Newa18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ପ୍ରଥମ ଥର ପାଇଁ ନିଶାଦ୍ରବ୍ୟ ‘କୋକେନ’ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଭୁବନେଶ୍ବର ଜାଭିଅର ଛକ ନିକଟରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି ୨୦୨ ଗ୍ରାମ୍ ଓଜନର କୋକେନ୍ ଜବତ ହୋଇଛି। ଜବତ କୋକେନର ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ତଦନ୍ତକାରୀ ସଂସ୍ଥା ।
କୋକନ୍ କାରବାର ସହିତ ଜଡ଼ିତ ରାଜସ୍ଥାନର ଦୁଇ ବେପାରୀ ଗିରଫ କରିଛି ଏସ.ଟି.ଏଫ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ରାଜସ୍ଥାନ ଚୁରୁ ଜିଲାର ରବି ଓ ଝୁଞ୍ଜୁନୁ ଜିଲାର ସନ୍ନି କୁମାର । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତଦନ୍ତକାରୀ ସଂସ୍ଥା ।
ଏସଟିଏଫର ସୂଚନା ଅନୁସାରେ, ରାଜଧାନୀରେ କୋକନ୍ ବେପାର ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ମୁଖ୍ୟ ଅଭିଯୁକ୍ତ ରବି ଦିଲ୍ଲୀରେ କୋକେନ୍ ବେପାର କରେ। ଭୁବନେଶ୍ବରରେ ସନୀ କୁମାର ସହ ଯୋଗାଯୋଗ କରି କୋକେନ୍ ବେପାର କରିଥାନ୍ତି। ଖବର ପାଇ ଏସଟିଏଫ୍ ଅଧିକାରୀ ଚଢାଉ କରି ୨୦୨ ଗ୍ରାମ୍ ଓଜନର କୋକନ ଜବତ କରିଛି। ତେବେ ରାଜ୍ୟରେ ପ୍ରଥମ ଥର ପାଇଁ କୋକେନ୍ ବେପାରୀ ଗିରଫ ହୋଇଥିବା କୁହାଯାଇଛି ।
"ମୁଖ୍ୟ ଅଭିଯୁକ୍ତ ରବି ଦିଲ୍ଲୀର ଏକ ବଡ଼ କୋକେନ ବେପାରୀଙ୍କଠାରୁ କ୍ରୟ କରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ କୋକେନ ବିକ୍ରି କରୁଥିବା ତଦନ୍ତ ବେଳେ ଜଣା ପଡ଼ିଛି । ରବିର ଘର ରାଜସ୍ଥାନ ହୋଇଥିବା ବେଳେ ତାର ସମ୍ପର୍କୀୟମାନେ ପଞ୍ଜାବରେ ଅଛନ୍ତି। ରାଜସ୍ଥାନରେ ତାଙ୍କର ଏକ ହୋଟେଲ ଅଛି। କମନୱେଲଥ ଗେମ୍ସ ସମୟରେ ସେ ଦିଲ୍ଲୀ ଯାଇ ବ୍ୟବସାୟ କରୁଥିବା ବେଳେ କୋକେନ ବିକ୍ରୟ କରିବାର ଧାରଣା ପାଇଥିଲେ । ଯେହେତୁ ସେ ଭଲଭାବେ ଇଂରାଜୀ କହିପାରେ ସେଥିପାଇଁ ଅନେକ ବିଦେଶୀମାନଙ୍କ ସହିତ ତାର ଭଲ ସମ୍ପର୍କ ଥିବା ଜଣା ପଡ଼ିଛି । ଅନ୍ୟତମ ଅଭିଯୁକ୍ତ ସନ୍ନି କୁମାରଙ୍କ ଘର ରାଜସ୍ଥାନରେ । ସେ ଭୁବନେଶ୍ୱର ସାଲିଆ ସାହିରେ ରହୁଥିଲା । ପୂର୍ବରୁ ଉଭୟଙ୍କ ମଧ୍ୟରେ ପରିଚୟ ରହିଛି,"କହିଛନ୍ତି ଏସଟିଏଫ ଏସପି ତେଜରାଜ ପଟେଲ ।
ସୂଚନାଯୋଗ୍ୟ, ଓଡ଼ିଶାରେ କୋକେନ ଜବତ ହେବାର ଏହା ପ୍ରଥମ ଘଟଣା। ଗଞ୍ଜେଇ, ବ୍ରାଉନସୁଗର ପରି କୋକେନ୍ ଭାରତରେ ଉତ୍ପାଦିତ ହୁଏ ନାହିଁ । କୋକେନ୍ ପ୍ଲାଣ୍ଟରୁ ଉତ୍ପାଦିତ ହୁଏ ଯାହା ଦକ୍ଷିଣ ଆମେରିକାର ମୂଳ ଦେଶ ଅଟେ । ଏହା ମୁଖ୍ୟତଃ କଲମ୍ବିଆ, ପେରୁ ଓ ବୋଲିଭିଆ ପରି ଲାଟିନ୍ ଆମେରିକୀୟ ଦେଶରେ ଉତ୍ପାଦିତ ହୁଏ ଓ ମୁଖ୍ୟତଃ USA ଆମେରିକା ଓ ୟୁରୋପରେ ମିଳିଥାଏ। ତେଣୁ ଅଭିଯୁକ୍ତର ଆନ୍ତର୍ଜାତୀୟ ମାଫିଆଙ୍କ ସହ ଲିଙ୍କ ଥିବା ସନ୍ଦେହ କରୁଛି ଏସଟିଏଫ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।