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍ରେ କାଟିଥିଲେ

ଚାରିଟି ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ବିଲେଇପଦା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ନୟାଗଡ ଷ୍ଟେସନ୍ ଓ ଓ.ଏମ.ସି. ଶୁଆକାଟିରେ ଲଗାଯାଇଛି । ‘‘ଏହି ମେସିନଗୁଡ଼ିକ ଦ୍ବାରା ବାୟୁରେ ଗ୍ୟାସ୍ ଓ ଡଷ୍ଟ୍‌ ପାର୍ଟିକଲ୍ ଆଦିର ମାତ୍ରା ଜଣାପଡି଼ବ । ଏହା ପରବର୍ତ୍ତୀ ସମୟରେ ପ୍ରଦୂଷଣ ରୋକିବା ଦିଗରେ ସହାୟକ ହୋଇପାରିବ,’’ କହିଛନ୍ତି ବିଲେଇପଦା ବାୟୁ ପ୍ରଦୂଷଣ ମାପକ ଯନ୍ତ୍ରର ଇଞ୍ଜିନିୟର୍ ପ୍ରଭାତ କୁମାର ପାତ୍ର ।



ଖଣି ଅଞ୍ଚଳରେ ପ୍ରଦୂଷଣ ବଢି଼ବା ଯୋଗୁଁ ଅଞ୍ଚଳବାସୀ ବିଭିନ୍ନ ରୋଗବ୍ୟାଧିର ଶିକାର ହେଉଛନ୍ତି । ଏହାକୁ ରୋକିବା ପାଇଁ ସରକାର ତଥା ପ୍ରାଶାସନିକ ସ୍ତରରେ ଉପଯୁକ୍ତ ପଦକ୍ଷେପ ନିଆଯିବା ଜରୁରୀ ବୋଲି ସାଧାରଣ ଜନତା କହିଛନ୍ତି ।
Published by: Anand S.T. Das
First published: August 28, 2021, 11:54 PM IST