News18 Odia Digital
ଭୁବନେଶ୍ବର: ପୂର୍ବତନ IFS ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିଏମଡବ୍ଲୁ କାର ଜବତ। ରାଜ୍ୟ ବାହାରୁ ଦାମୀ ଗାଡ଼ିକୁ ଠାବ କରି ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଯାହାର ଦାମ ପାଖାପାଖି ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଆକାଶ ପାଠକଙ୍କ ଗାଡ଼ି ଜବତ କରି ତାଙ୍କର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କରିଛି ଇଡି।
ଗତ ଡିସେମ୍ବର ୧୪ରେ ଆକାଶ ପାଠକଙ୍କୁ ଜେରା କରି ଥିଲା ଇଡି। ଜେରା ବେଳେ ଏନେଇ ସବିଶେଷ ତଥ୍ୟ ପାଇବା ପରେ ଏବେ ପ୍ରକ୍ରିୟା ଆରମ୍ଭ କରିଛି ଇଡି। ବେଆଇନ ଆର୍ଥିକ କାରବାର ଲିଙ୍କରେ ଏପରିକି ଗାଡ଼ି କିଣିଥିବା ଶୋରୁମର ମାଲିକ ଅର୍ଥାତ୍ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମଧ୍ୟ ପୁର୍ବରୁ ଏ ସମ୍ପର୍କରେ ଜେରା କରିଥିଲା ଇଡି।
ସୂଚନାଯୋଗ୍ୟ, ଆଇଏଫଏସ ଅଭୟ କାନ୍ତ ପାଠକଙ୍କ ଘରେ ୨୦୨୨ ଅକ୍ଟୋବର ୧୭ରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପାଠକଙ୍କ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରିଥିଲା। ଯେଉଁଥିରେ ପୁଅ ଆକାଶ ନାଁରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ଯୋଡ଼ି ହୋଇଥିଲା। ଏନେଇ କ୍ରାଇମବ୍ରାଞ୍ଚର, ଅର୍ଥନୈତିକ ଅପରାଧା ଶାଖା ମଧ୍ୟ ତଦନ୍ତ କରିଥିଲା।
ଅଭୟ କାନ୍ତ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏପରିକି ଆକାଶ ପାଠକ ଲିଙ୍କରେ ଗୋପାଲପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇ ଜେଲଯାଇଥିଲେ।
ପରେ ଏହି ମାମଲାରେ ନିଜ ଆଡୁ ମାମାଲ ରୁଜୁ କରିଥିଲା ଇଡି। ଏନେଇ ଅଭୟ କାନ୍ତ ପାଠକ, ଆକାଶ ପାଠକ, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଇଡି।
ତଦନ୍ତ ବେଳେ ଜଣା ପଡ଼ିଥିଲା ଆକାଶ ପାଠକଙ୍କ ଆକାଉଣ୍ଟକୁ ବିଭିନ୍ନ ସମୟରେ ଅଭୟ କାନ୍ତ ପାଠକ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ତାଙ୍କ ପତ୍ନୀ ଓ ଝିଅଙ୍କ ଆକାଉଣ୍ଟ ରୁ ମୋଟା ଅଙ୍କର ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି। ଏନେଇ ପୂର୍ବରୁ ସମସ୍ତଙ୍କୁ ଜେରା କରିଥିଲା ତଦନ୍ତକାରୀ ଟିମ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।