ଖୋର୍ଦ୍ଧାରେ ବନ୍ୟା: ରୋଷେଇ ଘରେ ଆଣ୍ଠୁଏ ପାଣି, ଗୋରୁ ଗୁହାଳ ବି ବୁଡ଼ିଲା

ଜିଲ୍ଲାର ମାନପୁର ଓ ଡ଼ିହ ଖୋଳାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଲୋକଙ୍କ ଉଚ୍ଚା ଘରକୁ ଛାଡିଦେଲେ ବାକି ସମସ୍ତଙ୍କ ଘରେ ପାଣି ପଶିଯାଇଛି । ଘରର ବାଡ଼ିପଟେ ଓ ଦାଣ୍ଡ ପଟେ ପାଣି ଜମିରହିଛି ।

ଖୋର୍ଦ୍ଧାରେ ବନ୍ୟା

ଖୋର୍ଦ୍ଧାରେ ବନ୍ୟା

  • Share this:
News18 Odia Digital
ଭୁବନେଶ୍ୱର: ଜିଲ୍ଲାର ଦୁଃଖ ହେଉଛି ରାଜୁଆ ନଦୀ । ଯାହାକୁ ନେଇ ଜିଲ୍ଲା ବାସୀଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ରାଜୁଆ ନଦୀରେ ବନ୍ୟାଜଳ ଆସିବାରୁ ଜିଲ୍ଲାର ନାରଣଗଡ଼ ଓ ଓରବର ସିଂ ପଞ୍ଚାୟତର ଅନେକ ଗ୍ରାମର ଲୋକ ଅଧିକ କଷ୍ଟ ଭୋଗ କରୁଛନ୍ତି । ଏହା ସହ ଜିଲ୍ଲାର ହିରିମୂଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।

ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଗାଁ ଦାଣ୍ଡରୁ ପାଣି ଯାଇ ଘର ଭିତରେ ପଶିଛି । ବନ୍ୟା ଫଳରେ କେତେକ ଲୋକଙ୍କ ଘରେ ଚୁଲି ଜଳିପାରୁନି ଓ ଆଉ କେତକ ଲୋକ ମାଗି ଯାଚି ଚଳୁଛନ୍ତି । ପ୍ରଶାସନର ସାହାଯ୍ୟ କରୁଥିଲେ ବି ଏହା ସମୁଦ୍ରକୁ ସଂକ୍ଷେ ପରି । ଲୋକଙ୍କ ରୋଷେଇ ଘରେ ଆଣ୍ଠୁଏରୁ ଅଧିକ ପାଣି ଜମିଛି । ଗାଈ ଗୁହାଳବି ବୁଡି ଯାଇଛି । ଏବେ ଲୋକମାନେ ଯେଉଁଠି ଗୁହାଳ କରୁଛନ୍ତି ସେଇଠି ରୋଷେଇ ବି କରୁଛନ୍ତି । ବର୍ଷା ଓ ବନ୍ୟାରେ କାଠ ଓଦା ଥିବାରୁ ଲୋକମାନେ ଶୁଖିଲା ପାଳକୁ ଜାଳି ରୋଷେଇ କରୁଛନ୍ତି। ଏମିତିକି ବହୁଲୋକ ଅଛନ୍ତି ଯେଉଁମାନେ ଅନ୍ୟର ଛାତକୁ ସହାରା କରିଥିବା ବେଳେ କିଛି ଲୋକ ପାଖ ପଡୋଶୀ ଓ ବନ୍ଧୁଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ମାନପୁର ଓ ଡ଼ିହ ଖୋଳାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଲୋକଙ୍କ ଉଚ୍ଚା ଘରକୁ ଛାଡିଦେଲେ ବାକି ସମସ୍ତଙ୍କ ଘରେ ପାଣି ପଶିଯାଇଛି। ଘରର ବାଡ଼ିପଟେ ଓ ଦାଣ୍ଡ ପଟେ ପାଣି ଜମିରହିଛି । ପରିସ୍ଥିତି ଏଭଳି ସୃଷ୍ଟି ହୋଇଛି ଯେ କିଛି ଲୋକ ଗ୍ରାମ ଛାଡି ନିରାପଦ ସ୍ଥାନକୁ ଚାଲିଯାଉଛନ୍ତି। ନାରଣଗଡ଼ ପଞ୍ଚାୟତର ମାନପୁର ଓ ଓରିମ ଗାଁରେ ବନ୍ୟା ଜଳ ଭିତରେ ରହିଛି। ଲୋକଙ୍କ ସାହାରା ହେଉଛି ଗାଡିର ଟ୍ୟୁବ। ଛୋଟ ଛୋଟ ପିଲାଙ୍କୁ ଟ୍ୟୁବ ସାହାଯ୍ୟରେ ପାର କରାଯାଉଛି ।
ଓରବର ସିଂ ପଞ୍ଚାୟତ ଡ଼ିହଖୋଳା ହିରିମୂଳ ଗାଁର ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି । ହିରିମୂଳ ଗାଁଟି ବନ୍ୟାଜଳ ପାଇଁ ବାହ୍ୟ ଜଗତରୁ ବିଛିନ୍ନ ରହିଛି । ଏଠାରେ ଲୋକଙ୍କ ଭରସା ହି ବୋଟ । ଏହି ବୋଟ ଏବେ ଜରୁରୀ କାଳୀନ ସେବାରେ ଲାଗିଛି । ତହସିଲଦାର, ଜଙ୍କିଆ ଆଇଆଇସି, ଏକ ପ୍ଲାଟୁନ ପୋଲିସ ଫୋର୍ସ, ଫାୟର ଟିମ ହିରୀମୂଳ ଗ୍ରାମକୁ ପରିଦର୍ଶନ ରେ ଯାଇ ଲୋକଙ୍କୁ ବୁଝାସୁଜା ସହ ସ୍ଥାନନ୍ତରିତ କରିଥିଲେ । କିଛି ଲୋକ ପ୍ରଶାସନ କଥାକୁ ମାନିଥିବା ବେଳେ ଆଉ କିଛି ଲୋକ ଘର ଛାଡିବାକୁ ମନା କରିଥିଲେ।

