ବର୍ଷିଆନ ରାଜନେତା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ପରଲୋକ

ରାଜ୍ୟର ଜଣେ ବର୍ଷିଆନ ରାଜନେତା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ଆଜି ସକାଳ ସାଢ଼େ ୯ଟାରେ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି (ପ୍ରତୀକାତ୍ମକ ଛବି)

ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟର ଜଣେ ବର୍ଷିଆନ ରାଜନେତା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ଆଜି ସକାଳ ସାଢ଼େ ୯ଟାରେ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ଏହି ସୂଚନା ଦେଇଛନ୍ତି।

ଅନୀତାଙ୍କ କହିବା ଅନୁଯାୟୀ, ରାମକୃଷ୍ଣ ପଟ୍ଟନାୟକ ସୁସ୍ଥ ଥିଲେ। ହେଲେ ଆଜି ସକାଳେ ହଠାତ୍ ତଳେ ପଡ଼ି ଯାଇଥିଲେ। ତା’ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଜନ୍ମମାଟି କୋଦଳାକୁ ତାଙ୍କ ମୃତଦେହକୁ ନିଆଯିବ। ସେଠାରେ ଲୋକେ ଶେଷ ଦର୍ଶନ କରିବା ପରେ ପୁରୀରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଗଞ୍ଜାମ ଜିଲ୍ଲାର ରାମକୃଷ୍ଣ ପଟ୍ଟନାୟକ ରାଜ୍ୟର ଜଣେ ଟାଣୁଆ ନେତା ଥିଲେ। ବିଜୁ ପଟ୍ଟନାୟକଙ୍କ ଅମଳରୁ ସେ ରାଜନୀତିରେ ସକ୍ରିୟ ଥିଲେ। ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ସେ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଭିନ୍ନ ଭିନ୍ନ ସମୟରେ ସେ ଯଥାକ୍ରମେ ଉତ୍କଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୧, ୧୯୭୭, ୧୯୮୫, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ସେ ନିର୍ବାଚନ ଜିତିଥିଲେ। ସେ ଅର୍ଥ, କୃଷି ଓ ଗ୍ରାମ୍ୟ ଉନ୍ନୟନ ପରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ୧୯୭୧ରେ ପ୍ରଥମ ଥର ବିଧାୟକ ହୋଇ ସେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ। କ୍ୟାରିଅରର ଶେଷ ଭାଗରେ ସେ ବିଜେପିରେ ଯୋଗ ଦେଇଥିଲେ।

ରାମକୃଷ୍ଣଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମେତ ବରିଷ୍ଠ ନେତାମାନେ ଶୋକବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଶୋକ ବାର୍ତ୍ତାରେ କହିଛନ୍ତି," ସ୍ବର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ। ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା"।

କେନ୍ଦ୍ର ଶିକ୍ଷାମନ୍ତୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି "ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଅନୁଭବୀ ରାଜନୀତିଜ୍ଞ ଓ ଦକ୍ଷ ମଣିଷକୁ ହରାଇଲା । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି "।
Published by:Soumya Das
First published:
)}