ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୂର୍ବତନ IFS ଅଭୟ କାନ୍ତ ପାଠକଙ୍କୁ ୧୨ ଘଣ୍ଟା ଜେରା କଲା ED; କହିଲେ, ‘‘ମୁଁ ନିର୍ଦ୍ଦୋଷ’’

ପୂର୍ବତନ IFS ଅଭୟ କାନ୍ତ ପାଠକଙ୍କୁ ୧୨ ଘଣ୍ଟା ଜେରା କଲା ED; କହିଲେ, ‘‘ମୁଁ ନିର୍ଦ୍ଦୋଷ’’

୨୦୨୦ ନଭେମ୍ବର ୨୫ରେ ଅଭୟ କାନ୍ତ ପାଠକଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏବେ ଜାମିନରେ ଥିବା ଅଭୟଙ୍କୁ ଜେରା କରି ତଥ୍ୟ ମାଗିଛି ED

ପୂର୍ବତନ IFS ଅଭୟ କାନ୍ତ ପାଠକଙ୍କୁ ୧୨ ଘଣ୍ଟା ଜେରା କଲା ED; କହିଲେ, ‘‘ମୁଁ ନିର୍ଦ୍ଦୋଷ’’
ପୂର୍ବତନ IFS ଅଭୟ କାନ୍ତ ପାଠକଙ୍କୁ ୧୨ ଘଣ୍ଟା ଜେରା କଲା ED
  • News18 Odia
  • Last Updated: October 6, 2021, 3:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଜେଲ ଯାଇ ଜାମିନରେ ଥିବା ପୂର୍ବତନ ଆଇ.ଏଫ.ଏସ. ଅଧିକାରୀ ଅଭୟ କାନ୍ତ ପାଠକଙ୍କୁ ଇଡି ଜେରା କରିଥିଲା । ପ୍ରାୟ ୧୨ ଘଣ୍ଟା ଧରି ଅଭୟଙ୍କୁ ଜେରା କରିଥିଲା ଇଡି । ବେଆଇନ ଆର୍ଥିକ କାରବାରକୁ ନେଇ ତାଙ୍କୁ ଜେରା କରାଯାଇଛି ।

ମଙ୍ଗଳବାର ଦିନ ସକାଳ ପ୍ରାୟ ସାଢ଼େ ୯ ଟା ସମୟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଅଭୟ । ଇଡିର ତିନି ଜଣିଆ ଟିମ ଅଭୟଙ୍କୁ ଜେରା ଆରମ୍ଭ କରିଥିଲେ । ମନି ଲଣ୍ଡରିଂକୁ ନେଇ ତଦନ୍ତକାରୀ ଟିମ ଏକଧିକ ପ୍ରଶ୍ନ ପଚାରିଥିଲେ । ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଧ୍ୟ ଯାଞ୍ଚ କରିଥିବା ଇଡି ପକ୍ଷରୁ କୁହାଯାଇଛି ।

ଇଡିର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି, "ଅଭୟଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ବିଭିନ୍ନ ଆକାଉଣ୍ଟ କୁ ଟ୍ରାନ୍ସଫର ହୋଇଛି । କାହିଁକି ଏତେ ପରିମାଣର ଟଙ୍କା କାରବାର ହୋଇଛି, ସେ ନେଇ ମଧ୍ୟ ଅଭୟଙ୍କୁ ପଚରାଉଚରା କରାଯାଇଛି । ସେହିପରି ପୁଅ ଆକାଶ ପାଠକଙ୍କ ଆକାଉଣ୍ଟକୁ ଅଭୟଙ୍କ ଆକାଉଣ୍ଟରୁ ଯାଇଥିବା ୮ କୋଟି ଟଙ୍କା କାହାର ମଧ୍ୟ ହିସାବ ମଗାଯାଇଛି।’’

