କ୍ରିକେଟ ଗଲା ତ ଯାଉ, ଏବେ ଫୁଟବଲ୍: ଆଶିର୍ବାଦ ବେହେରା ଫୁଟବଲ ଆସୋସିଏସନର ସମ୍ପାଦକ ହେବେ

ଦିନ ଥିଲା ଯେତେବେଳେ ଆଶିର୍ବାଦ ବେହେରା ଥିଲେ ରାଜ୍ୟ କ୍ରିକେଟ ଆସୋସିଏସନର ସମ୍ପାଦକ ଓ ପୁଅ ସଞ୍ଜୟ ଥିଲେ ଫୁଟବଲ ଆସୋସିଏସନର ସମ୍ପାଦକ । ଏବେ ବାପ-ପୁଅଙ୍କ ପଦବୀ ସମାନ ରହିବ; କେବଳ ବଦଳିବ ସ୍ଥାନ ।

କ୍ରିକେଟ ଗଲା ତ ଯାଉ, ଏବେ ଫୁଟବଲ୍: ଆଶିର୍ବାଦ ବେହେରା ଫୁଟବଲ ଆସୋସିଏସନର ସମ୍ପାଦକ ହେବେ
ବାପ-ପୁଅ ଯୋଡ଼ି: ଆଶିର୍ବାଦ ବେହେରା ଓ ପୁଅ ସଞ୍ଜୟ ବେହେରା
  • News18 Odia
  • Last Updated: February 2, 2020, 6:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ରୁ ବିତାଡ଼ିତ ହେବା ପରେ ଏବେ ଫୁଟବଲ ଆସୋସିଏସନ ଅଫ ଓଡିଶା (ଫାଓ) ର ସମ୍ପାଦକ ନିର୍ବାଚ଼ନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରା । ଏହି ପଦ ପାଇଁ ସେ ଏକ ମାତ୍ର ପାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ସ୍କ୍ରୁଟିନି ଶେଷ ହୋଇଥିବାରୁ ତାଙ୍କର ଜିତିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି ।

ଫୁଟବଲ ଆସୋସିଏସନ ଅଫ୍‌ ଓଡିଶା ବା “ଫାଓ”ର ମୋଟ ଛଅଟି ପଦ ପାଇଁ ନିର୍ବାଚ଼ନ ଅନୁଷ୍ଠିତ ହେବାକୁ ଅଛି । ସେଥି ମଧ୍ୟରୁ ସମ୍ପାଦକ, ସଭାପତି, କାର୍ଯ୍ୟକାରୀ ସଭାପତି ଓ କୋଷାଧ୍ୟକ୍ଷ ପଦ ପାଇଁ ଗୋଟିଏ ଲେଖାଏଁ ନାମାଙ୍କନ ପତ୍ର ଦାଖଲ ହୋଇଛି । ବାକିଥିବା ତିନିଟି ଯୁଗ୍ମ ସମ୍ପାଦକ ପଦ ପାଇଁ ତିନି ଜଣ ଓ ଆଠଟି ଉପସଭାପତି ପଦ ପାଇଁ ୧୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ସମ୍ପାଦକ ପଦ ପାଇଁ ଆଶିର୍ବାଦ ବେହେରା ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି । ପୂର୍ବରୁ ତାଙ୍କ ପୁଅ ତଥା ବର୍ତ୍ତମାନର ଓସିଏ ସମ୍ପାଦକ ସଞ୍ଜୟ ବେହେରା ନଅବର୍ଷ ଧରି ଫାଓର ସମ୍ପାଦକ ପଦରେ ରହିଥିଲେ । ସଞ୍ଜୟଙ୍କୁ ଫାଓରେ ଭର୍ତ୍ତି କରାଇବା ପଛରେ ଆଶିର୍ବାଦ ବେହେରାଙ୍କ ପ୍ରମୁଖ ଭୁମିକା ଥିଲା । ସଞ୍ଜୟ କିଭଳି କ୍ରିକେଟ ଆସୋସିଏସନର ସମ୍ପାଦକ ଭାବେ ନିର୍ବାଚିତ ହେବେ ସେ ନେଇ ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ଆଶିର୍ବାଦ ।

ଦିନ ଥିଲା ଯେତେବେଳେ ଆଶିର୍ବାଦ ବେହେରା ଓସିଏର ସମ୍ପାଦକ ଓ ପୁଅ ସଞ୍ଜୟ ଫାଓର ସମ୍ପାଦକ ଥିଲେ । ଏବେ ସମୟ କ୍ରମେ ଉଭୟଙ୍କ ପଦ ତ ସମାନ ରହିଛି, କେବଳ ସ୍ଥାନ ପରିବର୍ତ୍ତିତ ହୋଇଯାଇଛି ।

‘‘ଆସନ୍ତା ୪ ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ । ସେହି ଦିନ ସନ୍ଧ୍ୟା ୫ଟା ପରେ ଯେଉଁ ପଦବୀ ପାଇଁ ଏକରୁ ଅଧିକ ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିଥିବେ, କେବଳ ସେହି ପଦବୀ ପାଇଁ ନିର୍ବାଚନ ହେବ । ପରବର୍ତ୍ତୀ ସମୟରେ ନିର୍ବାଚନ ତାରିଖ ଘୋଷଣା କରାଯିବ । ଯଦି ସବୁ ପଦବୀ ପାଇଁ ଗୋଟିଏ ଲୋଖାଁ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜଣା ପଡେ, ତେବେ ୧୬ ତାରିଖ ଦିନ ସାଧାରଣ ପରିଷଦ ବୈଠକରେ ନିର୍ବଚନର ଫଳାଫଳ ଘୋଷଣା କରାଯିବ,’’ କହିଛନ୍ତି ନିର୍ବାଚନ ଅଧିକାରୀ ଉପେନ୍ଦ୍ର କୁମାର ଦାସ ।

ମିଳିଥିବା ସୁଚନା ମୁତାବକ ଆଠଟି ଉପସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ୧୩ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ଅସନ୍ତୁଷ୍ଟଙ୍କୁ ମନାଇବା ଲାଗି ଚେଷ୍ଟା ଜାରି ରହିଛି । ଯଦି ଏହି ଚେଷ୍ଟା ସଫଳ ହୁଏ ତେବେ ଆଉ ନିର୍ବାଚନର ଆବଶ୍ୟକତା ହିଁ ପଡିବ ନାହିଁ ।

ପୂର୍ବରୁ ଲୋଧା କମିଟିର ସୁପାରିଶ ଲାଗୁ ହେବା ପରେ ଆଶିର୍ବାଦ ବେହେରାଙ୍କୁ ଓସିଏରେ ନିଜର ବହୁ ଦିନର ପଦ ହରାଇବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ଚ଼ିଟ୍‌ ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ ସହ ଓସିଏର ଅର୍ଥ କାରବାର ମାମଲାରେ ସିବିଆଇ ଦ୍ବାରା ଗରିଫ ହୋଇ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା ।
First published: February 2, 2020, 6:56 PM IST
corona virus btn
corona virus btn
Loading