"୧୮୮୨ ମସିହାରେ ହୋଇଥିବା ବନ୍ୟା ପରେ ଏ ହେଉଛି ସେହିଭଳି ଏକ ବନ୍ୟା । ଘରର ଉଚ୍ଚତା ବହୁତ କଲାପରେ ବି ଏବେ ପାଣି ଅଧିକ ରହୁଛି। ଯେହେତୁ ହୀରାକୁଦର ଗେଟ ଅଧିକରୁ ଅଧିକ ଖୋଲୁଛି ସେଥିପାଇଁ ବେସି ଚିନ୍ତା ବି ବଢୁଛି,'' କହିଛନ୍ତି ହିରିମୂଳ ବାସିନ୍ଦା ରାଉଳ ସ୍ୱାଇଁ ।

''ଲୋକଙ୍କୁ ସଚେତନ କରାଯାଉଛି । କାହାରି ଜଣଙ୍କର ଜୀବନ ଯାଉ ଏକଥା ହେବାକୁ ଦିଆଯିବନି। କୌଣସି ପରିସ୍ଥିତିରେ ଲୋକ ପାଣି ଭିତରେ ଓ ବିପଦ ସଂକୁଳ ଅବସ୍ଥାରେ ଯେଭଳି କାଳାତିପାତ ନକରିବେ ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯାଉଛି । ଆଗକୁ ପାଣି ବଢ଼ିବ । ଯେଉଁଠି ଅଣ୍ଟାଏ ବା ଆଣ୍ଠୁଏ ଯାଏ ପାଣି ଅଛି ସେଠାରେ ଆଗକୁ ଛାତିଏ ପାଣି ହେବ। ଏସବୁ ମୁକାବିଲା କରିବାକୁ ପ୍ରଶାସନ କେତେ ପ୍ରସ୍ତୁତ ଅଛି,'' କହିଛନ୍ତି ଖୋର୍ଦ୍ଧା ବ୍ଲକ ତହସିଲଦାର ପଦ୍ମଚରଣ ସାହୁ ।
Published by:Jagdish Barik
First published: