ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଯାଜପୁରରେ ବନୀକରଣ ନାଁରେ ଦୁର୍ନୀତି: ଗୋଟିଏ ବି ଗଛ ନ ଲଗାଇ ବିଲ୍ କରି ଖାଇଗଲେ ଟଙ୍କା

ଯାଜପୁରରେ ବନୀକରଣ ନାଁରେ ଦୁର୍ନୀତି: ଗୋଟିଏ ବି ଗଛ ନ ଲଗାଇ ବିଲ୍ କରି ଖାଇଗଲେ ଟଙ୍କା

ଏହି ବନୀକରଣ କାର୍ଯ୍ୟରେ ଅନେକ ଅଯୋଗ୍ୟ ଜବ୍ କାର୍ଡ଼ଧାରୀଙ୍କୁ କାମ ଦିଆଯାଇଥିବା ଦେଖାଇ ମିଥ୍ୟା ବିଲ୍ କରାଯାଇଥିବା ଅଭିଯୋଗ ବି ହୋଇଛି । ବହୁ ଜବ୍ କାର୍ଡ଼ଧାରୀ ଯେଉଁମାନେ ଅଯୋଗ୍ୟ ପରିବାରର ସଦସ୍ୟ ସେମାନଙ୍କୁ ଏହି କାମରେ ଲଗାଯାଇଥିଲା ।

ଯାଜପୁରରେ ବନୀକରଣ ନାଁରେ ଦୁର୍ନୀତି: ଗୋଟିଏ ବି ଗଛ ନ ଲଗାଇ ବିଲ୍ କରି ଖାଇଗଲେ ଟଙ୍କା
ପ୍ରକଳ୍ପର ସୂଚନା ଫଳକ ନିକଟରେ ଧନେଶ୍ବର ପଞ୍ଚାୟତର ସମିତି ସଭ୍ୟା ମମତା ଘଡ଼େଇ
  • News18 Odia
  • Last Updated: March 6, 2021, 11:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ସୁଜିତ୍ ମଲ୍ଲିକ | News18 Odia Digital

ଯାଜପୁର: ବନୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ତା’ର ସଫଳ ରୂପାୟନ ହୋଇପାରୁନି । କେଉଁଠି ଗଛ ଆଦୌ ଲଗା ନ ଯାଇ ମିଥ୍ୟା ବିଲ୍ କରି ଅର୍ଥ ହରିଲୁଟ ହେଉଛି ତ ଆଉ କେଉଁଠି ମଷ୍ଟର୍‌ ରୋଲରେ ଅଯୋଗ୍ୟ ଲୋକଙ୍କ ନାଁରେ ବିଲ୍ କରି ଅର୍ଥ ଶ୍ରାଦ୍ଧ ଚାଲିଛି । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ଧନେଶ୍ବର ପଞ୍ଚାୟତରେ ।

ଏଠାରେ ଫଳକ ଲାଗିଛି, ହେଲେ ଗୋଟିଏ ବି ଗଛ ଲାଗିନି । ସାରା ପଡି଼ଆ ଖାଁ ଖାଁ ଦିଶୁଛି । ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରକଳ୍ପ ନ ହୋଇ ଅନେକ ଦୂରରେ କରାଯାଇଛି ପ୍ରକଳ୍ପ । ବନୀକରଣରେ ହୋଇଥିବା ଏହି ଦୁର୍ନୀତି ଏବେ ନଜରକୁ ଆସିଛି । ଗୋଟିଏ ବି ଗଛ ନ ଲଗାଇ ହଜାର ହଜାର ଟଙ୍କା ଚଳୁ କରିଦିଆଯାଇଛି । ସମ୍ପୃକ୍ତ ଧନେଶ୍ବର ପଞ୍ଚାୟତର ସାନପାଟୁଳୀ ଗାଁରେ ଖେଳ ପଡି଼ଆର ସୌନ୍ଦର୍ଯ୍ୟକରଣ ପାଇଁ ଚାରା ରୋପଣ କରଯିବାକୁ ଅର୍ଥ ମଞ୍ଜୁର ହୋଇଥିଲା । ମାତ୍ର ତାହା ସାନପାଟୁଳୀରେ କରା ନ ଯାଇ ଫଳକ ଲାଗିଛି ଆଉ ଏକ ସ୍ଥାନରେ, ଯାହା ସାନପାଟୁଳୀ ଖେଳ ପଡି଼ଆରୁ ପ୍ରାୟ ଦୁଇ କିମି ଦୂରରେ ଅବସ୍ଥିତ ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂହ ରାଜପୁତ ମାମଲା: NCB ୩୦,୦୦୦ ପୃଷ୍ଠାର ଚାର୍ଜସିଟ୍ଦାଖଲ କଲା; ରିୟା ମୁଖ୍ୟ ଅଭିଯୁକ୍ତ

