ପ୍ରଥମ ଥର ପାଇଁ ଓଡ଼ିଶାକୁ ଆସିଛି ୧୦ ହଜାର କୋଟି ରେଳ ଅନୁଦାନ: କେନ୍ଦ୍ର ମନ୍ତ୍ରୀ

ଓଡ଼ିଶାକୁ ପ୍ରଥମ ଥର ପାଖାପାଖି ୧୦ହଜାର କୋଟି ଟଙ୍କାର ରେଳ ଅନୁଦାନ ଆସିଛି। ଏହି ୮ ବର୍ଷ ଭିତରେ ଯେତିକି ବିକାଶ ହୋଇଛି, ତାକୁ ଆହୁରି ଆଗକୁ ନେବାର ଅଛି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ପ୍ରଥମ ଥର ପାଇଁ ଓଡ଼ିଶାକୁ ଆସିଛି ୧୦ହଜାର କୋଟି ରେଳ ଅନୁଦାନ (ପ୍ରତୀକାତ୍ମକ ଛବି)

ପ୍ରଥମ ଥର ପାଇଁ ଓଡ଼ିଶାକୁ ଆସିଛି ୧୦ହଜାର କୋଟି ରେଳ ଅନୁଦାନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଅନୁସାରେ ରେଳବାଇକୁ ପ୍ରଥମେ ଟ୍ରାନ୍ସଫର୍ମ କରିବାକୁ ପଡ଼ିବ। ଗତ ୮ ବର୍ଷର ମୋଦି ସରକାରଙ୍କ ସମୟରେ ଦେଶରେ ରେଳ ବିଭାଗରେ ଅନେକ ପରିବର୍ତ୍ତନ ଆସିଛି। ଷ୍ଟେସନଠାରୁ ଆରମ୍ଭ କରି ଟ୍ରାକ ପର୍ଯ୍ୟନ୍ତ ସ୍ୱଚ୍ଛ ହୋଇଛି । କବଚ ଭଳି ଯାନ୍ତ୍ରିକ କୌଶଳ, ବନ୍ଦେ ଭାରତ ଭଳି ଟ୍ରେନ ତିଆରି ସମ୍ଭବ ହୋଇପାରିଛି । ତେବେ ଏହି ୮ ବର୍ଷ ଭିତରେ ଯେତିକି ବିକାଶ ହୋଇଛି, ତାକୁ ଆହୁରି ଆଗକୁ ନେବାର ଅଛି । ଏଥିପାଇଁ ୫ଟି ଦିଗ ଉପରେ ଧ୍ୟାନ ଦେବାକୁ ହେବ । ପ୍ରଥମେ ରେଳ ଷ୍ଟେସନ ଗୁଡ଼ିକର ପୁନଃ ବିକାଶକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଭୁବନେଶ୍ବରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ରେଳମନ୍ତ୍ରୀ କହିଛନ୍ତି,"ପୁରୀ ଷ୍ଟେସନର ଡିଜାଇନ ପ୍ରସ୍ତୁତ ଶେଷ ହେବା ସହ ଟେଣ୍ଡର ଦିଆଯାଇଛି । ଖୁବଶୀଘ୍ର ଓଡିଶାରେ ଆଉ ୭ଟି ଷ୍ଟେସନର ବିକାଶ ପାଇଁ ଟେଣ୍ଡର ହେବ । ଦେଶ ସାରା ପାଖାପାଖି  ୫୦ଟି ଷ୍ଟେସନର କାମ ଆରମ୍ଭ ହୋଇଯାଇଛି । ୫୦୦ ଷ୍ଟେସନକୁ ଉନ୍ନତ କରିବାର ଲକ୍ଷ୍ୟ ରଖାଯାଇଛି । ସେପ୍ଟେମ୍ବର ମାସରୁ ବନ୍ଦେ ଭାରତ ଭଳି ୪ରୁ ୫ଟି ଟ୍ରେନ ପ୍ରତି ମାସ ତିଆରି କରାଯିବ । ଦେଶ ସାରା ସେହି ଟ୍ରେନ ଗୁଡିକୁ ନିୟୋଜିତ କରାଯିବ। ସେ ସ୍ପଷ୍ଟ କହିଛନ୍ତି ଯେ, ଓଡ଼ିଶାକୁ ପ୍ରଥମ ଥର ପାଖାପାଖି ୧୦ହଜାର କୋଟି ଟଙ୍କାର ରେଳ ଅନୁଦାନ ଆସିଛି"।

ଖୋର୍ଦ୍ଧା-ବଲାଙ୍ଗୀର, ତାଳଚେର-ଅନୁଗୁଳ ଆଦି ପ୍ରକଳ୍ପ, ନୂଆ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି। ବୁଲେଟ ଟ୍ରେନ ଚଳାଚଳ କରିବା ପାଇଁ ୫୦ଟି ଟାୱାର ତିଆରି ହୋଇସାରିଲାଣି। ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଉନ୍ନତ ଜ୍ଞାନ କୌଶଳ ଦେଖିବା ପାଇଁ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ବିଭାଗ ପକ୍ଷରୁ ପଠାଯିବ।

ଏଥି ସହିତ ରେଳ ଟ୍ରାକରେ ହାତୀ ମୃତ୍ୟୁ ରୋକାଯିବା ପାଇଁ ରେଳ ବିଭାଗର ପଦକ୍ଷେପ ପ୍ରସଙ୍ଗରେ ରେଳମନ୍ତ୍ରୀ କହିଛନ୍ତି, ଏଥିପାଇଁ ବିଭିନ୍ନ ଗବେଷଣା କରାଯାଇଛି । ଯେଉଁ ସବୁ ସ୍ଥାନରେ ବନ୍ୟଜନ୍ତୁ ଚଳ ପ୍ରଚଳ କରୁଛନ୍ତି ସେହି ସବୁ ସ୍ଥାନରେ ଟ୍ରାକ ତଳେ ପୋଲ ତିଆରି କରାଯିବ । ଯେମିତି କି ଏକା ଥରକେ ୮ଟିରୁ ଅଧିକ ହାତୀ ଅତିକ୍ରମ କରିପାରିବେ । ରେଳ ବୋର୍ଡ ଓ ଜଙ୍ଗଲ ଓ ପରିବେଶ ବିଭାଗ ମଧ୍ୟରେ  ଏନେଇ ବୁଝାମଣା ପତ୍ର ସ୍ବାକ୍ଷର କରାଯିବ । ଏହାପରେ ଦେଶ ସାରା ପୋଲ ତିଆରି କରାଯିବ ବୋଲି ଭୁବନେଶ୍ୱରରେ ଆୟୋଜିତ ୬୭ ତମ ରାଷ୍ଟ୍ରୀୟ ରେଳ ପୁରସ୍କାର ସମାରୋହ ୨୦୨୨ରେ ଯୋଗଦେଇ ଏହା କହିଛନ୍ତି ରେଳମନ୍ତ୍ରୀ।

ଏହି ଅବସରରେ ପୂର୍ବତଟ ରେଳବାଇ ଅଡିଟରିୟମରେ ଆୟୋଜିତ ରାଷ୍ଟ୍ରୀୟ ରେଳ ପୁରସ୍କାର ସମାରୋହ ୨୦୨୨ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୫୫ ଜଣ କର୍ମଚାରୀ ଓ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା ।
Published by:Soumya Das
First published: