News18 Odia Digital
ଦେଓଗଡ଼: ବନାଗ୍ନି ରୋକିବେ ମିଶନ ଶକ୍ତିର ମହିଳା। ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ମିଶନ ଶକ୍ତିର ମହିଳାଙ୍କୁ ସାମିଲ କରିଛି ବନ ବିଭାଗ। ଲୋକଙ୍କୁ ସଚେତନ କରିବା ସହ ଜଙ୍ଗଲର ନିଆଁକୁ ଆୟତ କରିବାରେ ମହିଳାଙ୍କ ରହିବ ବଡ଼ ଭୂମିକା।
ଦେବଗଡ଼ ବନଖଣ୍ଡ ଅଧିନସ୍ଥ ୫ ଗୋଟି ରେଞ୍ଜରେ ଦେଢ଼ ଶହ ମିଶନ ଶକ୍ତି ଗ୍ରୁଫକୁ ସାମିଲ କରାଯାଇଛି। ଏଥିସହ ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ନିଆଯାଇଛି ବିଭିନ୍ନ ପଦକ୍ଷେପ।
ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ପାଇଁ ବନ ବିଭାଗ ସହ ଯୋଡ଼ି ହେବେ ମିଶନ ଶକ୍ତିର ମହିଳା। ପ୍ରଥମ ଥର ପାଇଁ ବନ ବିଭାଗ ଏଭଳି ପଦକ୍ଷେପ ନେଇଛି। ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୁକ୍ତଙ୍କୁ ଜଗିବା ସହ ନିଆଁ ନଲଗାଇବାକୁ ଲୋକଙ୍କୁ ସଚେତନ କରାଇବେ ମହିଳାମାନେ।
ଏଥିପାଇଁ ଦେବଗଡ ବନଖଣ୍ଡ ଅଧିନରେ ଦେଢ଼ ଶହ ମିଶନ ଶକ୍ତି ଗ୍ରୁଫକୁ ସାମିଲ କରାଯାଇଛି। ବନବିଭାଗ ପକ୍ଷରୁ ପ୍ରତ୍ୟେକ ଗାଁରେ ମହିଳାଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି। ଜଙ୍ଗଲରେ ନିଆଁ ଲାଗିଲେ କିଭଳି ଆୟତ କରାଯାଇ ପାରିବ ସେନେଇ ମହିଳାଙ୍କୁ ଶିକ୍ଷା ଦିଆଯାଉଛି।

ବନାଗ୍ନି ରୋକିବେ ମିଶନ ଶକ୍ତିର ମହିଳା
ବିଶେଷ କରି ଗଛ ମୂଳେ ନିଆଁ ନଲଗାଇ ମଧ୍ୟ ମହୁଲ ଫୁଲ ସଂଗ୍ରହ କରାଯାଇ ପାରିବ। ସେନେଇ ଲୋକଙ୍କୁ ମିଶନ ଶକ୍ତିର ତାଲିମ ପ୍ରାପ୍ତ ମହିଳାମାନେ ସଚେତନ କରାଇବେ। ଏଥିସହ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିଲେ ବନ ବିଭାଗକୁ ତୁରନ୍ତ ସୂଚନା ପ୍ରଦାନ କରିବେ।
ଚଳିତ ବର୍ଷ ବନାଗ୍ନିକୁ ଆୟତ କରିବା ପାଇଁ ବନ ବିଭାଗ ବିଭିନ୍ନ ପଦକ୍ଷେପ ନେଇଛି। ପ୍ରତି ରେଞ୍ଜରେ ୨ଟି ସଚେତନତା ରଥ ବୁଲିବା ସହ ଗାଁ ଗାଁରେ ସଚେତନତା ଶୋଭାଯାତ୍ରା କରାଯାଉଛି। ଜଙ୍ଗଲ ମଧ୍ୟରେ ସାତ ଶହ କିଲୋମିଟରର ଫାୟାର ଲାଇନ କରାଯାଇଛି। ନିଆଁ ଲିଭାଇବା ପାଇଁ ୧୦୮ଟି ବ୍ଲୋର ମେସିନ ପ୍ରସ୍ତୁତ ଥିବା ବେଳେ ୧୦୦ ଜଣ ପିଲାଙ୍କୁ ନିଯୁକ୍ତ ହୋଇଛନ୍ତି।
ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ପାଇଁ ପ୍ରତି ରେଞ୍ଜରେ ସୂଚନା କେନ୍ଦ୍ର ଖୋଲାଯାଇଛି। ମହୁଲ ଫୁଲ ସଂଗ୍ରହ, ଜନ୍ତୁ ଶିକାର ସମେତ ବିଭିନ୍ନ କାରଣରୁ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ମୂଲ୍ୟବାନ ଗଛ ସବୁ ପୋଡ଼ି ନଷ୍ଟ ହୋଇଯାଇଛି।

ଦେବଗଡ଼ ବନଖଣ୍ଡ ଅଧିନସ୍ଥ ୫ ଗୋଟି ରେଞ୍ଜରେ ଦେଢ଼ ଶହ ମିଶନ ଶକ୍ତି ଗ୍ରୁଫକୁ ସାମିଲ କରାଯାଇଛି
ଚଳିତ ବର୍ଷ ଆରମ୍ଭରୁ ୮୫ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଏହାକୁ ତୁରନ୍ତ ଆୟତ କରିବାରେ ବନ ବିଭାଗ ସଫଳ ହୋଇଛି। ପ୍ରଥମ ଥର ପାଇଁ ମିଶନ ଶକ୍ତି ମହିଳାଙ୍କୁ ସାମିଲ କରାଯାଇଥିବା ବେଳେ ବନାଗ୍ନିକୁ ଆୟତ କରିବା ପାଇଁ ବନ ବିଭାଗ ପ୍ରସ୍ତୁତ ରହିଥିବା କହିଛନ୍ତି ବନଖଣ୍ଡ ଅଧିକାରୀ।
ବନ୍ୟଜନ୍ତୁ ହୁଅନ୍ତୁ କି ଜନ ସାଧାରଣ। ଜଙ୍ଗଲ ନିଆଁ ଓ ଧୂଆଁ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ପକାଏ। ଗତ ବର୍ଷ ଦେବଗଡ ବନଖଣ୍ଡର ୫୩୪ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ଏହାକୁ ରୋକିବା ପାଇଁ ପୁରା ଦମ ଲଗାଇ ଦେଇଛି ବନ ବିଭାଗ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।