News18 Odia Digital
ଭୁବନେଶ୍ୱର: ଶନିବାର ମହାନଦୀରେ ଆସୁଛି ବନ୍ୟା । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଆଧାରରେ ମଧ୍ୟମ ଧରଣର ହେବ ଏହି ବନ୍ୟାର ଆକାର। ସେଥି ପାଇଁ ସରକାର ପ୍ରସ୍ତୁତ ଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି । ହେଲେ ନଦୀକୂଳ ବାସିନ୍ଦାଙ୍କ ଭୟକୁ ଏହି ଆଶ୍ଵାସନା ଦୂର କରିପାରିନାହିଁ । ବନ୍ୟା ଆଶଙ୍କାରେ ଏବେ ଭୁବନେଶ୍ୱର ଉପକଣ୍ଠ ହରିଦାସପୁର ଓ ଆଖପାଖ ଗାଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।
ଭୁବନେଶ୍ୱର ଉପକଣ୍ଠ ହରିଦାସପୁର ଓ ଏହାର୍ ଆଖପାଖ ଅଞ୍ଚଳରେ ଥିବା ଚାରି ସାହି ବାସିନ୍ଦାଙ୍କ ଆଖିରୁ ଏବେ ହଜି ଯାଇଛି ନିଦ । ପ୍ରଥମେ ବର୍ଷା ଓ ଏବେ କୁଆଖାଇରେ ବଢୁଥିବା ଜଳସ୍ତରକୁ ନେଇ ସେମାନେ ବେଶ ଚିନ୍ତିତ । ସେଥି ପାଇଁ ରାତି ନପାଉଣୁ ଏଠାକାର ବାସିନ୍ଦାମାନେ ଚାଲି ଆସୁଛନ୍ତି ନଦୀକୂଳ ବନ୍ଧକୁ । ପ୍ରଶାସନର ଆଶ୍ଵାସନା ଉପରେ ସେମାନଙ୍କର ଭରସା ନାହିଁ ।
ହରିଦାସପୁର ବନ୍ଧସାହି ବାସିନ୍ଦା କଣ୍ଡୁରୀ ନାଏକ ବୟସ ୮୦ ଟପିଲାଣି । କୁଆଖାଇ ନଈ କୂଳରେ ତାଙ୍କ ପୂରା ଜୀବନ କଟିଛି । ହେଲେ ନଈ ଫୁଲିବା ଦେଖିଲେ ତାଙ୍କୁ ଖୁଵ ଡର ଲାଗେ ବୋଲି କହନ୍ତି କଣ୍ଡୁରୀ।

ଓଡ଼ିଶାରେ ବନ୍ୟା ବିପଦ
ସେହିପରି ସେ ଆହୁରି କହିଛନ୍ତି, ‘‘ମୋର ମାନେ ଅଛି, ୧୯୮୨ ମସିହାରେ ଆସିଥିଲା ବଡ଼ ବନ୍ୟା । ଘର ଦ୍ୱାର ଭୁଶୁଡି ପଡ଼ିଥିଲା । ବାଧ୍ୟ ହୋଇ ନଦୀକୂଳରେ ବନ୍ଧ ଉପରେ ଆଶ୍ରୟ ନେଇଥିଲୁ । ଏବେ ସେ କଥା ମନେ ପଡ଼ିଲେ ଖୁଵ ଡର ଲାଗୁଛି । ଏବେ ଟିଭିରୁ ଶୁଣିଲି ପୁଣି ମହାମଦୀ ଓ କାଠଯୋଡ଼ିରେ ପାଣି ଆସୁଛି । ଭୟ ଲାଗୁଛି ଭାଙ୍ଗିଯିବନି ତ ବନ୍ଧ ।"
ବନ୍ୟାକୁ ନେଇ ଆତଙ୍କିତ ଥିବା ହରିଦାସପୁର ମଝିସାହି ବାସିନ୍ଦା ପ୍ରସନ୍ନ ନାଏକ କହିଛନ୍ତି, ‘‘ନଦୀ ପୋତି ହୋଇପଡ଼ିଛି । ବନ୍ୟା ପାଣି ଯିବ କୁଆଡ଼େ। ସେଥି ପାଇଁ ନଦୀ ବନ୍ଧ ଭାଙ୍ଗୁଛି। ହଜାର ହଜାର ଏକର ଚାଷ ଜମି ନଷ୍ଟ ହେଉଛି । ଗତ କିଛି ବର୍ଷ ହେଲା ବନ୍ୟା ଆସୁନଥିବା କାରଣରୁ ଆମେ ଶାନ୍ତିରେ ଥିଲୁ। ହେଲେ ଏବେ ବନ୍ୟା ଆସୁଥିବା ଜାଣି ଆମକୁ ଡର ଲାଗୁଛି ।’’
ହରିଦାସପୁର ବନ୍ଧସାହି ବାସିନ୍ଦା ଲୋଚନା ନାଏକ । ବନ୍ୟା ଆସୁଥିବା କଥା ଶୁଣି ସେ ବି ଆତଙ୍କିତ । ଲୋଚନା କୁହିଛନ୍ତି, ‘‘ନଈ କୂଳିଆ ଏହି ବନ୍ଧ ଦେଖିଲେ ଡର ଲାଗୁଛି । ବହୁ ବର୍ଷ ହେଲା ନଈ ପୋତି ହୋଇ ପଡ଼ିଲାଣି। ଏବେ ସାମାନ୍ୟ ପାଣି ହେଲେ ନଈ କୂଳ ଲଙ୍ଘୁଛି । ବନ୍ଧର କି ଭରସା । କେତେବେଳେ ଫୁସ କରି ଢଳି ପଡ଼ିବ । ସମସ୍ତେ ଜାଣନ୍ତି ଏଠି ନଦୀ ବନ୍ଧରେ ଘୋଳ ପଡୁଛି । ହେଲେ କେହି କିଛି କରୁନାହାଁନ୍ତି । ଆମର ଭାଗ୍ୟ ଖରାପ।"

ମହାନଦୀରେ ଆସୁଛି ବନ୍ୟା
ତେବେ ଏତିକି ଲୋକ ନୁହନ୍ତି, ଏଠି ବସବାସ କରୁଥିବା ୨,୦୦୦ରୁ ଅଧିକ ପରିବାର ଏମିତି ଆତଙ୍କିତ ଅଛନ୍ତି । ତେବେ ଏହି ସ୍ଥିତି ଉପରେ ବିଭାଗୀୟ ଅଧିକାରୀ ମୁହଁ ଖୋଲି ନଥିଲା ବେଳେ ଏକ୍ସପର୍ଟଙ୍କ ମତରେ, ବଢୁଥିବା ଲୋକଙ୍କ ଆବଶ୍ୟକତା କାରଣରୁ ଏବେ ନଦୀର ଶଯ୍ୟା ପୋତି ହୋଇ ପଡ଼ିଲାଣି । ତେଣୁ ସାମାନ୍ୟ ବର୍ଷାରେ ନଦୀ ଗୁଡିକରେ ଆସି ଯାଉଛି ଅକସ୍ମାତ ବନ୍ୟା। ଏଥି ପାଇଁ ଦରକାର ସ୍ଥାୟୀ ପ୍ରତିକାର। ମୁଖ୍ୟ କଥା ହେଲା ଯେ ଲୋକେ ବି ଏଥିରେ ସହଯୋଗ କରିବା ଦରକାର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।