ଫଳକ ଲାଗିଥିବା ସ୍ଥାନରେ ଗୋଟିଏ ଗଛ ବି ଲାଗିନି । ବୃକ୍ଷରୋପଣ ନାଁରେ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି । ଏହି ତଥ୍ୟ ୱେବସାଇଟରୁ ଜଣାପଡିବା ପରେ ଏହି ଦୁର୍ନୀତି ବିରୋଧରେ ସ୍ବର ଉଠାଇଛନ୍ତି ଧନେଶ୍ବର ପଞ୍ଚାୟତର ସମିତି ସଭ୍ୟା ମମତା ଘଡ଼େଇ ।

ପ୍ରକଳ୍ପର ସୂଚନା ଫଳକ


‘‘ଏଠି କେବଳ ବନୀକରଣ ପ୍ରକଳ୍ପର ଗୋଟେ ଫଳକ ଲାଗିଛି । ମଞ୍ଜୁରୀ ସଂଖ୍ୟା ୨୩୧୧୪୩/ଏଏସ୍ ୨୨-୯-୨୦୨୦ରେ ଉକ୍ତ ଖେଳ ପଡି଼ଆରେ ଚାରା ରୋପଣ କାର୍ଯ୍ୟ ୩୦-୯-୨୦୨୦ରେ ଆରମ୍ଭ ହୋଇଥିଲା । ତିନି ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହା ଆରମ୍ଭ ହୋଇଥିଲା । ଏଥିରେ ଚାରାରୋପଣ ପାଇଁ ୧୨-୧୧-୨୦୨୦ ସୁଦ୍ଧା ୩୩,୯୭୨ ଟଙ୍କା ଅଣକୁଶଳୀ ମଜୁରୀ ବାବଦରେ ଖର୍ଚ୍ଚ କରାଯାଇଛି । ସମୁଦାୟ ୧୫ ଜଣ ଶ୍ରମିକଙ୍କ ପାଇଁ ତିନିଟି ମଷ୍ଟର୍‌ ରୋଲରେ ୧୧୪ଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଏପରିକି କାର୍ଯ୍ୟାରମ୍ଭର ସାଢ଼େ ଚାରି ମାସ ଅବଧି ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରି ୩ ଲକ୍ଷ ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଇତି ମଧ୍ୟରେ ଉକ୍ତ କାର୍ଯ୍ୟର ଅବଧି ଶେଷ ହୋଇଥିଲେ ମଧ୍ୟ ଗୋଟିଏ ବି ଗଛ ଲଗାଯାଇ ନ ଥିବା ଦେଖିବାକୁ ମିଳିଛି,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ପ୍ରମୋଦ କୁମାର ସାହୁ ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଆହୁରି ଖସିଲା; ୧୨,୦୦୦ ଟଙ୍କା ଶସ୍ତା ହେଲା ସୁନା; କିଣିବାର ଭଲ ସମୟ

ଧନେଶ୍ବର ପଞ୍ଚାୟତର ସମିତି ସଭ୍ୟା ମମତା ଘଡ଼େଇ କହିଛନ୍ତି, ‘‘ଗୋଟିଏ ବି ଗଛ ଲଗାଯାଇ ନାହିଁ, ହେଲେ ବନୀକରଣ ନାଁରେ ଅର୍ଥ ହରିଲୁଟ୍ ହୋଇଛି । ଚାରା ରୋପଣରେ ମ୍ୟାଟେରିଆଲ୍‌ ବାବଦରେ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନାହିଁ । ପିଜୁଳି, ଲେମ୍ବୁ, ଆମ୍ବ, ନଡି଼ଆ, ଲିମ୍ବ ଆଦି ଫଳ ବୃକ୍ଷ ଚାରା ରୋପଣରେ ଖତ, ସାର, ଔଷଧ କିଛି ବି ଦିଆଯାଇନାହିଁ କି ସୁରକ୍ଷା ବଳୟ ବା ବାଡ଼ ବି ଘେରାଯାଇନାହିଁ । ଏହି ଦୁର୍ନୀତି ଘଟଣାକୁ କେନ୍ଦ୍ରୀୟ ଦଳ ଦ୍ବାରା ତଦନ୍ତ କରାଗଲେ ବହୁ ତଥ୍ୟ ଲୋକ ଲୋଚନକୁ ଆସିପାରନ୍ତା ।’’

ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

ସ୍ଥାନୀୟ ଲୋକଙ୍କ ସନ୍ଦେହ ଯେ ଏହି ଦୁର୍ନୀତି ପଛରେ ଅଛି ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ବାବଦକୁ ମଞ୍ଜୁର ହୋଇଥିବା ସମ୍ପୂର୍ଣ୍ଣ ୩ ଲକ୍ଷ ଟଙ୍କାକୁ ଚଳୁ କରିବା ଉଦ୍ଦେଶ୍ୟ । କାରଣ ଏହି ବନୀକରଣର ଅବଧିକୁ ଏକ ବର୍ଷ ନ ରଖି ମାତ୍ର ମାସ ରଖାଯାଇଥିଲା ।

ଏହି କାର୍ଯ୍ୟରେ ଅନେକ ଅଯୋଗ୍ୟ ଜବ୍‌ କାର୍ଡ଼ଧାରୀଙ୍କୁ କାମ ଦିଆଯାଇଥିବା ଦେଖାଇ ମିଥ୍ୟା ବିଲ୍ କରାଯାଇଥିବା ଅଭିଯୋଗ ବି ହୋଇଛି । ଧନେଶ୍ବର ପଞ୍ଚାୟତର ବଡ଼ପାଟୁଳି, ସାନପାଟୁଳି, ଅଳଦା ଜଳେଶ୍ବରପୁର ଓ ଧନେଶ୍ବର ଆଦି ଗ୍ରାମର ବହୁ ଜବ୍‌ କାର୍ଡ଼ଧାରୀ ଯେଉଁମାନେ କି ଅଯୋଗ୍ୟ ପରିବାରର ସଦସ୍ୟ, ସେମାନଙ୍କୁ ଏହି କାମରେ ଲଗାଯାଇଥିବାର ୱେବସାଇଟରୁ ମିଳିଥିବା ତଥ୍ୟରୁ ପ୍ରମାଣିତ ହେଉଛି ।

ଏହା ବି ପଢ଼ନ୍ତୁ | ରାତିରେ ଜଲଦି ଶୋଇପଡ଼ୁଛନ୍ତି କି? ଯଦି ହିଁ, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ରହିଛି ବଡ଼ ବିପଦ

ଜବ୍‌ କାର୍ଡ଼ ଓ ମଷ୍ଟର୍‌ ରୋଲରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି । ଖେଳ ପଡି଼ଆ ପାଖରେ ଏକ ସୂଚନା ଫଳକ ଲଗାଯାଇଛି । କିନ୍ତୁ ସୂଚନା ଫଳକରେ ପ୍ରକଳ୍ପର ମୂଲ୍ୟକୁ ଛାଡି଼ଦେଲେ ଆଉ କିଛି ବି ସୂଚନା ନାହିଁ । ଏଥିରୁ ମନରେଗା କାମରେ କିଭଳି ସ୍ବଚ୍ଛତା ରହିଛି ତାହା ସହଜରେ ଅନୁମେୟ । ଏହି ଦୁର୍ନୀତି ବିରୋଧରେ ପଞ୍ଚାୟତ ସମିତି ସଭ୍ୟା ମମତାରାଣୀ ଘଡ଼େଇ ପ୍ରକଳ୍ପ ନିର୍ଦ୍ଦେଶକ ଯାଜପୁରଙ୍କୁ ଅଭିଯୋଗ କରିବା ସହିତ ବିଡ଼ିଓଙ୍କୁ ଏହାର ନକଲ କପି ପ୍ରଦାନ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଗର୍ଭପାତ ହୋଇଯିବାରୁ ଘର ଲୋକଙ୍କୁ ଜଣାଇବା ପାଇଁ ମହିଳା ଏକ ଶିଶୁକୁ ଅପହରଣ କଲେ!

‘‘ଏହି ମହାଦୁର୍ନୀତିର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଗଲେ ବହୁ ତଥ୍ୟ ପଦାକୁ ଆସିବ । ଏହାର ତଦନ୍ତ କରା ନ ଗଲେ ଆମେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ,’’ ଏହି ଦୁର୍ନିତି ପ୍ରସଙ୍ଗରେ ଚେତାବନୀ ଦେଇ କହିଛନ୍ତି ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ବିକ୍ରମ୍ କୁମାର ବିଶ୍ବାଳ ।



ଏହି ମାମଲାର ଉଚ୍ଚସ୍ଥରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କୋରେଇ ବିଡିଓ ଶ୍ବେତାସ୍ନିଗ୍ଧା । ଯାଜପୁର ଜିଲ୍ଲାରେ କେବଳ କୋରାଇ ବ୍ଲକ୍ ଧନେଶ୍ବର ପଞ୍ଚାୟତରେ ନୁହେଁ, ଏହି ଭଳି ଅନେକ ସ୍ଥାନରେ ବୃକ୍ଷରୋପଣ ବା ବନୀକରଣ କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି ।
Published by: Anand Shankar Thankur Das
First published: March 6, 2021, 11:06 PM IST