ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଦାୟିତ୍ବରେ ଅବହେଳା ପାଇଁ ୪ ଯନ୍ତ୍ରୀ ନିଲମ୍ବିତ

‘‘ଏଣିକି ରାସ୍ତା ଉପରୁ ଅତି କମ୍‌ରେ ୨୦ ଫୁଟ ଉଚ୍ଚରେ ୧୧ କେଭି ତାର ଟଣାଯିବ । ଯେଉଁଠି କମ୍ ଉଚ୍ଚତାରେ ତାର ଟଣାଯାଇଥିବ, ସେ ସ୍ଥାନ ଚିହ୍ନଟ କରି ତୁରନ୍ତ ମରାମତି ହେବ । ରାସ୍ତା ତିଆରି ହେଲେ ଶକ୍ତି ବିଭାଗ ଠାରୁ ଅନୁମତି ନେବାକୁ ହେବ,’’ କହିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଦାୟିତ୍ବରେ ଅବହେଳା ପାଇଁ ୪ ଯନ୍ତ୍ରୀ ନିଲମ୍ବିତ
ବସ୍‌ରେ ନିଆଁ ଲାଗିବାରୁ ଜଳି ଯାଇଥିବା ଜଣେ ଯାତ୍ରୀଙ୍କ ନିକଟରେ ତାଙ୍କ ପରିଜନ
  • News18 Odia
  • Last Updated: February 10, 2020, 3:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର/ବ୍ରହ୍ମପୁର/କଟକ: ଗତ କାଲିର ଗଞ୍ଜାମ ବସ୍‌ ଟ୍ରାଜେଡି ଘଟଣାରେ ରାଜ୍ୟ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦାୟିତ୍ବରେ ଅବହେଳା ପାଇଁ ଚ଼ାରି ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସରେ ନିଆଁ ଲାଗି ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନର ଜୁନିଅର ଇଞ୍ଜିନିଅର (ଜେଇ) ଓ ସହକାରୀ ଯନ୍ତ୍ରୀ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁଇ ଯନ୍ତ୍ରୀ ନିଲମ୍ବିତ ହୋଇଛନ୍ତି ।

ଏହି ଦୁଃଖଦ ଘଟଣାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଦୋଷ ଲଦାଲଦି । ପ୍ରାଥମିକ ତଦନ୍ତ ରିପୋର୍ଟରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଛି ସାଉଥ୍‌ କୋ । ରାସ୍ତା ମରାମତି କାମ ପରେ ରାସ୍ତାର ଉଚ୍ଚତା ୩ ଫୁଟରୁ ୪ ଫୁଟ ଉଚ୍ଚା ହୋଇଯାଇଥିଲା । ଏ ନେଇ କନିଷି ଏସ୍‌.ଡି.ଓ. ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାରମ୍ବାର ଜଣାଇ ଆସୁଥିଲେ । ହେଲେ ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା ବସ୍‌ ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବସ୍‌ର ଉଚ୍ଚତା ୧୨ ଫୁଟ ଥିଲା ଓ ତା’ ଉପରେ ସାମଗ୍ରୀ ଲଦା ଯାଇଥିଲା । ପୂର୍ବରୁ ଘଟଣା ପାଇଁ ଶକ୍ତି ବିଭାଗକୁ ଦାୟୀ କରିଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗ । ଆଜି ଲୋକସେବା ଭବନରେ ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାଉଥ୍‌ କୋ ପକ୍ଷରୁ ଦିଆଯାଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟ ଉପରେ ତର୍ଜମା କରାଯାଇଛି । ବୈଠକରେ ଗ୍ରାମ୍ୟ ଉନ୍ନୟନ ଏବଂ ଶକ୍ତି ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

‘‘ଏଣିକି ରାସ୍ତା ଉପରୁ ଅତି କମ୍‌ରେ ୨୦ ଫୁଟ ଉଚ୍ଚରେ ୧୧ କେଭି ତାର ଟଣାଯିବ । ଯେଉଁଠି କମ୍ ଉଚ୍ଚତାରେ ତାର ଟଣାଯାଇଥିବ, ସେ ସ୍ଥାନ ଚିହ୍ନଟ କରାଯାଇ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଉଛି । ଏଣିକି ରାସ୍ତା ତିଆରି ହେଲେ ଶକ୍ତି ବିଭାଗ ଠାରୁ ଅନୁମତି ଆଣିବାକୁ ପଡ଼ିବ,’’ ବସ୍‌ ଟ୍ରାଜେଡି ନେଇ ଲୋକସେବା ଭବନରେ ବସିଥିବା ସମୀକ୍ଷା ବୈଠକ ପରେ କହିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଗଞ୍ଜାମ ଜିଲ୍ଲାର ମେଣ୍ଡରାଜପୁର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ମୃତକମାନେ ହେଲେ ୟୁ. ଦେବରାଜ, ସନ୍ତୋଷିନୀ ସାହୁ, ବି. କନକାମ୍ମା, ବି. ତାରିଣୀ, ବି. ରାମେୟା, ବି. ଆଚୁଲୁ, ସି.ଏଚ୍‌. କାମରାଜୁ, ବି. ତରଣିଆ, କେ. ସଞ୍ଜୁ ଓ ବି. ମୋହିନୀ । ସମସ୍ତ ମୃତକ ହେଉଛନ୍ତି ଡଙ୍କଲପାଡୁ ଗାଁର ।

ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଗୋଳନ୍ଥରା ପୋଲିସ । ବ୍ରହ୍ମପୁର ଏ.ଏସ୍‌.ପି.ଙ୍କୁ ମାମଲାର ତଦନ୍ତ ଦାୟିତ୍ବ ଦିଆଯାଇଛି । ସେପଟେ ସାଉଥ୍‌ କୋ ଠାରୁ ବିସ୍ତୃତ ରିପୋର୍ଟ ତଲବ କରିଛି OPTCL ।

ଗତ କାଲି ଅପରାହ୍ଣରେ ଡଙ୍କଲପାଟୁରୁ ବାହାଘର ନିର୍ବନ୍ଧ ପାଇଁ ଚିକରଡ଼ାକୁ ଏକ ବସ୍‌ରେ ଯାଉଥିବା ବେଳେ ମେଣ୍ଡରାଜପୁର ନିକଟରେ ଚଳନ୍ତା ବସରେ ୧୧ କେଭି ବିଦ୍ୟୁତ ସଂଯୋଗ ହୋଇଯାଇଥିଲା । ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ରୁ ଅଧିକ ଯାତ୍ରୀ ଆହତ ହୋଇ କଟକ ଏସସିବି ଏବଂ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଆଠ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଚ଼ାରି ଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ନିୟୋଜିତ ହୋଇଥିବା ସେ କହିଛନ୍ତି ।
First published: February 10, 2020, 3:05 PM IST
corona virus btn
corona virus btn
Loading