ଭୁବନେଶ୍ୱରର ଦୁଇଟି ଏ.ଟି.ଏମ.ରୁ ଆକାଶ ପାଠକ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିଲା । ଏତେ ଟଙ୍କା କାହିଁକି ପୁଅ ଆକାଉଣ୍ଟକୁ ପଠାଇଥିଲେ ? ବାତ୍ୟା ଫନି ପରେ ଜଙ୍ଗଲ ବନୀକରଣ ନାଁରେ ସରକାରୀ ଅର୍ଥ ହେରଫେର ହୋଇଛି କି ? ପଦବୀରେ ଥିବା ବେଳେ ସରକାରୀ ଟଙ୍କାରେ ଅପବ୍ୟବହାର ହୋଇଛି କି ? ଏଭଳି ପ୍ରଶ୍ନ ମଧ୍ୟ ଅଭୟଙ୍କୁ ପଚାରିଛି ଇଡି ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ଭିଜିଲାନ୍ସ ଦ୍ୱାରା ଗିରଫ ହେବାପରେ ଇଡି ନିଜ ଆଡୁ ମାମଲା ରୁଜୁ କରିଥିଲା । ଅଭୟ କାନ୍ତ ପାଠକ, ପୁଅ ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ପୃଥକ ପୃଥକ ମାମଲା ରୁଜୁ କରିଥିଲା ଇଡି । ଏଥି ପାଇଁ ପ୍ରଥମେ ଭିଜିଲାନ୍ସ ପାଖରୁ ତଥ୍ୟ ଆଣିଥିଲା ।

"ମୁଁ ତଦନ୍ତକାରୀ ଟିମକୁ ସମ୍ପୂର୍ଣ୍ଣ ସହଯୋଗ କରିଛି । ସେମାନେ ଯେଉଁ ସବୁ ତଥ୍ୟ ମାଗିଥିଲେ ଦେଇଛି । ମୁଁ ସେଭଳି କୌଣସି ବେଆଇନ ଭାବେ ଟଙ୍କା ରୋଜଗାର କରିନି । ମୋ ନାମରେ ଆସିଥିବା ସବୁ ଅଭିଯୋଗ ମିଛ । ପୁଅ ସମ୍ପର୍କରେ ମଧ୍ୟ ଇଡି ପଚାରିଥିଲା । ମୁଁ ସମସ୍ତ ପ୍ରକାରର ଉତ୍ତର ରଖିଛି। ଏବେ ଓ ଆଗକୁ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି । ଯଦି ପୁଣି ଡାକନ୍ତି ଆସିବି,’’ କହିଥିଲେ ଅଭୟ କାନ୍ତ ପାଠକ ।

ସୂଚନା ଅନୁସାରେ, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେରେ ଗତ ବର୍ଷ ନଭେମ୍ବର ୨୫ ତାରିଖରେ ଅଭୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଯେଉଁଥିରେ ସାମିଲ ଥିଲେ ୧୫୦ ଜଣ ଭିଜିଲାନ୍ସ ଅଧିକାରୀ । ରାଜ୍ୟ ଓ ରାଜ୍ୟ ବାହାର ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏବେ ଅଭୟଙ୍କ ଜେରା ପରେ ଖୁବ ଶୀଘ୍ର ପୁଅ ଆକାଶ ପାଠକ ଜେରା କରାଯିବ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି ।

ସେପଟେ ଗିରଫ ହୋଇ ଜାମିନରେ ଆସିଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦ୍ୱିତୀୟ ଥର ପାଇଁ ନୋଟିସ ପଠାଇଛି ଇଡି । ପୂର୍ବରୁ ଇଡି ଅଫିସରେ ହାଜର ହେବାକୁ ପ୍ରଦୀପଙ୍କୁ ସମନ ପଠା ଯାଇଥିଲା । ତାରିଖ ଅନୁସାରେ ସେ ହାଜର ହୋଇ ନଥିବା ବେଳେ ପୁଣିଥରେ ହାଜର ପାଇଁ ନୋଟିସ ହୋଇଥିବା ଇଡି କାର୍ଯ୍ୟାଳୟରୁ ସ୍ପଷ୍ଟ କରାଯାଇଛି ।
Published by: Lipina Das
First published: October 6, 2021, 3:09 PM IST